ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫିଲ୍ମ ପଦ୍ମାବତୀକୁ ନେଇ ଦେଖାଦେଇଛି ଅନିଶ୍ଚିତତା। ଦେଶବ୍ୟାପୀ ବିରୋଧ କରାଯାଉଥିବାରୁ ଏବଂ ସେନସର ବୋର୍ଡରୁ ଗ୍ରୀନ ସିଗନାଲ ମିଳି ନଥିବାରୁ ଫିଲ୍ମର ରିଲିଜ ଡେଟ ଘୁଞ୍ଚିପାରେ ବୋଲି କୁହାଯାଉଛି।

ହିଷ୍ଟୋରିକାଲ ଫିଲ୍ମ ପଦ୍ମାବତୀକୁ ନେଇ ଥମୁନି ବିବାଦ। ରିଲିଜ ଡେଟ୍ ଯେତିକି ନିକଟତର ହେଉଛି ସେହି ଅନୁପାତରେ ବିବାଦ ତେଜୁଛି। ରାଜପୁତ କରଣି ସେନା, ବ୍ରାହ୍ମଣ ଭହାସଭା ଫିଲ୍ମକୁ ବିରୋଧ କରିବା ଶିବସେନା ମଧ୍ୟ ଏହାକୁ ବିରୋଧ କରିଛି। ଫଳରେ ଫିଲ୍ମଟି ଡିସେମ୍ବର ୧ରେ ରିଲିଜ୍‌ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ବିରୋଧକୁ ଦୃଷ୍ଟିରେ ଜାନୁୟାରୀ ୧୨ରେ ଫିଲ୍ମ ରିଲିଜ କରିବାକୁ ପ୍ରଯୋଜନା ସଂସ୍ଥା ଚିନ୍ତା କରୁଛି।

ଏପଟେ ଆଜି ସେନ୍‌ସର ବୋର୍ଡରେ ପଦ୍ମାବତୀ ଫିଲ୍ମର ଅରିଜିନାଲ କପି ଦାଖଲ ହୋଇଛି। ହେଲେ ମିଳିଥିବା ସୂଚନା ଅନୁସାରେ ଯେଉଁ କପି ସେନସର ବୋର୍ଡକୁ ଦିଆଯାଇଛି ତାହା ଅସମ୍ପୂର୍ଣ୍ଣ। ଏଣୁ ଫିଲ୍ମଟି ଡିସେମ୍ବର ୧ରେ ରିଲିଜ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି।

ଫିଲ୍ମ ରିଲିଜ ହେବାର ୧୫ ଦିନ ପୂର୍ବରୁ ସେନସର ବୋର୍ଡରେ କପି ଦାଖଲ କରିବାର ନିୟମ ରହିଛି। ହେଲେ ଫିଲ୍ମର କାମ ଅସମ୍ପୂର୍ଣ୍ଣ ରହିଥିବାରୁ ୧୫ ଦିନ ପୂର୍ବରୁ ସେନସର ବୋର୍ଡକୁ ଫିଲ୍ମର କପି ଦିଆଯାଇ ନଥିଲା। ୧୭ ତାରିଖରେ ପଦ୍ମାବତୀ ଫିଲ୍ମର କପି ସେନସର ବୋର୍ଡକୁ ଦିଆଯାଇଛି। ଯଦି ସେନସର ବୋର୍ଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରେ ତାହାଲେ ଫିଲ୍ମ ଡିସେମ୍ବର ୧ରେ ରିଲିଜ ହେବାରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।

ଏପଟେ ଦେଶବ୍ୟାପୀ ଫିଲ୍ମକୁ ବିରୋଧ କରାଯାଉଛି। ବିରୋଧ ବଢ଼ୁଛି ପଛେ କମିବାର ନାଁ ଧରୁନି। ଫିଲ୍ମ ରିଲିଜ ହେଲେ ଦେଶରେ ହଙ୍ଗାମା ସୃଷ୍ଟି ହେବାର ଆଶଙ୍କା ରହିଛି। ସବୁଠୁ ବଡ଼ କଥା ଗୁଜୁରାଟ ନିର୍ବାଚନ ମଧ୍ୟ ଚାଲିଛି। ଏସବୁକୁ ଦୃଷ୍ଟିରେ ରଖି ବିବାଦଘେରରେ ଥିବା ପଦ୍ମାବତୀ ଫିଲ୍ମକୁ ଡିସେମ୍ବର ୧ରେ ରିଲିଜ ଅନୁମତି ଦିଆଯାଇ ନପାରେ ବୋଲି କୁହାଯାଉଛି।

Comment