ଡକ୍ଟର ହରପ୍ରସନ୍ନ ଦାସ

(ପଞ୍ଚମ ଭାଗ)

ସମାଲୋଚନାମୂଳକ ଭାବନାରେ ସଫଳତା ପାଇବାର କେତୋଟି ପ୍ରଣାଳୀ ସମ୍ପର୍କରେ ଆଲୋଚନା:

ସଠିକ୍ ବିଶ୍ଲେଷଣ

ଆମେ ବୁଝିସାରିଛେ ଯେ ଆମକୁ ଗଭୀର ଅନୁଧ୍ୟାନ କରି ତଥ୍ୟ ସଂଗ୍ରହ କରିବାକୁ ହେବ। ଏହାର ପରବର୍ତ୍ତୀ ପଦକ୍ଷେପ ହେଲା ସଠିକ୍ ବିଶ୍ଲେଷଣ । ଧୈର୍ଯ୍ୟର ସହିତ ସଂଗ୍ରହ କରିଥିବା ତଥ୍ୟଗୁଡ଼ିକର ସଠିକ୍ ବିଶ୍ଲେଷଣ କଲେ ଆମେ ଘଟଣାଟିର ରୂପରେଖ ଠିକ୍‌ ରୂପେ ଜାଣିପାରିବା। ଯେଉଁ ଘଟଣା ସମ୍ପର୍କରେ ଆମେ ସମାଲୋଚନାମୂଳକ ଭାବନା କରି ତାହାର ସମାଧାନର ବାଟ ବାହାର କରିବାକୁ ଚାହୁଁଛେ ତାହାର ବିଭିନ୍ନ ଦିଗ ଉପରେ ସଠିକ୍ ବିଶ୍ଲେଷଣ ନିହାତି ଆବଶ୍ୟକ। ସେଗୁଡ଼ିକ ହେଲା-

ଘଟଣାଟିର ସମାଧାନରେ କେଉଁ ବାଧା ଦେଖାଯାଉଛି, ସେହି ଘଟଣାଟିରେ ଦୁର୍ବଳତା କ’ଣ ଓ ବିଶେଷତ୍ୱ କ’ଣ ରହିଛି ଏବଂ ଏକ ନିର୍ଦ୍ଦିଷ୍ଟ ସମାଧାନ କରାଗଲେ ସେଥିରେ ଅସୁବିଧା କ’ଣ ଦେଖାଯାଇପାରେ ଇତ୍ୟାଦି। ପ୍ରତ୍ୟେକ ଘଟଣାର ସମାଧାନ ରହିଛି। କିନ୍ତୁ ସମାଧାନର ବାଟ ବାହାରିସାରିଲା ପରେ ବି ଅନେକ ପ୍ରକାରର ଛୋଟ ଛୋଟ ସମସ୍ୟା ସୃଷ୍ଟି ହୋଇଥାଏ। ଏଣୁ ଏହାକୁ ସଠିକ୍ ଭାବରେ ବିଶ୍ଲେଷଣ କଲେ ଭୁଲ୍‌ବାଟରେ ଯିବାର ସମ୍ଭାବନା କମିଯାଇଥାଏ।

ବିଶ୍ଲେଷଣ ସମୟରେ ଘଟଣାଟିର କାରଣ ବିଷୟରେ ବିଶେଷ ଧ୍ୟାନଦେବା ଦରକାର। ସଂଗୃହିତ ତଥ୍ୟ ଉପରେ ନିର୍ଭର କରି କାରଣଗୁଡ଼ିକ ବାହାର କରିଲେ ସମାଧାନର ବାଟ ପରିଷ୍କାର ହୋଇଯିବ। ପ୍ରତ୍ୟେକ ଘଟଣା ଘଟିବାର ଅନେକ କାରଣ ରହିଛି। ତାହା ମିଳିଗଲେ ସମାଲୋଚନାମୂଳକ ଭାବନା ସହଜରେ ସଫଳ ହୋଇପାରିବ।

ବଳିଷ୍ଠ ସିଦ୍ଧାନ୍ତ

ସଠିକ୍ ବିଶ୍ଲେଷଣର ପରବର୍ତ୍ତୀ ପଦକ୍ଷେପ ହେଲା ବଳିଷ୍ଠ ସିଦ୍ଧାନ୍ତ ନେବା। ଏହା ସମାଲୋଚନାମୂଳକ ଭାବନାର ବିଶେଷତ୍ୱ। ଆମେ ଘଟଣାଟିର ସବୁଦିଗକୁ ଭଲରୂପେ ବିଶ୍ଲେଷଣ କରି ସିଦ୍ଧାନ୍ତ ନେବାକୁ ହେବ। ପ୍ରତ୍ୟେକ ଘଟଣା ସମାଧାନର ଅନେକ ବାଟ ରହିଛି। ପ୍ରଥମେ ଭଲରୂପେ ଭାବି ସମାଧାନର ବିଭିନ୍ନ ପନ୍ଥାଗୁଡ଼ିକର ତାଲିକା କରିବାକୁ ହେବ। ତା’ପରେ ଘଟଣାଟିର ସଠିକ୍ ସମାଧାନ ପାଇଁ ଏକ ନିର୍ଦ୍ଦିଷ୍ଟ ପନ୍ଥା ବାଛିବାକୁ ହେବ। ଏଥିପାଇଁ  ଆମକୁ ଏକ ବଳିଷ୍ଠ ସିଦ୍ଧାନ୍ତ ନେବାକୁ ହେବ।

ସିଦ୍ଧାନ୍ତ ନେବା ସମୟରେ ମନରେ ଅନେକ ପ୍ରକାରର ହଁ ଓ ନାହିଁର ଦ୍ୱନ୍ଦ୍ୱ ସହିତ କେଉଁ ସମାଧାନର ପନ୍ଥା ସବୁଠାରୁ ଶ୍ରେଷ୍ଠ ଅବା ଫଳପ୍ରଦ ଆମେ ସ୍ଥିର କରିପାରୁନା। ମନେରଖିବା ଉଚିତ୍ ଯେ କୌଣସୀ ସମାଧାନର ବାଟ ଶତକଡ଼ା ଶହେଭାଗ ଠିକ୍ ହୋଇନପାରେ। ଏଣୁ ବ୍ୟସ୍ତ ନହୋଇ ଗୁରୁତ୍ୱ ଅନୁଯାୟୀ ସମାଧାନର ପନ୍ଥାଟି ବାଛିବାକୁ ହେବ। ଏଥିରେ ଭାବପ୍ରବଣ ହେବା ଆଦୌ ଉଚିତ୍ ନୁହେଁ। ଯେଉଁ ପନ୍ଥାରେ ସମସ୍ୟାଟିର ଉତ୍ତମ ସମାଧାନ ହୋଇପାରିବ ତାହାହିଁ ବାଛିବାକୁ ହେବ। ଆମକୁ ସେହି ଅନୁସାରେ ବଳିଷ୍ଠ ସିଦ୍ଧାନ୍ତ ନେବାକୁ ହେବ। ମନଦୃଢ଼ କଲେ ହିଁ ସିଦ୍ଧାନ୍ତ ବଳିଷ୍ଠ ହୋଇପାରିବ।

କର୍ମରେ ପ୍ରୟୋଗ

ବଳିଷ୍ଠ ସିଦ୍ଧାନ୍ତ ନେଇଯିବାଟା ଶେଷକଥା ନୁହେଁ। କର୍ମରେ ପ୍ରୟୋଗ କରିବାଟା ଜରୁରୀ। ଏଣୁ ସିଦ୍ଧାନ୍ତ ନେବା ସମୟରେ ଏହାକୁ କେତେବେଳେ, କେଉଁଠି ଏବଂ କେଉଁ ଉପାୟରେ କର୍ମରେ ରୂପାନ୍ତରିତ କରିବାକୁ ହେବ ଭାବିବାକୁ ପଡ଼ିବ। ତେବେ ଯାଇ ସମାଲୋଚନାମୂଳକ ଭାବନାରେ ନେଇଥିବା ବଳିଷ୍ଠ ନିଷ୍ପତ୍ତିରେ ସଫଳତା ମିଳିପାରିବ। ଅନେକ କ୍ଷେତ୍ରରେ ଆମେ ସିଦ୍ଧାନ୍ତର ପ୍ରୟୋଗରେ ସମ୍ପୂର୍ଣ୍ଣ ଭାବରେ ଅବହେଳା କରିଥାଉ ତେଣୁ ଭାବନାର କିଛି ଫଳ ହୁଏନାହିଁ। ସିଦ୍ଧାନ୍ତକୁ କର୍ମରେ ପ୍ରୟୋଗ କରିବାଟା ସମାଲୋଚନାମୂଳକ ଭାବନାର ଅନ୍ତର୍ଭୂକ୍ତ। ସେଥିପାଇଁ କାମଟି ଛୋଟ ହୋଇଥିଲେ ମଧ୍ୟ ଟିକେ ଗଭୀର ଭାବେ ଭାବିଲେ ସିଦ୍ଧାନ୍ତ ନେବାଟା ସହଜ ହୋଇପାରେ। କିନ୍ତୁ ଯଦି ଏହା ଏକ ସମୟସାପେକ୍ଷ ବା ଦୀର୍ଘସୂତ୍ରୀ କାମ, ତେବେ ସେଥିପାଇଁ ଏକ ସ୍ୱତନ୍ତ୍ର କର୍ମ ଯୋଜନା କରିବାକୁ ହେବ।

ଯେପରିକି କୌଣସି ବ୍ୟବସାୟ ବା ପେଶାଗତ ବିଷୟ ଉପରେ ଦୀର୍ଘସୂତ୍ରୀ କର୍ମଯୋଜନା ପାଇଁ  ବିଶେଷ ଭାବରେ ଅନୁଧ୍ୟାନ କରି ସିଦ୍ଧାନ୍ତ ନେବାକୁ ହେବ। ଏକ ସୁରଚିତ କର୍ମପ୍ରଣାଳୀ ଲକ୍ଷ୍ୟ ହାସଲରେ ସାହାଯ୍ୟ କରିଥାଏ। ଏଣୁ ସିଦ୍ଧାନ୍ତ ନେବାଟା ଯେପରି ଗୁରୁତ୍ୱପୂର୍ଣ୍ଣ ଏହାକୁ କର୍ମରେ ପ୍ରୟୋଗ କରିବାଟା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଆମେ ସଚେତନ ହେଲେ ହିଁ ଅଧିକ ସଫଳତା ପାଇପାରିବା। ଆମର ସ୍ୱପ୍ନକୁ ସାକାର କରିବାକୁ ହେଲେ ସିଦ୍ଧାନ୍ତ ଅନୁଯାୟୀ କର୍ମ ଯୋଜନା କରିବା ଦରକାର।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ ସେ ମାନବ ଅଧ୍ୟୟନ କେନ୍ଦ୍ରର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏହି ଲେଖାଟି ଦକ୍ଷତାର ବିକାଶ ସିରିଜ୍‍ ଅଧୀନରେ ପ୍ରକାଶିତ)

Comment