ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): କରୋନା କଟକଣା ମଧ୍ୟରେ ନବରଙ୍ଗପୁର ଶ୍ରୀଜଗନ୍ନାଥ ମନ୍ଦିରରେ ଗୁରୁବାର ଶ୍ରୀଜୀଉଙ୍କ ଦେବସ୍ନାନ ନୀତି ଅନୁଷ୍ଠିତ ହୋଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଚଳିତ ବର୍ଷ ଦେବସ୍ନାନ ପୂର୍ଣ୍ଣିମାକୁ ବିନା ଭକ୍ତରେ ଆୟୋଜିତ କରାଯାଇଛି। ସୀମିତ ସେବାୟତ, ନିଯୋଗ କମିଟି ସଦସ୍ୟ, ଦେବୋତ୍ତର ବିଭାଗ କର୍ମଚାରୀ ଓ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଶ୍ରୀଜୀଉଙ୍କ ନୀତି ଅନୁଷ୍ଠିତ ହୋଇଥିଲା।

ନୀତି ସମୟରେ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବା ସହ ସାନିଟାଇଜର ଏବଂ ମାସ୍କ ବ୍ୟବହାର କରିଥିଲେ। ନବରଙ୍ଗପୁର ରାଜ ପୁରୋହିତ ନରସିଂହ ତ୍ରିପାଠୀ ଛେରା ପହଁରା ସେବା କରିଥିଲେ।

ଦେବତ୍ତର ନୀତି ନିର୍ଘଣ୍ଟ ଅନୁସାରେ ଗୁରୁବାର ଭୋର ୩ଟାରୁ ଦେବସ୍ନାନ ନୀତି ଆରମ୍ଭ ହୋଇ ପ୍ରଥମେ ଦ୍ୱାର ଫିଟା ଆଳତି ସାରିଲାପରେ ଅଧିବାସ ୪ଟାରେ ମଙ୍ଗଳା ରୋପଣ ପରେ ଆଳତି ହୋଇଥିଲା। ଏହାପରେ ୬ଟାରେ ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂରତିଙ୍କୁ ସ୍ନାନ ବେଦୀକୁ ଅଣାଯାଇଥିଲା। ସକାଳ ୭.୩୦ଟାରେ ଛେରା ପହଁରା ଏବଂ ୮ଟାରେ ଦେବସ୍ନାନ ନୀତି ଆରମ୍ଭ ହୋଇ ୯.୩୦ମଧ୍ୟରେ ସମ୍ପୂର୍ଣ୍ଣ ହୋଇଥିଲା।ଦେବସ୍ନାନ ସରିବା ପରେ ଶ୍ରୀଜିଉଙ୍କ ଗଜାନନ ବେଶ କରାଯାଇଥିଲା। ସକାଳ ୧୦.୩୦ରେ ମଙ୍ଗଳା ରୋପଣ ଏବଂ ଆଳତି ଓ ପୁଷ୍ପାଞ୍ଜଳି ସରିବା ପରେ ଶ୍ରୀଜିଉଙ୍କ ପହଣ୍ଡି ହୋଇ ଅଣସର ଘରକୁ ଅଣାଯାଇଥିଲା।

ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମନ୍ଦିର ପରିସରରେ ୧୦୮ ଔଷଧୀୟ ତୁଳସୀ ବୃକ୍ଷ ରୋପଣ କରାଯାଇଥିଲା। ନବରଙ୍ଗପୁର ରାଜ ପୁରୋହିତ ନରସିଂହ ତ୍ରିପାଠୀଙ୍କ ତତ୍ୱବଧାନରେ ସମସ୍ତ ସେବାୟତ, ନିଯୋଗ କମିଟି ସଦସ୍ୟ ଏବଂ ଉପସ୍ଥିତ କର୍ମଚାରୀମାନେ ବୃକ୍ଷ ରୋପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦେବୋତ୍ତର ନିର୍ବାହୀ ଅଧିକାରୀ ରବିନ୍ଦ୍ର କୁମାର ରାଉତ, ସଭାପତି ସୁବାସ ଚନ୍ଦ୍ର ସୁର, ଜଗନ୍ନାଥ ଚୌଧୁରୀ, ଗଗନ ସୌରା, ଜୟଦେବ ପ୍ରଧାନୀ, ମନ୍ଦିର ପୂଜକ ରବିନ୍ଦ୍ର କୁମାର ଶତପଥୀ, ଶେଷ ଦେବ ବ୍ରହ୍ମା, ଜଗନ୍ନାଥ ବ୍ରହ୍ମା, ଦେବୀ ନାୟକ, ପରିଚାଳନା କମିଟିର ସଭାପତି ନରସିଂହ ତ୍ରିପାଠୀ, ସମ୍ପାଦକ ସତ୍ୟବାଦୀ ଷଡଙ୍ଗୀ, ନିଯୋଗ କମିଟିର ସଭାପତି ନରେଶ କୁମାର ତ୍ରିପାଠୀ, ଉପ ସଭାପତି ଭବାନୀ ଶଙ୍କର ଶତପଥୀ, ନିଯୋଗ କମିଟିର ସମ୍ପାଦକ କୁନା ପାତ୍ର, ପ୍ରମୋଦ ତ୍ରିପାଠୀ, ତ୍ରୟ ନାଥ ତ୍ରିପାଠୀ, ରାଜେନ୍ଦ୍ର ତ୍ରିପାଠୀ, ପ୍ରୋମିଶ ତ୍ରିପାଠୀ, ସୁଧାକର ପାଢ଼ୀ, ବାବୁଲା ତ୍ରିପାଠୀ, ସୁମିତ ହଡ଼ପ, ଗେଲ୍ଲେଇ ତ୍ରିପାଠୀ, ପପୁ ତ୍ରିପାଠୀ, ସୁମିତ ପାଳ, ଚିନୁ ଦାସ, ସୁରେଶ କୁମାର ତ୍ରିପାଠୀଙ୍କ ସମେତ ମାଳି ସେବାୟତ ଚୈତନ୍ୟ ନାୟକ, ମୀନ ନାୟକ ଏବଂ ଗଉଡ଼ ସେବାୟତ ମାଧବ ଗଉଡ଼, ନରସିଂହ ଗଉଡ଼, ମୁନା ଗଉଡ଼, ସଦା ଗଉଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ।

Comment