ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନାକୁ ନେଇ ସାରା ବିଶ୍ୱ ବ୍ୟତିବ୍ୟସ୍ତ। ଘରୁ ବାହାରିବା ମୁସ୍କିଲ। ଏକଦମ ଅଣନିଃଶ୍ୱାସୀ ଲାଗିବଣି। କରୋନା ଟିକା କେବେ ଆସିବ, ମଣିଷ କେବେ ନିରାପଦରେ ଘରୁ ବାହାରି ପାରିବ? ଏ ଚିନ୍ତା ସମସ୍ତଙ୍କ ମନରେ। ଏମିତି ଏକ ବ୍ୟତିବ୍ୟସ୍ତ ସମୟ ଭିତରେ ଗୋଟେ ଚମକାଇଲା ଭଳି ଖବର ଅଛି। ଯେଉଁମାନେ ବିଶ୍ୱ ଭ୍ରମଣ କରିବାକୁ ଚାହୁଁଛନ୍ତି, ସେମାନେ ଏହାର ମଜା ନେଇପାରିବେ। ଏକଦମ ୭୦ ଦିନ ପାଇଁ କର୍ମଜଞ୍ଜାଳରୁ ମୁକ୍ତି ମିଳିବ। ଗୋଟେ କି ୨ଟି ଦେଶ ନୁହେଁ, ପୂରା ୧୮ଟି ଦେଶ ବୁଲିବେ। ଆଡଭେଞ୍ଚର୍ସ ଓଭର ଲ୍ୟାଣ୍ଡ ସଂସ୍ଥା ଆଣିଦେଉଛି ଏ ସୁବିଧା।

WORLD TOUR ROOT BUS

୨୦୨୧ ମେ ମାସରେ ଆରମ୍ଭ ହେବ ଏ ୭୦ ଦିନିଆ ଯାତ୍ରା। ନୂଆଦିଲ୍ଲୀରୁ ବସ୍ ବାହାରିବ ଶେଷ ହେବ ଲଣ୍ଡନରେ। ୨୦,୦୦୦ କିଲୋମିଟର ଯାତ୍ରା ଭିତରେ ଟୁରିଷ୍ଟମାନେ ୧୮ଟି ଦେଶ ବୁଲିବେ। ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏ ବସରେ ମାତ୍ର ୨୦ଜଣ ହିଁ ଯାତ୍ରା କରିପାରିବେ। ତେବେ ଏତେ ଲମ୍ବା ସମୟ ଧରି ଯାତ୍ରା କରିବା ଯାହା ପାଇଁ ସମ୍ଭବ ନ ହେବ, ସେମାନଙ୍କ ପାଇଁ ମଧ୍ୟ ଆଡଭେଞ୍ଚର୍ସ ଓଭରଲ୍ୟାଣ୍ଡ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି। ଏ ଲମ୍ବା ଯାତ୍ରାକୁ ୪ ଭାଗରେ ଭାଗ କରାଯାଇଛି। ପ୍ରଥମ ଚରଣରେ ଦକ୍ଷିଣପୂର୍ବ ଏସିଆ ଭ୍ରମଣ କରିପାରିବେ। ଏଥିରେ ୧୧ ରାତି ୧୨ ଦିନର ଯାତ୍ରା ରହିବ। ଏହା ପରବର୍ତ୍ତୀ ଚରଣରେ ଚାଇନା ସାମିଲ ହେବ। ଏଥିରେ ୧୫ ରାତି ଓ ୧୬ ଦିନ ରହିବ। ସେହିପରି ତୃତୀୟ ଚରଣ ୨୧ ରାତି ଓ ୨୨ ଦିନ; ଏଥିରେ କେନ୍ଦ୍ର ଏସିଆ ବୁଲିବେ। ଶେଷ ଚରଣରେ ୟୁରୋପ ସାମିଲ ହେବ। ଏଥିପାଇଁ ୧୫ ରାତି ଓ ୧୬ ଦିନ ଲାଗିବ।

WORLD TOUR ROOT CHART

ଏତେ ଲମ୍ବା ଯାତ୍ରା; ଏଥିରେ କେତେ ଟଙ୍କା ଖର୍ଚ୍ଚ ହେବ? ଏ ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ। ଆସିବା ସ୍ୱାଭାବିକ, କାରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ୭୦ ଦିନର ଯାତ୍ରା ପାଇଁ ଆପଣଙ୍କୁ ଦେବାକୁ ପଡ଼ିବ ମାତ୍ର୧୫ ଲକ୍ଷ ଟଙ୍କା। ଯଦି ଏ ଯାତ୍ରାର କୌଣସି ଗୋଟିଏ ଚରଣ ଆପଣ ବୁଲିବାକୁ ଚାହାନ୍ତି ତେବେ ଆପଣଙ୍କୁ ୩.୫ ଲକ୍ଷରୁ ୪.୯୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିବ।

BGU

ନୂଆଦିଲ୍ଲୀରୁ ଏ ଯାତ୍ରା ଆରମ୍ଭ ହେବ। ମିଆଁମାର, ଥାଇଲାଣ୍ଡ, ଚାଇନା, ଋଷ, ଉଜବେକିସ୍ତାନ, ଚେକ୍ ରିପବ୍ଲିକ, ଜର୍ମାନୀ ଓ ଶେଷ ହେବ ଲଣ୍ଡନରେ। ତେବେ ହୋଟେଲ ଜଣଙ୍କ ସହ ସେୟାର କରିବାକୁ ପଡ଼ିବ। ବସରେ ଜଣେ କର୍ମଚାରୀ ଆପଣଙ୍କୁ ସବୁକ୍ଷେତ୍ରରେ ସହଯୋଗ କରିବାକୁ ରହିବେ। ଏହା ମୁଦ୍ରା ବଦଳ ହେଉ କିମ୍ବା ଲୋକାଲ ମୋବାଇଲ ସିମ୍ ହେଉ। ସବୁଥିରେ ଆପଣଙ୍କୁ ସହଯୋଗ କରିବାକୁ ଜଣେ କର୍ମଚାରୀ ରହିବେ। ଏହି ଯାତ୍ରାରେ ମିଆଁମାରର ଶହ ଶହ ପାଗୋଡ଼ା ଦେଖିବାକୁ ପାଇବେ। ବିରଳ ପ୍ରଜାତିର ପାଣ୍ଡା ମଧ୍ୟ ଦେଖିବାକୁ ପାଇବେ। ଗ୍ରେଟ୍ ୱାଲ ଅଫ୍ ଚାଇନା, ଐତିହାସିକ ସହର ତାସକେଣ୍ଟ, ମସ୍କୋ, କାସ୍ପିଆନ ସାଗରରେ ଭ୍ରମଣ, ମସ୍କୋ, ବ୍ରସେଲ୍ସ, ଲଣ୍ଡନ ଭଳି ସହର ବୁଲିବେ।  ଲଣ୍ଡନରେ ପହଞ୍ଚିବା ପରେ, ପୁଣି ସେହି ସମାନ ରାସ୍ତାରେ ଆପଣ ନୂଆଦିଲ୍ଲୀ ଫେରିବେ।

WORLD TOUR ROOT HISTORY

ଠିକ୍ ଏମିତି ଗୋଟିଏ ଦୀର୍ଘ ବସ ଯାତ୍ରା ଆରମ୍ଭ ହୋଇଥିଲା ୧୯୫୭ ମସିହାରେ, ତାହା ଲଣ୍ଡନରୁ ଭାରତକୁ ଆସିଥିଲା। ଏ ବସର ନାଁ ଥିଲା ଇଣ୍ଡିଆମ୍ୟାନ। ଏପ୍ରିଲ ୧୫ ୧୯୫୭ରେ ଲଣ୍ଡନରୁ ୨୦ଜଣ ଯାତ୍ରୀଙ୍କୁ ନେଇ ଏହି ବସ୍ ବାହାରିଥିଲା। ବିଭିନ୍ନ ଦେଶ ବୁଲିବୁଲି ଅଗଷ୍ଟ ୨ ୧୯୫୭ରେ କଲିକତାରେ ପହଞ୍ଚିଥିଲା। ସେତେବେଳେ ଜଣେ ଯାତ୍ରୀ ପିଛା ଆସିବା ପାଇଁ ୮୫ ପାଉଣ୍ଡ ଓ ଫେରିବା ପାଇଁ ୬୫   ପାଉଣ୍ଡ ଖର୍ଚ୍ଚ ହୋଇଥିଲା। ଏହି ବସ ସେତେବେଳେ ଫ୍ରାନ୍ସ, ଇଟାଲୀ, ୟୁଗୋସ୍ଲୋଭିଆ, ବୁଲଗେରିଆ, ତୁର୍କୀ, ଇରାନ, ପାକିସ୍ତାନ ଓ ଶେଷରେ ଭାରତରେ ପହଞ୍ଚିଥିଲା। ଏବେ ଇତିହାସ ଓଲଟିଛି। ସେମିତି ଏକ ପର୍ଯ୍ୟଟକ ବସ ଭାରତରୁ ବାହାରି ଲଣ୍ଡନ ନେବା ପାଇଁ ବିଖ୍ୟାତ ଟ୍ରାଭେଲ ଏଜେନ୍ସି ଆଡଭେଞ୍ଚର୍ସ ଓଭରଲ୍ୟାଣ୍ଡ ଯୋଜନା କରିଛି।

Comment