ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶାଖାପାଟଣା:  ବିଶାଖାପାଟଣା ପୋଲିସ ନିକଟରେ ଆଜି ଆତ୍ମସମର୍ପଣ କରିଛନ୍ତି ଆଉ ୫ ମୋଷ୍ଟୱାଣ୍ଟେଡ ମାଓବାଦୀ। ବିଶାଖାପାଟଣା ଗ୍ରାମାଞ୍ଚଳ ଏସ୍‌ପି ରାହୁଲ ଦେବ ଶର୍ମାଙ୍କ ନିକଟରେ ଏହି ମାଓବାଦୀମାନେ ଆତ୍ମ ସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଭିତରେ ଗାଲିକୋଣ୍ଡା ଏରିଆ କମିଟିର ୩ ଜଣ ଥିବା ବେଳେ କୋରୁକୋଣ୍ଡା ଏରିଆ କମିଟିର ୨ ଜଣ ଅଛନ୍ତି।

ଏମାନେ ହେଲେ ଗେମିଲି ରମେଶ (୧୮), ଏମ. ଅପ୍ପଳନାଇଡୁ (୨୦),ଏମ. ରାମକୃଷ୍ଣ(୨୦), କିଲୋ ବାଙ୍ଗରୁ (୨୮),ଗେମିଲି ଭେଂକେଟସ୍ୱର ରାଓ (୨୯)। ଏହି ୫ ଜଣ ମାଓବାଦୀ ମାଓନେତା ଆଜାଦର ମୁଖ୍ୟ ସହଯୋଗୀ ଥିଲେ।

ରାହୁଲ ଦେବଶର୍ମା କହିଛନ୍ତି, “ଗେମିଲି ରମେଶ, ଏମ. ଅପ୍ପଳନାୟିଡୁ,ଏମ. ରାମକୃଷ୍ଣ ବିଶାଖାପାଟଣା ଜିଲାର କୋୟୁରୁ ପଞ୍ଚାୟତ ନାଲାଲବେଲ୍ଲୀ ଗ୍ରାମର ହୋଇଥିବା ବେଳେ କିଲୋ ବାଙ୍ଗରୁ,ଗେମିଲି ଭେଂକେଟସ୍ୱର ରାଓ ଚିନ୍ତାପଲ୍ଲୀ ପଞ୍ଚାୟତର ମେଦୁରୁ ଗ୍ରାମର ବୋଲି ଜଣାପଡିଛି। ଏମାନେ ସମସ୍ତେ ଗତ ୫ ବର୍ଷ ଧରି ମାଓବାଦୀ କାର୍ଯ୍ୟକଳାପରେ ସକ୍ରିୟ ଥିଲେ।

ଆତ୍ମସମର୍ପଣ କରିଥିବା ମାଓବାଦୀ ପୋଲିସକୁ କହିଛନ୍ତି, “ଆମେ ମାଓନେତା ଆଜାଦଙ୍କ ଦ୍ୱାରା ପ୍ରଭାବିତ ହୋଇ ମାଓ ଟିମ୍‌ରେ ସାମିଲ ହୋଇଥିଲୁ। ବିଭିନ୍ନ ଜାଗାରେ ପ୍ରଜାମେଳିର ଆୟୋଜନ କରିବା ସହ ଲ୍ୟାଣ୍ଡମାଇନ ବିଛାଇବା, ବିଭିନ୍ନ ଜାଗାରେ ମାଓ ପୋଷ୍ଟର ଛପାଇବା, ଖାଦ୍ୟସାମଗ୍ରୀ ନେବାଆଣିବା କରୁଥିଲୁ। ଜଣେ ହୋମଗାର୍ଡକୁ ହତ୍ୟା, ଆନ୍ଧ୍ରଓଡିଶା ସୀମାନ୍ତର ରାମରାଓପାଲେମ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିଛେଇବାରେ ସାମିଲ୍ ହୋଇଥିଲୁ।”

ରାହୁଲ ଦେବଶର୍ମା କହିଛନ୍ତି, “ଆତ୍ମସମର୍ପଣ କରିଥିବା ପ୍ରତେକ ମାଓବାଦୀଙ୍କ ନାମରେ  ଆନ୍ଧ୍ରପ୍ରଦେଶ ପୋଲିସ ନିକଟରେ ୧୦ରୁ ଊର୍ଦ୍ଧ୍ବ ମାମଲା ରହିଛି। ଓଡ଼ିଶାର ବିଭିନ୍ନ ଥାନାରେ ଏମାନଙ୍କ ବିରୋଧରେ ବହୁ ମାମଲା ରହିଛି। ମାଓବାଦୀଙ୍କ ଟିମ୍‌ରେ ଗୋଷ୍ଠୀ କନ୍ଦଳ, ନିର୍ଯାତନା ବୃଦ୍ଧି ଯୋଗୁ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ସମସ୍ତ ସୁବିଧା ପ୍ରଦାନ କରାଯିବା ସହ ଆର୍ଥିକ ସହାୟତା ପ୍ରଦାନ କରାଯିବ।”

 

 

Comment