ଡକ୍ଟର ହରପ୍ରସନ୍ନ ଦାସ

(ପ୍ରଥମ ଭାଗ)

ବିଭିନ୍ନ ପ୍ରକାରର ଭାବନା ମଧ୍ୟରୁ ସମାଲୋଚନାମୂଳକ ଭାବନା ହିଁ ମୂଲ୍ୟବାନ୍। ସମ୍ୟକ୍ ଆଲୋଚନା ହିଁ ସମାଲୋଚନା। ପ୍ରଥମେ ଆମେ ବିଭିନ୍ନ ପ୍ରକାରର ଭାବନା ସମ୍ପର୍କରେ ଜାଣିବା ଆବଶ୍ୟକ।

ଭାବିବାଟା ହିଁ ଆମ ଜୀବନର ଏକ ପ୍ରମୁଖ କାର୍ଯ୍ୟ। ଆମର ମସ୍ତିଷ୍କ ହିଁ ଭାବନାର ଉତ୍ସ। ଆମର ଇଚ୍ଛା ଥାଉ ବା ନଥାଉ ସବୁବେଳେ ମସ୍ତିଷ୍କରେ କିଛି ନା କିଛି ଭାବନା କାମ କରୁଥାଏ ଯାହା ଉପରେ ହିଁ ଆମ ଜୀବନର ସଫଳତା ବା ବିଫଳତା ନିର୍ଭର କରେ। ବିଭିନ୍ନ ପ୍ରକାରର ଭାବନା ମଧ୍ୟରୁ ସମାଲୋଚନାମୂଳକ ଭାବନା ହିଁ ମୂଲ୍ୟବାନ୍। ସମ୍ୟକ୍ ଆଲୋଚନା ହିଁ ସମାଲୋଚନା। ପ୍ରଥମେ ଆମେ ବିଭିନ୍ନ ପ୍ରକାରର ଭାବନା ସମ୍ପର୍କରେ ଜାଣିବା ଆବଶ୍ୟକ।

ଗତାନୁଗତିକ ଭାବନା

ସବୁବେଳେ ଆମ ମସ୍ତିଷ୍କରେ ଗତାନୁଗତିକ ଭାବନା କାର୍ଯ୍ୟ କରୁଥାଏ। ନିଜର ଦୈନନ୍ଦିନ କାମ ପାଇଁ ଅନେକ ଭାବନା ଆମ ମୁଣ୍ଡରେ ଖେଳୁଥାଏ। ଯଥା ଖାଇବା, ଖେଳିବା ଓ ଶୋଇବା ପରି ଅନେକ ଛୋଟବଡ଼ ଘଟଣା ସମ୍ପର୍କରେ ଆମର ଭାବନା ହିଁ ନିଷ୍ପତ୍ତି ନେବାରେ ସାହାଯ୍ୟ କରିଥାଏ। ଏଥିପାଇଁ ବେଶୀ ପରିଶ୍ରମ ପଡ଼େନାହିଁ ଅବା ଆମେ କିଛି ‘ହଁ’ ବା ‘ନାହିଁ’ ଦ୍ୱନ୍ଦ୍ୱର ସମ୍ମୁଖୀନ ହେଉନା। ଏଗୁଡ଼ିକ ଆପେ ଆପେ ମୁଣ୍ଡକୁ ଆସିଥାଏ ଏବଂ ସେହି ଅନୁସାରେ ଆମେ କାମ କରିଥାଉ। ଚିରାଚରିତ ପ୍ରଥା ପରି ଆମ ଜୀବନରେ ଅନେକ ଛୋଟ ବଡ଼ କାମ ଏହି ଗତାନୁଗତିକ ଭାବନାରେ ହିଁ ହୋଇଥାଏ।

ପ୍ରଭାବିତ ଭାବନା

ଅନେକ ସମୟରେ ଆମର ନିଜସ୍ୱ ଭାବନାଟି ଅନ୍ୟ ଲୋକମାନଙ୍କ କଥାରେ ପ୍ରଭାବିତ ହୋଇଯାଇଥାଏ ଓ ଭାବନାରେ ପରିବର୍ତ୍ତନ ହୋଇଥାଏ। ଫଳରେ ଅଧିକାଂଶ କ୍ଷେତ୍ରରେ ସଫଳତା ବଦଳରେ ବିଫଳତା ମଧ୍ୟ ମିଳିଥାଏ। ସୁପଥରେ ନଯାଇ ଆମେ କୁପଥରେ ମାଡ଼ିଯାଉ ଫଳରେ ସମୟ ନଷ୍ଟହେବା ସହିତ ଅନେକ କ୍ଷତି ହୋଇଥାଏ।

ପ୍ରଭାବିତ ହେବାର ଅନେକ କାରଣ ରହିଛି। ବିଶେଷ କରି ଭାବପ୍ରବଣତା ଯୋଗୁଁ ଆମ ଭାବନା ପ୍ରଭାବିତ ହୋଇଯାଏ। ଅନ୍ୟର ଲାଭ ଦେଖି ନିଜେ ସେହିପରି ବା ତା’ଠାରୁ ଅଧିକ ଲାଭ ପାଇବାର ଆଶା ରଖି ଆମେ ନିଜର ଭାବନାରେ ପରିବର୍ତ୍ତନ କରିଥାଉ। ଯାହାକୁ ଅତି ନିଜର ବୋଲି ଭାବୁ ଅନେକ ସମୟରେ ଅନ୍ଧ ପରି ଆମେ ତାହାରି କଥାରେ ପରିଚାଳିତ ହେଉ ଓ ସେ ଯାହା କୁହେ ତାହାହିଁ କରିଥାଉ। ଏହାଦ୍ୱାରା ନିଜସ୍ୱ ଭାବନାର କିଛି ମୂଲ୍ୟ ନଥାଏ ଓ ଆମର ଅନେକ କ୍ଷତି ହୁଏ।

ଗୁରୁତର ଭାବନା

ମଣିଷ ସବୁବେଳେ ପ୍ରତ୍ୟେକ କାର୍ଯ୍ୟରେ ସଫଳତାର ଶୀର୍ଷରେ ପହଞ୍ଚିବାକୁ ଚାହେଁ। ସର୍ବଶ୍ରେଷ୍ଠ ଅବା ସର୍ବୋତ୍ତମ ହେବା ପାଇଁ ମନରେ ସ୍ୱପ୍ନ ଦେଖିଥାଏ। ଏହି ସ୍ୱପ୍ନ ପଛରେ ଅନେକ ଭାବନା ଥାଏ। ସେହି ଭାବନାଗୁଡ଼ିକ ଏତେ ଗୁରୁତର ଯେ ଆମେ କୌଣସି କଥା ବା ଘଟଣାକୁ ହାଲ୍‌କା ଭାବରେ ଗ୍ରହଣ କରିପାରୁନା। ସଫଳତାରେ ଅତି ଆନନ୍ଦିତ ହୋଇ କାହାକୁ ଖାତିର୍ କରୁନା। ସେହିପରି ବିଫଳତାରେ ଭାଙ୍ଗିପଡ଼ି ଏପରି ଚିନ୍ତାଗ୍ରସ୍ତ ହୋଇଯାଉ ଯେ ବିଛଣାରୁ ଉଠି ପାରୁନା।

ମାନସିକ ବିଷାଦରେ ରକ୍ତଚାପ, ମୁଣ୍ଡବିନ୍ଧା ଆରମ୍ଭ ହୁଏ, ଦେହ ଅବଶ ଲାଗେ ଓ କାମ କରିବାକୁ ଇଚ୍ଛା ହୁଏ ନାହିଁ। ମୁହଁରୁ ହସ ଲିଭିଯାଏ। ସବୁବେଳେ ବିଷାଦଗ୍ରସ୍ତ ମନର ପ୍ରତିଫଳନ ମୁହଁରେ ଦେଖାଯାଏ। ଅତିମାତ୍ରାରେ ଗୁରୁତର ଭାବନା କରିବା ଦ୍ୱାରା ମଣିଷ ନିଜ ଉପରେ ଭରସା ଓ ଆତ୍ମବିଶ୍ୱାସ ହଜାଇ ବସେ। କୌଣସି କାମ କରିବାକୁ ସାହାସ ହୁଏ ନାହିଁ। କଥାରେ ଅଛି ଅତିରୁ ଇତି।

ସମାଲୋଚନାମୂଳକ ଭାବନା

ସମ୍ୟକ୍ ଆଲୋଚନାରୁ ସମାଲୋଚନା। କୌଣସି ଘଟଣାର ସବୁଦୃଷ୍ଟିରୁ ସମାନଭାବେ ଆଲୋଚନା କରିବା ହିଁ ସମାଲୋଚନା। ଏଥିରେ ଉଭୟ ଭଲ ଓ ମନ୍ଦ ଦିଗର ଆଲୋଚନା ହୋଇଥାଏ। କୌଣସି ବ୍ୟକ୍ତି ହେଉ ଅବା ଘଟଣା ସେ ସମ୍ପର୍କରେ ଆମ ମନରେ ଯେଉଁ ଭାବନା ଆସେ ତାକୁ ସମ୍ୟକ୍ ଭାବରେ ସମୀକ୍ଷା କରି, ବ୍ୟାଖା କରି ତାହାର ମୂଲ୍ୟାଙ୍କନ କରିବା ଓ ପୂର୍ବାପର ପ୍ରସଙ୍ଗକୁ ନେଇ ଏହାର ଉପକାରିତା ଓ ଅପକାରିତା ସମ୍ପର୍କରେ ଗଭୀର ଭାବରେ ଅନୁଧ୍ୟାନ କରିବା  ହିଁ ସମାଲୋଚନମୂଳକ ଭାବନା। ଥଣ୍ଡା ମୁଣ୍ଡରେ, ସ୍ୱଚ୍ଛ ମନରେ କୌଣସୀ ପ୍ରକାରର ଲୋଭ ବା ଆଶା ନରଖି ଭାବିବାଟା ହିଁ ଏହାର ମୂଳ ଲକ୍ଷଣ।

ସମାଲୋଚନାମୂଳକ ଭାବନା ଅନ୍ୟପ୍ରକାରର ଭାବନାଠାରୁ କିଭଳି ଭାବରେ ପୃଥକ୍ ତାହା ଆମେ ଭଲ ଭାବେ ବୁଝିବା ଦରକାର। ଗତାନୁଗତିକ ଭାବନା ପରି ଏହା ଉପର ଠାଉରିଆ ବା ହାଲ୍‌କା ଭାବେ ହୋଇପାରିବ ନାହିଁ। ସେହିପରି ସମାଲୋଚନାମୂଳକ ଭାବନାରେ କାର୍ଯ୍ୟ କରୁଥିବା ଲୋକଟି କେବେ କାହା ଦ୍ୱାରା ବା କୌଣସି ଘଟଣାରେ ପ୍ରଭାବିତ ହେବନାହିଁ। କୌଣସି ପରିସ୍ଥିତିରେ ବି ଏହି ଗୁଣ ସମ୍ପନ୍ନ ବ୍ୟକ୍ତି ଉତ୍ତେଜିତ ଅବା ବିଷାଦଗ୍ରସ୍ତ ହୁଅନ୍ତି ନାହିଁ। ତରବରିଆ ହୋଇ ଭାବିବା, ହଠାତ୍ ନିଷ୍ପତ୍ତି ନେଇଯିବା ବା କାର୍ଯ୍ୟରେ ବିଫଳତା ହେଲା ବୋଲି ନିଜକୁ ହତଭାଗା ବୋଲି ଭାବିବାର ସମ୍ପୂର୍ଣ୍ଣ ବିପରୀତ ହେଉଛି ସମାଲୋଚନାମୂଳକ ଭାବନା।

ମାନସିକ ପରିପକ୍ୱତା ଓ ଦାୟିତ୍ୱବୋଧ ହିଁ ସମାଲୋଚନାମୂଳକ ଭାବନାର ମୂଳଦୁଆ। ଧିରସ୍ଥିର ମନରେ ଏକ ସନ୍ତୁଳିତ ଭାବନାରେ ବିଚାର କରିବା ଏହାର ମୁଖ୍ୟ ଲକ୍ଷଣ। ଏହି ଦକ୍ଷତାସମ୍ପନ୍ନ ବ୍ୟକ୍ତିଟି କୌଣସି ପରିସ୍ଥିତିରେ ବିଚଳିତ ହୁଅନ୍ତି ନାହିଁ ବା ଆତ୍ମବିଶ୍ୱାସ ହରାଇ ବସନ୍ତି ନାହିଁ।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ ସେ ମାନବ ଅଧ୍ୟୟନ କେନ୍ଦ୍ରର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏହି ଲେଖାଟି ଦକ୍ଷତାର ବିକାଶ ସିରିଜ୍‍ ଅଧୀନରେ ପ୍ରକାଶିତ)

Comment