ଡକ୍ଟର ହରପ୍ରସନ୍ନ ଦାସ

(ଦ୍ୱିତୀୟ ଭାଗ)

ସମାଲୋଚନାମୂଳକ ଭାବନାରେ ଯେଉଁସବୁ ବିଷୟଗୁଡ଼ିକ ବାଧା ସୃଷ୍ଟି କରିଥାଏ ସେ ସମ୍ପର୍କରେ ସମ୍ୟକ୍ ସୂଚନା:

ସବୁବେଳେ ଆମର ମସ୍ତିଷ୍କରେ କିଛି ନା କିଛି ଭାବନା ଥାଏ ଓ ସେଇ ଅନୁସାରେ ଆମର କର୍ମ ହୋଇଥାଏ। ଆମେ ଚାହିଁଲେ ବି ତା’କୁ ବନ୍ଦ କରିପାରିବାନି। ଗତ ସଂଖ୍ୟାରେ ବିଭିନ୍ନ ପ୍ରକାରର ଭାବନା ସମ୍ପର୍କରେ ଆମେ ଆଲୋଚନା କରିଥିଲେ। ଶେଷରେ ସମାଲୋଚନାମୂଳକ ଭାବନାର ମୂଳ ଅର୍ଥ ସମ୍ପର୍କରେ ବି ସମ୍ୟକ୍ ସୂଚନା ଦିଆଯାଇଥିଲା। ସମାଲୋଚନାମୂଳକ ଭାବନାରେ ଯେଉଁସବୁ ବିଷୟଗୁଡ଼ିକ ବାଧା ସୃଷ୍ଟି କରିଥାଏ ତାହା ନିମ୍ନରେ ଦିଆଗଲା।

ନକାରାତ୍ମକ ମନୋବୃତ୍ତି

ମନରେ ନକାରାତ୍ମକ ଭାବନା ଥିଲେ ଆମେ କୌଣସି ସିଦ୍ଧାନ୍ତ ନେବା ପୂର୍ବରୁ ସମାଲୋଚନାମୂଳକ ଭାବନାର ଠିକ୍ ବ୍ୟବହାର କରିପାରିବା ନାହିଁ। ନକାରାତ୍ମକ ମନୋବୃତ୍ତିର ଲୋକମାନେ ପ୍ରତ୍ୟେକ ଘଟଣାରେ ଲାଭ ପରିବର୍ତ୍ତେ  କ୍ଷତିଟାକୁ ଦେଖିଥାନ୍ତି। ଉପକାର ପରିବର୍ତ୍ତେ ଅପକାରଟାକୁ ଦେଖିଥାନ୍ତି। ଏପରି ମନୋବୃତ୍ତି ରହିଲେ ଆମେ ସବୁବେଳେ ଦୁଶ୍ଚିନ୍ତାର ଶିକାର ହେବା ଏବଂ ନିରାଶା ହିଁ ଆମକୁ ଯନ୍ତ୍ରଣା ଦେବ। ସବୁବେଳେ ଆମ ମନ ଭିତରେ ‘ନାହିଁ’ ର ଭାବନାଟା ମାଡ଼ିଆସିବ। ଚାରିପଟେ ଆଲୁଅ ଥାଇ ବି ଆମକୁ ଅନ୍ଧାର ଦେଖାଯିବ।

ଏଣୁ ସମାଲୋଚନାମୂଳକ ଭାବନାର ପ୍ରଥମ ପାହାଚ ହେଲା ନକାରାତ୍ମକ ମନୋଭାବ। ଯେକୌଣସି ବିଷୟ ହେଉ ସବୁବେଳେ ଆମକୁ ଆଶାବାଦୀ ହେବାକୁ ପଡ଼ିବ। ମନରେ  ସବୁବେଳେ ‘ହଁ’ର ପ୍ରାଧାନ୍ୟ ବଜାୟ ରଖିବାକୁ ପଡ଼ିବ। ଯଦି ମନୋବୃତ୍ତିଟା ନକାରାତ୍ମକ ଥିବ ଆମେ ସମ୍ୟକ୍ ଆଲୋଚନା କରି ଠିକ୍ ସିଦ୍ଧାନ୍ତ ନେଇପାରିବା।

ତରବରିଆ ଭାବ

ଆମେ ଅଧିକାଂଶ ସମୟରେ କୌଣସି ବିଷୟରେ ଗଭୀର ଭାବରେ ନଭାବି, ଆଲୋଚନା ନକରି ତରବରିଆ ଭାବରେ ସିଦ୍ଧାନ୍ତ ନେଇଯାଉ। ସତେ ଯେପରି କାମଟି ଆମ ମୁଣ୍ଡ ଉପରେ ଏକ ବୋଝ। ଏହି ତରବରିଆ ଭାବଟା ସମାଲୋଚନାମୂଳକ ଭାବନାରେ ବାଧା ସୃଷ୍ଟି କରିଥାଏ। ତରବର ହେବା ଯୋଗୁ ଆମେ ସଠିକ୍ ଭାବରେ ତଥ୍ୟ ନଜାଣି ଭୁଲ୍ ବାଟରେ ଯାଇ ଭୁଲ୍ ସିଦ୍ଧାନ୍ତ ନେଉ ଏବଂ ସେହି ଅନୁସାରେ କାମଟି ବି ଭୁଲ୍ ହୋଇଯାଏ। ଅଧିକାଂଶ ଲୋକ ନିଜର ଏହି କୁଗୁଣକୁ ଜାଣି ମଧ୍ୟ ସଚେତନ ହୁଅନ୍ତି ନାହିଁ କି ପ୍ରତିକାର କରନ୍ତି ନାହିଁ।

ସମାଲୋଚନାମୂଳକ ଭାବନାର ସୁଫଳ ପାଇବାକୁ ହେଲେ ତରବରିଆ ଭାବଟାକୁ ଛାଡ଼ି ମନରେ ଧୈର୍ଯ୍ୟ ବଢ଼ାଇବାକୁ ପଡ଼ିବ।  ନିଜର ମନକୁ ଆୟତ୍ତ କରିବାକୁ ପଡ଼ିବ। ଏଥିପାଇଁ ଯୋଗ ବା ଧ୍ୟାନ କରିବାର ଅଭ୍ୟାସ କଲେ ବହୁତ ଉତ୍ତମ। ଧୀରସ୍ଥିର ମନରେ ସବୁଆଡ଼କୁ ନଜର ରଖି ଯଦି ଆମେ କୌଣସି ବିଷୟରେ ସମାଲୋଚନାମୂଳକ ଭାବନାରେ ନିଷ୍ପତ୍ତି ନେବା ତାହାହିଁ ସବୁଠାରୁ ଫଳପ୍ରଦ ହେବ। ଏହା ଦ୍ୱାରା ଅସମ୍ଭବକୁ ମଧ୍ୟ ସମ୍ଭବ କରାଯାଇପାରିବ।

ଅତିବୁଦ୍ଧିଆ ପଣ

ବୁଦ୍ଧି ଅବା ଜ୍ଞାନ ସବୁଲୋକଙ୍କ ପାଖରେ ଅଛି। ସାଧାରଣ ଜ୍ଞାନ ବା ବିବେକ ପାଇଁ କୌଣସି ସ୍କୁଲ୍ ଅବା  ବିଦ୍ୟାଳୟ ପାଠର ଆବଶ୍ୟକତା ନାହିଁ। କିନ୍ତୁ ଅନେକ ଲୋକ ନିଜକୁ ଅତି ବୁଦ୍ଧିଆ ଭାବି ଠିକ୍ କାମକୁ ବି ଭୁଲ୍ କରିବସନ୍ତି। ଅବାଟରେ ଯାଇ ଖାଲରେ ପଡ଼ନ୍ତି।  ଆମର ସବ୍‌ଜାନ୍‌ତା (ଆମେ ସବୁ ଜାଣିଛୁ) ମନୋଭାବ ଆମକୁ ଭୁଲ୍ ବାଟରେ ନେଇ ଯାଇଥାଏ। ମନର ଅହଙ୍କାର ଯୋଗୁ ଏହି ଅତିବୁଦ୍ଧିଆ ପଣଟା ସୃଷ୍ଟି ହୋଇଥାଏ। ଏପରି ଲୋକମାନେ ନିଜର ଭୁଲ୍ ନମାନି ଅନ୍ୟର ଦୋଷ ଦିଅନ୍ତି ।

ନିଜକୁ ଅତିବୁଦ୍ଧିଆ ଭାବୁଥିବା ଲୋକମାନେ ନିଜ ଜ୍ଞାନ କୌଶଳର ଅପବ୍ୟବହାର କରି ନିଜ ଜୀବନରେ କ୍ଷତି କରିଥାନ୍ତି। ନିଜ ଉପରେ ବିଶ୍ୱାସ ଓ ପ୍ରଖର ବୁଦ୍ଧି ଥିବା ଦରକାର କିନ୍ତୁ ଅତି ମାତ୍ରାରେ ନୁହଁ। ଏସବୁର ସନ୍ତୁଳନ ରହିବା ଦରକାର। ସମାଲୋଚନାମୂଳକ ଭାବନାର ସଠିକ୍ ପ୍ରୟୋଗ କରିବାକୁ ହେଲେ ଏହି ଅତିବୁଦ୍ଧିଆ ଗୁଣଟି ଛାଡ଼ିବାକୁ ହେବ।

ସ୍ୱାର୍ଥପର ମନୋବୃତ୍ତି  –

ସ୍ୱାର୍ଥପର ଲୋକମାନେ ସବୁବେଳେ ନିଜ ସ୍ୱାର୍ଥ ହାସଲ୍ ଉପରେ ଧ୍ୟାନ ଦେଇଥାନ୍ତି। ଅନ୍ୟର ପଛେ କ୍ଷତି ହେଉ ନିଜର ସ୍ୱାର୍ଥ ପାଇଁ ସେମାନେ ଯେକୌଣସି ରାସ୍ତାରେ ଯିବା ପାଇଁ ପଛାନ୍ତି ନାହିଁ। ପାପ ପୁଣ୍ୟ, ନୀତି ଅନୀତି, ଠିକ୍ ଭୁଲ୍ କିଛି ବିଚାର କରିବାକୁ ସେମାନେ ପ୍ରସ୍ତୁତ ନଥାନ୍ତି। ତାଙ୍କର ଆଖିଟା ଥାଏ କେବଳ ସ୍ୱାର୍ଥ ହାସଲରେ। ଏଭଳି ମନୋଭାବ ଥିବା ଲୋକମାନେ କେବେବି ସମାଲୋଚନାମୂଳକ ଭାବନାର ବ୍ୟବହାର କରିପାରିବେ ନାହିଁ। ସବୁବେଳେ ସେମାନଙ୍କର ଗୋଟିଏ ଭାବନା ‘ମୁଁ’ ‘ମୁଁ’ ଓ ‘ମୁଁ’। ଅନ୍ୟମାନଙ୍କର ସ୍ୱାର୍ଥ ପ୍ରତି ସେମାନେ ଅନ୍ଧ ପାଲଟି ଯାଆନ୍ତି। ଏହାହିଁ ସମାଲୋଚନାମୂଳକ ଭାବନାର ଏକ ବଡ଼ ପ୍ରତିବନ୍ଧକ। ସ୍ୱାର୍ଥକୁ ନଛାଡ଼ିଲେ ଆମର ଭାବନା ଶୁଦ୍ଧ ହେବ ନାହିଁ କିମ୍ବା ସକାରାତ୍ମକ ହେବ ନାହିଁ। କିଛି ପାଇବାକୁ ହେଲେ ଆମକୁ ଅନେକ କିଛି ତ୍ୟାଗ କରିବାକୁ ହେବ। ଏଣୁ ସମାଲୋଚନାମୂଳକ ଭାବନାରେ ସଠିକ୍ ସିଦ୍ଧାନ୍ତ ନେବାକୁ ହେଲେ ଆମକୁ ନିସ୍ୱାର୍ଥପର ମନୋଭାବ ରଖିବାକୁ ହେବ।

ସମାଲୋଚନାମୂଳକ ଭାବନାର ସଦ୍ ବ୍ୟବହାର କରିବାକୁ ହେଲେ ପ୍ରତିରୋଧକ ଗୁଣଗୁଡ଼ିକ ପ୍ରତି ସଚେତନ ହେବା ନିହାତି ଜରୁରୀ। ସେସବୁଗୁଡ଼ିକ ଯେପରି ଆମ ମନକୁ ଆକ୍ରାନ୍ତ ନକରୁ ବା ପ୍ରଭାବିତ ନକରୁ ସେଥିପ୍ରତି ଧ୍ୟାନ ଦେବାକୁ ହେବ। ସଠିକ୍ ରାସ୍ତାରେ ଯିବାକୁ ହେଲେ ସଠିକ୍ ଭାବନାଟିଏ ମନରେ ସୃଷ୍ଟି କରିବାକୁ ପଡ଼ିବ। ଏଣୁ ସବୁ ବାଧାବିଘ୍ନ ପ୍ରତି ସଚେତନ ରହି ପ୍ରତିକାର କରିବାକୁ ହେବ।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ ସେ ମାନବ ଅଧ୍ୟୟନ କେନ୍ଦ୍ରର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏହି ଲେଖାଟି ଦକ୍ଷତାର ବିକାଶ ସିରିଜ୍‍ ଅଧୀନରେ ପ୍ରକାଶିତ)

Comment