ଡକ୍ଟର ହରପ୍ରସନ୍ନ ଦାସ

(ତୃତୀୟ ଭାଗ)

ଆମର ଭାବନା ସ୍ତରରେ ଅନେକ ପ୍ରକାରର ବାଧା ଦେଖା ଦେଇଥାଏ। ସେହିପରି କିଛି ବିଷୟ ସମ୍ପର୍କରେ ସମ୍ୟକ୍ ସୂଚନା:

ଆମେ ସମସ୍ତେ ଚାହୁଁ ଯେ ଆମର ଭାବନାଟି ଶୁଦ୍ଧ ଓ ସକରାତ୍ମକ ହେଉ, ଯାହାଦ୍ୱାରାକି ଆମର କାମଟି ସଫଳ ହୋଇପାରିବ। କିନ୍ତୁ ଆମର ଭାବନା ସ୍ତରରେ ଅନେକ ପ୍ରକାରର ବାଧା ଦେଖା ଦେଇଥାଏ।  ସେହିପରି କିଛି ବିଷୟ ସମ୍ପର୍କରେ ସମ୍ୟକ୍ ସୂଚନା:

ସାମାଜିକ ପରିସ୍ଥିତି

ଆମର ସାମାଜିକ ପରିସ୍ଥିତି ବା ପରିବେଶ ଆମର ଭାବନାକୁ ଅନେକ କ୍ଷେତ୍ରରେ ପ୍ରଭାବିତ କରିଥାଏ। ଜାତି, ଧର୍ମ, ଭାଷା, ଶିକ୍ଷା, ପଦ ପଦବୀ, ପରିବାର ଇତ୍ୟାଦି ବିଶେଷ ମାତ୍ରାରେ ଆମର ଭାବନାକୁ ପ୍ରଭାବିତ କରିଥାଏ। ଧନୀ ଘରର ଲୋକଟିଏ ଅଧିକ ଆତ୍ମବିଶ୍ୱାସର ସହିତ ଭାବିବା ସମୟରେ ଏକ ଗରିବ ଘରର ଲୋକଟିର ମନରେ ସଠିକ୍ ସିଦ୍ଧାନ୍ତ ନେବାରେ ଭୟ ଆସିଥାଏ। ସେହିପରି ଶିକ୍ଷାର ବି ପ୍ରଭାବ ଥାଏ। ସହର ଓ ଗ୍ରାମାଞ୍ଚଳ ଲୋକମାନଙ୍କର ବିଚାରରେ ବି ପାର୍ଥକ୍ୟ ଦେଖାଦେଇଥାଏ। ବୟସର ତାରତମ୍ୟ ଯୋଗୁଁ ବି ଭାବନାରେ ଫରକ୍ ଦେଖାଦେଇଥାଏ। ଲକ୍ଷ୍ୟ ଏକ କିନ୍ତୁ ଭାବନା ଅଲଗା ହୋଇଥାଏ।

ଆଉ ଏକ ସାମାଜିକ ଭୟହେଲା- ‘ଲୋକେ କ’ଣ କହିବେ?’ ଏହି ଡ଼ର ଆମର ଭାବନାକୁ ବାଧା ଦେଇଥାଏ। ଅନ୍ୟମାନଙ୍କୁ ଖୁସି କଲାପରି କାମ କରିବାକୁ ଇଚ୍ଛାକରି ଆମ ଭାବନାରେ ପରିବର୍ତ୍ତନ ହୋଇଥାଏ। ଫଳରେ ସିଦ୍ଧାନ୍ତ ଭୁଲ୍ ହୋଇଥାଏ ଏବଂ କାମଟି ମଧ୍ୟ ସଠିକ୍ ହୁଏନାହିଁ। ପରେ ଅନୁତାପ କଲାବେଳକୁ ଆଉ ସମୟ ନଥାଏ। ଶେଷରେ ମନଦୁଃଖରେ ଆମେ ଭାଗ୍ୟକୁ ଦୋଷ ଦେଇଥାଉ। ଆମେ ସାମାଜିକ ପରିବେଶ ପାଇଁ ସଚେତନ ହୋଇ ଆମ ଭାବନାକୁ ପ୍ରଭାବିତ କରିବା ଅନୁଚିତ୍।

ପୂର୍ବ ଅନୁଭୁତି

ଅତୀତରେ ଘଟିଥିବା ଘଟଣାର ଅନୁଭୁତି ଆମର ବର୍ତ୍ତମାନର ଭାବନାକୁ ପ୍ରଭାବିତ କରିଥାଏ। ପୂର୍ବ ଅନୁଭୂତି ଯଦି ସକରାତ୍ମକ ବା ସଠିକ୍ ହୋଇଥାଏ ତେବେ ଆମର ଭାବନା ଶୁଦ୍ଧ ହୋଇଥାଏ। ଫଳରେ ଆତ୍ମବିଶ୍ୱାସ ଓ ବିଜ୍ଞତାର ସହିତ ଆମେ ସଫଳ ସିଦ୍ଧାନ୍ତ ନେଇଥାଉ। କିନ୍ତୁ ଆମ ପୂର୍ବର ଅନୁଭୁତି ଯଦି ତିକ୍ତ ବା ନକରାମତ୍କ ହୋଇଥାଏ ତେବେ ତାହା ଆମ ମନରେ ଭୟ ସହିତ ଭାବନାରେ ବାଧା ସୃଷ୍ଟି କରିଥାଏ।

କଥାରେ ଅଛି – ‘ଅନୁଭୂତି ହିଁ ଆମର ଗୁରୁ’। ଆମେ ନିଜ ଅନୁଭୂତିରୁ ହିଁ ସଠିକ୍ କଥା ଶିଖିଥାଉ। କିନ୍ତୁ ଯଦି ଆମର ପୂର୍ବର ଅନୁଭୂତି ପ୍ରଭାବିତ ହୋଇଥାଏ ତେବେ ତାହା ଆମ ପାଇଁ ମାରାତ୍ମକ ହୁଏ। ଏଣୁ ପ୍ରତ୍ୟେକ ଅନୁଭୂତିକୁ ସମୀକ୍ଷା କରି ଆମର ହିତାଙ୍କାକ୍ଷୀ ବନ୍ଧୁମାନଙ୍କର ପରାମର୍ଶ ନେବା ନିହାତି ଜରୁରୀ। ଅନେକ ସମୟରେ ଆମେ ନିଜର ଭୁଲ୍ ବା ଠିକ୍ ସମ୍ପର୍କରେ ଜାଣିପାରିନଥାଉ। ଏହି ସମୟରେ ସତ୍‌ସଙ୍ଗ ହିଁ ଆମର ମାର୍ଗଦର୍ଶନ କରିଥାଏ।

ଅତ୍ୟଧିକ କାମର ଚାପ

ଏବେକାର ସାମାଜିକ ପରିସ୍ଥିତିରେ ଜୀବନ ସଂଗ୍ରାମ ଏପରି ତୀବ୍ର ହୋଇଗଲାଣି ଯେ ନ ଚାହିଁ ବି କାମର ପରିମାଣ ଅତି ମାତ୍ରାରେ ବଢ଼ିଯାଇଛି। ଅନେକ ପରିସ୍ଥିତିରେ ଆମେ ଆବଶ୍ୟକତାଠାରୁ ଅଧିକ ପରିମାଣର କାମ ଏକ ନିର୍ଦ୍ଧିଷ୍ଟ ସମୟସୀମାରେ କରିବାକୁ ବାଧ୍ୟ ହେଉଛୁ, ଯାହା ଆମ ଭାବନା ସ୍ତରରେ ଅତ୍ୟଧିକ ଚାପ ପକାଉଛି। କିନ୍ତୁ ଉଚିତ୍ ସିଦ୍ଧାନ୍ତ ପାଇଁ ଉଚିତ୍ ଭାବନା ହିଁ ମୂଳଦୁଆ।

ଅତ୍ୟଧିକ କାମର ଚାପ ଫଳରେ ମନରେ ବିରକ୍ତିଭାବ ଆସିଯାଏ। ମାନସିକ ଚାପରେ ଆମେ ବିବ୍ରତ ଓ ଅଶାନ୍ତ ହୋଇଯାଉ। ଏଣୁ ସମ୍ୟକ୍ ଆଲୋଚନା କରିବା ପାଇଁ ପରିସ୍ଥିତି ଠିକ୍ ରୁହେ ନାହିଁ। ରାଗ ବା ଅଶାନ୍ତ ମନରେ ଯେଉଁ ଭାବନା ଆସିଥାଏ ଅଧିକାଂଶ କ୍ଷେତ୍ରରେ ତାହା ଭୁଲ୍ ହୋଇଯାଏ ଆଉ ସଫଳତା ବି ମିଳେନାହିଁ। ଏଣୁ ଯେତିକି ଆମେ ଠିକ୍ ରୂପେ କରିପାରିବା ସେତିକିଟା ହିଁ ଗ୍ରହଣ କରିବା ଉଚିତ୍। ଅତ୍ୟଧିକ କାମର ଚାପ ଅଧିକ ବାଧା ସୃଷ୍ଟି କରିଥାଏ।

ମିଳିତ ଭାବନା ବା ଗୋଷ୍ଠୀଗତ ଭାବନା

ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ହଁ, ନାହିଁର ଦ୍ୱନ୍ଦ୍ୱରେ ପଡ଼ି ନିଜେ ସଠିକ୍ ଭାବରେ ନିଷ୍ପତ୍ତି ନେଇପାରନ୍ତି ନାହିଁ। ଭୁଲ୍ ହେଇଯିବାର ଭୟ ସହିତ ନିଜ ଉପରେ ବିଶ୍ୱାସ ନଥାଏ। ଏଣୁ ସେମାନେ ଘରଲୋକ ତଥା ଅନ୍ୟମାନଙ୍କୁ ପଚାରି ମିଳିତ ଭାବେ ସିଦ୍ଧାନ୍ତ ନେବାକୁ ପସନ୍ଦ କରନ୍ତି ଓ ହଇରାଣ ବି ହୋଇଥାନ୍ତି। ନାନା ମୁନୀ ନାନା ମତ। ପ୍ରତ୍ୟେକ ବ୍ୟକ୍ତିଙ୍କର ଭାବନା ଏକ ପ୍ରକାରର  ନୁହେଁ। ବିଭିନ୍ନ ବ୍ୟକ୍ତିଙ୍କଠାରୁ ବିଭିନ୍ନ ପ୍ରକାରର ମତାମତ ଶୁଣିବା ପରେ ନିଜର ଭାବନା ବି ପ୍ରଭାବିତ ହୋଇଯାଏ। ଶେଷରେ ସମାଲୋଚନାମୂଳକ ଭାବନା ପରିବର୍ତ୍ତେ ଏକ ବିକ୍ଷିପ୍ତ ଭାବନାର ଶୀକାର ହୋଇଯାନ୍ତି। ଏଣୁ ନିଜସ୍ୱ ଭାବନାକୁ ସାକାର କରିବାକୁ ହେଲେ ଜଣେ ବା ଦୁଇଜଣ ବିଜ୍ଞ ଲୋକଙ୍କ ସହିତ ପରାମର୍ଶ କରାଯାଇପାରେ। କିନ୍ତୁ ମିଳିତ ଭାବରେ ଅନେକ ଲୋକଙ୍କର ମତ ନେଲେ ନିଜର ଭାବନା ବିଭ୍ରାନ୍ତ ହୋଇଯିବ।

ସମାଲୋଚନାମୂଳକ ଭାବନାରେ ଯେଉଁ ବିଷୟଗୁଡ଼ିକ ବାଧା ସୃଷ୍ଟି କରିଥାଏ ସେ ସମ୍ପର୍କରେ ଆମେ ବିଶେଷ ଭାବେ ଆଲୋଚନା କଲେ। ଏଥିପ୍ରତି ଆମେ ସଜାଗ ରହିଥିଲେ ହିଁ ଆମର ଭାବନା ଶୁଦ୍ଧ ଓ ସାକାର ହୋଇପାରିବ।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ ସେ ମାନବ ଅଧ୍ୟୟନ କେନ୍ଦ୍ରର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏହି ଲେଖାଟି ଦକ୍ଷତାର ବିକାଶ ସିରିଜ୍‍ ଅଧୀନରେ ପ୍ରକାଶିତ)

Comment