ଓଡ଼ିଶାଲାଇଭ୍‍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଇନିଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ଆନୁକୂଲ୍ୟରେ ପାଳିତ ହୋଇଛି ଜାତୀୟ ପ୍ରେସ୍ ଦିବସ। ଏହି ଅବସରରେ ଆୟୋଜିତ ହୋଇଥିଲା “ଟିଆରପି ୱାର: ଭାରତୀୟ ଟେଲିଭିଜନ ଆଙ୍କରଙ୍କ ମଧ୍ୟରେ ଲଢେ଼ଇ’ ଶୀର୍ଷକ ଆଲୋଚନାଚକ୍ର। ଏହି ଆଲୋଚନାଚକ୍ରରେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭର ପ୍ରତିଷ୍ଠାତା ସମ୍ପାଦକ ନୀଳାମ୍ବର ରଥ, ବରିଷ୍ଠ ସାମ୍ବାଦିକ ସତ୍ୟଜିତ ମିଶ୍ର, ଇଟିଭି ଭାରତ (ଓଡ଼ିଆ)ର ନ୍ୟୁଜ କୋ-ଅର୍ଡିନେଟର ସାରଦା ଲାହାଙ୍ଗିର ଉପସ୍ଥିତ ରହି ଶୀର୍ଷକ ଉପରେ ମତ ରଖିଥିଲେ।

ଓଡ଼ିଶାଲାଇଭର ପ୍ରତିଷ୍ଠାତା ସମ୍ପାଦକ ନୀଳାମ୍ବର ରଥ କହିଛନ୍ତି, “ଗଣମାଧ୍ୟମରେ ଖବର ପ୍ରସାରଣ ପ୍ରସଙ୍ଗଭିତ୍ତିକ ହେବା ସହ ବାସ୍ତବବାଦୀ ଘଟଣା ଲୋକଲୋଚନକୁ ଆସିବା ଦରକାର। ଜଣେ ସାମ୍ବାଦିକ ନିଜ ପରିଧି ଭିତରେ ରହି ଖବର ପ୍ରସାରଣର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଆବଶ୍ୟକ। ବର୍ତ୍ତମାନ ଖବରଦାତାମାନେ ସାମ୍ବାଦିକତା ଛାଡି କେବଳ ବସ୍ତୁବାଦୀ ଆବଶ୍ୟକତାରେ ବ୍ୟସ୍ତ ରହୁଛନ୍ତି।”

“ଖବର ପ୍ରସାରଣ କ୍ଷେତ୍ରରେ ଲୋକପ୍ରିୟତା ହାସଲ କରିବା ପାଇଁ ବର୍ତ୍ତମାନ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ଏହି ପ୍ରତିଯୋଗିତା ପାଇଁ ଖବର ପ୍ରସାରଣର ମୂଳ ଲକ୍ଷ୍ୟ ବଦଳି ଯାଉଛି। ନ୍ୟୁଜ ଆଙ୍କରମାନେ କେବଳ ଏକ ଟେଲିପ୍ରମ୍ପ୍ଟର ରିଡର ଭାବରେ ଦାୟିତ୍ୱ ତୁଲାଉଥିବା ବେଳେ ବୈଦ୍ୟୁତିକ ଗଣମାଧ୍ୟମମାନେ କେବଳ ବ୍ୟବସାୟିକ ଦିଗ ପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି। ଫଳରେ ବାସ୍ତବ ଚିତ୍ରକୁ ଉପସ୍ଥାପନ କରାଯିବା ବଦଳରେ ତାହାକୁ ମସଲାଦାର କରାଯାଉଛି”, କହିଛନ୍ତି ବରିଷ୍ଠ ସାମ୍ବାଦିକ ସତ୍ୟଜିତ୍ ମିଶ୍ର।

ଇଟିଭି ଭାରତ (ଓଡ଼ିଆ)ର ରାଜ୍ୟ ନ୍ୟୁଜ କୋ-ଅର୍ଡିନେଟର ସାରଦା ଲାହାଙ୍ଗିର କହିଛନ୍ତି, “ବର୍ତ୍ତମାନ ଗଣମାଧ୍ୟମ ଗଣତନ୍ତ୍ରର ଜଗୁଆଳ ନହୋଇ ସରକାରଙ୍କର ହାତବାରିସି ପାଲଟିଯାଇଛି। ଏଥିରୁ ନିବୃତ୍ତ ରହିବାକୁ ହେଲେ ସାମ୍ବାଦିକମାନେ ଏହାକୁ ବୃତ୍ତି ଅପେକ୍ଷା ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିବା ଉଚିତ।”

ଏହି ଅଲୋଚନାଚକ୍ରରେ ଆଇଏମ୍ଏସ୍ ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢୀ, ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗର ସଂଯୋଜକ ମନୋରଞ୍ଜନ ପଣ୍ଡା, ଅଧ୍ୟାପକ-ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Comment