ଏନ୍‌ଜିଟିରେ ପୋଲାଭରମ୍‌ ମାମଲା ରବ୍ଦ ହେବା ପରେ ଓଡ଼ିଶାକୁ ବଡ଼ ଝଟକା ଲାଗିଛି। ଏଥିରୁ ଫାଇଦା ନେବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ତତ୍ପର ହୋଇ ଉଠିଛନ୍ତି। ପୂର୍ବରୁ ପ୍ରକଳ୍ପ କାମ ଯେଉଁ ହାରରେ ଚାଲୁଥିଲା ତାହା ଏବେ ଦ୍ରୁତଗତିରେ ଆଗେଇ ଚାଲିଛି। ୨୦୧୯ ନିର୍ବାଚନ ପୂର୍ବରୁ ପ୍ରକଳ୍ପ କାମ ଶେଷ କରିବାକୁ ଆନ୍ଧ୍ରପ୍ରଦେଶ ସରକାର ଗୁରୁତ୍ୱ ଦେଉଛନ୍ତି।

  • ଏନ୍‌ଜିଟିରେ ପିଟିସନ୍‌ ରବ୍ଦ
  • ଓଡ଼ିଶା-ତେଲେଙ୍ଗାନାକୁ ବଡ଼ ଝଟକା
  • ଫାଇଦାରେ ଆନ୍ଧ୍ରପ୍ରଦେଶ ସରକାର
  • ୨୦୧୯ ସୁଦ୍ଧା ପ୍ରକଳ୍ପ କାମ ଶେଷ କରିବାକୁ ତତ୍ପର ଆନ୍ଧ୍ର ସରକାର
  • ମାସକୁ ଦୁଇ ଥର ପୋଲାଭରମ୍ ଯାଉଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ବିଶାଖାପାଟଣା, (ଯଶୋବନ୍ତ ନାରାୟଣ ପାଢ଼ୀ): ବିବାଦୀୟ ପୋଲାଭରମ୍ ପ୍ରକଳ୍ପ ଏବେ ଭିନ୍ନ ମୋଡ଼ ନେଇଛି। ନ୍ୟାସନାଲ୍‌ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ‘ରେଲା’ ଆବେଦନ ଖାରଜ ହେବା ପରେ ଆନ୍ଧ୍ରପ୍ରଦେଶ ସରକାର ଏଥିରୁ ଫାଇଦା ନେବା ଲାଗି ଆଗେଇ ଆସିଛନ୍ତି। ପୂର୍ବରୁ ପ୍ରକଳ୍ପ କାମ ଯେମିତି କରାଯାଉଥିଲା ଏବେ ତାହା ଦ୍ରୁତଗତିରେ କରାଯାଉଛି। ୨୦୧୯ ନିର୍ବାଚନ ପୂର୍ବରୁ ପୋଲାଭରମ୍ ପ୍ରକଳ୍ପ କାମ ଶେଷ କରିବା ପାଇଁ ଆନ୍ଧ୍ର ସରକାର ଫୋକସ୍ କରିଛନ୍ତି। ଫଳରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ମାସକୁ ଦୁଇ ଥର ପ୍ରକଳ୍ପ ସ୍ଥଳ ପରିଦର୍ଶନରେ ଆସୁଛନ୍ତି।

ଗୋଟିଏ ପଟେ ପୋଲାଭରମ୍ ପ୍ରକଳ୍ପକୁ ନେଇ ଓଡ଼ିଶା ସରକାର ଚିନ୍ତାରେ ପଡ଼ିଥିବା ବେଳେ ଆନ୍ଧ୍ରପ୍ରଦେଶ ସରକାର ପ୍ରକଳ୍ପ କାମ ତୁରନ୍ତ ଶେଷ କରିବାକୁ ଉଦ୍ୟମ କରୁଛନ୍ତି। ଓଡ଼ିଶା ସରକାର ପୋଲାଭରମ୍ ପ୍ରକଳ୍ପ ପାଇଁ ସୁପିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଆନ୍ଧ୍ର ପ୍ରଦେଶ ସରକାର ରାୟକୁ ଅପେକ୍ଷା ନକରି ପ୍ରକଳ୍ପ କାମକୁ ଆଗେଇ ନେଉଛନ୍ତି।

ପୋଲାଭରମ ପ୍ରକଳ୍ପ ନିର୍ମାଣ ପାଇଁ ପରିବେଶ ମଞ୍ଜୁରି ମିଳି ନଥିବା, କ୍ଷତିଗ୍ରସ୍ତ ଅଞ୍ଚଳରେ ଜନଶୁଣାଣି ନ ହେବା ଏବଂ ପ୍ରକଳ୍ପର ଉଚ୍ଚତା ବୃଦ୍ଧିକୁ ବିରୋଧ କରି ତେଲେଙ୍ଗାନାର ଏକ ସଂଗଠନ ‘ରେଲା’ ପକ୍ଷରୁ ଏନ୍‌ଜିଟିରେ ପିଟିସନ୍ ଦାଖଲ କରାଯାଇଥିଲା। ହେଲେ ଗତ ୪ ଦିନ ତଳେ ଏନ୍‌ଜିଟିରେ ପିଟିସନ ଖାରଜ ହୋଇଯାଇଛି। ଫଳରେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଆଶ୍ବସ୍ତି ମିଳିଛି ।ଏନଜିଟି ରାୟ ପ୍ରକାଶ ପାଇବା ପରେ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା ସହ କାର୍ଯ୍ୟରେ ଶୀଘ୍ରତା ପରିଲିକ୍ଷିତ ହୋଇଛି।

ଏନ୍‌ଜିଟିରେ ଆବେଦନ ହୋଇଥିବା ମାମଲାରେ ଆନ୍ଧ୍ରପ୍ରଦେଶ, ଓଡିଶା ଓ ତେଲେଙ୍ଗାନାକୁ ପକ୍ଷଭୁକ୍ତ କରାଯାଇଥିଲା। ଏନଜିଟିରେ ମାମଲା ଆରମ୍ଭ ହେବାପରଠାରୁ ପୋଲାଭରମ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଟ୍ରିବ୍ୟୁନାଲ ଏହି ମାମଲାକୁ ରଦ୍ଦ କରନ୍ତୁ ବୋଲି ଆନ୍ଧ୍ରପ୍ରଦେଶ ସରକାର ଯୁକ୍ତି କରିଆସୁଥିଲେ। କିନ୍ତୁ ଏହାକୁ ରେଲା ସମେତ ଓଡିଶା, ତେଲେଙ୍ଗାନା ସରକାର ବିରୋଧ କରୁଥିଲେ। ଗୋଟିଏ ମାମଲା ସାମନ୍ତରାଳ ଭାବେ ସୁପ୍ରିମକୋର୍ଟ ଏବଂ ଏନଜିଟିରେ ଚାଲିବାର କୌଣସି ଯଥାର୍ଥତା ନାହିଁ ବୋଲି ଏନଜିଟି ସ୍ପଷ୍ଟ କରିଥିଲା। ପୋଲାଭରମ ସମ୍ପର୍କିତ ସମସ୍ତ ମାମଲା ଆଗକୁ ସୁପ୍ରିମକୋର୍ଟରେ ଚାଲିବ ବୋଲି ରାୟ ପ୍ରକାଶ ପାଇବାପରେ ଓଡିଶା ଓ ତେଲେଙ୍ଗାନାକୁ ଶକ୍ତ ଧକ୍କା ଲାଗିଛି। କିନ୍ତୁ ଏନଜିଟିରୁ ଏହି ମାମଲାକୁ ରେଲା କିମ୍ବା ଓଡିଶା ପ୍ରତ୍ୟାହାର କରିନଥିବା ଜଣାପଡିଛି।

କେନ୍ଦ୍ରର ଏନଡିଏ ସରକାରକୁ ଟଡ଼ିପି ପୂର୍ଣ୍ଣ ସମର୍ଥନ ଦେଉଛି। ଏଣୁ ଭୋଟ ହାତେଇବା ପାଇଁ ୨୦୧୯ ନିର୍ଵାଚନ ପୂର୍ବରୁ ପ୍ରକଳ୍ପ କାମ ଶେଷ କରିବାକୁ ଉଭୟ ସରକାର ଜୋର୍ ଦେଉଛନ୍ତି।

ନିର୍ମାଣ କାମ ତଦାରଖ କରିବା ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଅଧିକାଂଶ ସମୟ ପୋଲଭରମ ଯାଉଛନ୍ତି।

ଇତିମଧ୍ୟରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ମଧ୍ୟ ପ୍ରକଳ୍ପ କାର୍ଯ୍ୟର ତଦାରଖ ପାଇଁ ପୋଲଭରମରେ ପହଞ୍ଚିଥିଲେ। ପ୍ରକଳ୍ପ  କାମ ଶେଷ କରିବା ଉପରେ ଉଭୟ ସରକାର ଜୋର୍ ଦେଉଥିବାରୁ ସ୍ଥାନୀୟ ବାସିନ୍ଦା ଚିନ୍ତାରେ ପଡ଼ିଛନ୍ତି।

କେବେଠୁ ପୋଲାଭରମ୍ ପ୍ରକଳ୍ପ?

ପୋଲାଭରମ୍‌ ପ୍ରକଳ୍ପ ପାଇଁ ୧୯୪୧ ମସିହାରେ ତତ୍କାଳୀନ ଇଂରେଜ ସରକାରଙ୍କ ମାଡ୍ରାସ ପ୍ରେସିଡେନ୍ସି ଦ୍ୱାରା ପ୍ରସ୍ତାବ ଦିଆଯାଇଥିଲା। ସେତେବେଳେ ମାଡ୍ରାସ ପ୍ରେସିଡେନ୍ସିର ମୁଖ୍ୟ ଯନ୍ତ୍ରୀ ଦିୱାନ ବାହାଦୁର ଏଲ. ଭେଙ୍କଟକ୍ରିଷ୍ଣ ଆୟାର ସର୍ଭେ କରିବା ପରେ ପୋଲାଭରମ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରକଳ୍ପ ତେଲେଙ୍ଗାନା ଜିଲାର ଭଦ୍ରାଚଳମକୁ ସଂଯୋଗ କରୁଥିବାରୁ ଓ ଏଠାରେ ପ୍ରସିଦ୍ଧ ଶ୍ରୀରାମ ମନ୍ଦିର ଥିବାରୁ ଏହାକୁ ପ୍ରଥମେ “ରାମପାଦ ସାଗର ପ୍ରକଳ୍ପ” ନାମରେ ନାମିତ କରିଥିଲେ।

୧୯୪୭ ମସିହାରେ ଏହି ପ୍ରକଳ୍ପର ନିର୍ମାଣ ପାଇଁ ୧.୨୯ ବିଲିୟନ ବ୍ୟୟବରାଦ କରାଯାଇଥିଲା। ୧୯୮୦ ମସିହାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଟାଙ୍ଗୁତୁରୀ ଆନଜାୟା ପ୍ରକଳ୍ପ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ।  କିନ୍ତୁ ଅର୍ଥର ଅଭାବ ଯୋଗୁଁ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ୨୦୦୪ ଏହି ପ୍ରକଳ୍ପ  ପାଇଁ ୮୬.୨୧ ବିଲିୟନ ଆବଶ୍ୟକତା ରହିଥିବା ଆନ୍ଧ୍ର ସରକାର କେନ୍ଦ୍ରକୁ ସୂଚନା ଦେଇଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ୱାଇ.ଏସ୍‌ ରାଜଶେଖର ରେଡ୍ଡି ଏହାର ନିର୍ମାଣ ପାଇଁ କେନ୍ଦ୍ରସରକାରଙ୍କ ଠାରୁ ଅନୁମତି ନେଇ କାର୍ଯ୍ୟ ଆରମ୍ଭ କରିଥିଲେ।

୨୦୦୫ ସେପ୍ଟେମ୍ବର ୧୯ରେ କେନ୍ଦ୍ର ସରକାରଙ୍କଠାରୁ ପ୍ରକଳ୍ପ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ଅନୁମତି ମିଳିଥିଲା। ୨୫ ଅକ୍ଟୋବର ୨୦୦୫ରେ ପରିବେଶ ଅନୁମତି, ୨୬ ଡିସେମ୍ବର ୨୦୦୮ରେ ଜଙ୍ଗଲ ଆଇନ ଅନୁମତି ମିଳିଥିଲା। ଏହି ପ୍ରକଳ୍ପ ନିର୍ମାଣ ପାଇଁ ଆବଶ୍ୟକୀୟ ଅନ୍ୟ ସମସ୍ତ ନୀତିନିୟମ ୨୦ ଜାନୁଆରୀ ୨୦୦୯ ସୁଦ୍ଧା ମିଳି ଯାଇଥିଲା।  ୨ ସେପ୍ଟେମ୍ବର ୨୦୦୯ରେ ରାଜଶେଖର ରେଡ୍ଡିଙ୍କର ଦେହାନ୍ତ ହେବାରୁ ଏହାର ନିର୍ମାଣ କାର୍ଯ୍ୟ ସ୍ଥଗିତ ରହିଥିଲା। ୨୦୧୪ ମସିହାରେ କେନ୍ଦ୍ର ସରକାର ପୋଲାଭରମକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେବା ପରେ ପୁଣି ଆନ୍ଧ୍ରପ୍ରଦେଶ ଓ କେନ୍ଦ୍ରସରକାର ମିଳିତ ରୂପେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି।

Comment