ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଗତ ବର୍ଷକ ମଧ୍ୟରେ ଅମିତ ଶାହା ଏକାଧିକ ଭାଷା ଶିଖି ସାରିଛନ୍ତି।ଲକ୍ଷ୍ୟ ହେଉଛି ସ୍ଥାନୀୟ ଭାଷାରେ ଭାଷଣ ଦେଲେ ଦଳ ପ୍ରତି ଲୋକଙ୍କ ଭରସା ବୃଦ୍ଧି ପାଇବ ଏବଂ ନିର୍ବାଚନରେ ବି ଏହା ବେଶ୍ କାମ ଦେବ।

ଏଣେ ଗୁଜୁରାଟ ନିର୍ବାଚନ ମୁଣ୍ଡ ଉପରେ।କିନ୍ତୁ ବିଜେପି ଅଧ୍ୟକ୍ଷ ଅମିତ ଶାହା ବଙ୍ଗଳା ଓ ତାମିଲ ଭାଷା ଶିଖୁଛନ୍ତି।କଣ ଏହାର କାରଣ?ଗୋଟିଏ ସୂତ୍ର କହୁଛି ଯେ ବିଗତ ବର୍ଷକ ମଧ୍ୟରେ ଅମିତ ଶାହା ଏକାଧିକ ଭାଷା ଶିଖି ସାରିଛନ୍ତି।ଲକ୍ଷ୍ୟ ହେଉଛି ସ୍ଥାନୀୟ ଭାଷାରେ ଭାଷଣ ଦେଲେ ଦଳ ପ୍ରତି ଲୋକଙ୍କ ଭରସା ବୃଦ୍ଧି ପାଇବ ଏବଂ ନିର୍ବାଚନରେ ବି ଏହା ବେଶ୍ କାମ ଦେବ।

ବହୁ ଅପେକ୍ଷିତ ଗୁଜରାଟ ନିର୍ବାଚନ ପାଖେଇ ଆସୁଛି ସତ ଏବଂ ବିଜେପିକୁ କଂଗ୍ରେସ କଡ଼ା ଟକ୍କର ଦେଉଥିଲେ ହେଁ ଅମିତ ଶାହା ନିଜ ଦୈନନ୍ଦିନ କାମରୁ କିଛି ସମୟ ବାହାର କରି ବିଭିନ୍ନ ଭାରତୀୟ ଭାଷା ଶିଖିବା ଆରମ୍ଭ କରିଛନ୍ତି।ଇତି ମଧ୍ୟରେ ସେ ବଙ୍ଗଳା ଓ ତାମିଲ ଭାଷାକୁ ଆୟତ୍ତ କରି ସାରିଲେଣି।ଆହୁରି ବି ଦୁଇ ତିନିଟି  ଭାଷା ଉପରେ ତାଙ୍କର ନଜର।ଉତ୍ତର ପୂର୍ବ ରାଜ୍ୟର ଦୁଇଟି ଭାଷା ସେ ଶିଖିବା ଆରମ୍ଭ କରିଛନ୍ତି।ଏଇ ଦୁଇଟି ଭାଷା ହେଉଛି ଅହମିୟା ଓ ମଣିପୁରୀ।

ଏହି ଭାଷା ଜ୍ଞାନ ବଢ଼ାଇବା ପଛରେ କାରଣ ଅତି ସ୍ପଷ୍ଟ।ସ୍ଥାନୀୟ ଲୋକଙ୍କ ପାଖରେ ଭରସାଯୋଗ୍ୟ ହେବାକୁ ହେଲେ ସେମାନଙ୍କ ଭାଷାରେ ହିଁ ବାର୍ତ୍ତାଳାପ କରାଯିବା ଆବଶ୍ୟକ ଏ କଥା ଶାହାଙ୍କ ହୃଦବୋଧ ହୋଇଛି।

ଖବର ଅନୁଯାୟୀ ବିଜେପି ଅଧ୍ୟକ୍ଷ ତାମିଲ ଓ ବଙ୍ଗଳାରେ କହିବା ବି ଆରମ୍ଭ କରିଛନ୍ତି। ଅବଶ୍ୟ ନିରୋଳା ତାମିଲ ଓ ବଙ୍ଗଳା ସେ କହି ପାରୁନାହାଁନ୍ତି।କିନ୍ତୁ ହିନ୍ଦୀ ସହିତ ଏହି ଭାଷାର ଛୁଙ୍କ ବେଶ୍ କାମ ଦେଉଛି।

ଯେଉଁମାନେ ଅମିତ ଶାହାଙ୍କୁ ଅତି ପାଖରୁ ଦେଖିଛନ୍ତି ସେମାନଙ୍କ କହିବା କଥା ଯେ, ଗୋଟିଏ ଲକ୍ଷ୍ୟ ପୂରଣ ହେବା ପୂର୍ବରୁ ସେ ଆଉ ଗୋଟିଏ ଲକ୍ଷ୍ୟ ସ୍ଥିର କରିନିଅନ୍ତି। ନିଜେ ତ ସେ ସବୁ ସମୟରେ ସକ୍ରିୟ ଥାନ୍ତି ଦଳର କର୍ମକର୍ତ୍ତା ମାନଙ୍କୁ ମଧ୍ୟ ସକ୍ରିୟ ରଖିଥାନ୍ତି। ଏହା ହେଉଛି ତାଙ୍କ ରଣନୀତି। ସ୍ଥାନୀୟ ଭାଷା ଜରିଆରେ ଏହି ରଣନୀତିକୁ ଅଧିକ ସଫଳ କରିବା ହେଉଛି ଶାହାଙ୍କ ଲକ୍ଷ୍ୟ।ବଡ଼ କଥା ହେଉଛି ଭାଷା ଶିଖିବା ପାଇଁ ସିଖାଳିଙ୍କୁ ବି ନିଯୁକ୍ତି ଦିଆଯାଇଛି ଓ ତାଙ୍କ ସହିତ ବସି ଭାଷା ଶିଖିବା  ପାଇଁ ଶାହା ପ୍ରତିଦିନ ସମୟ ବାହାର କରିଥାନ୍ତି।

କୁହାଯାଉଛି ବିଭିନ୍ନ ଭାଷା ଶିଖିବା ପାଇଁ ତାଙ୍କ ଆଗ୍ରହ ପ୍ରକାଶ ପାଇଥିଲା ଯେତେବେଳେ ସେ ଦୁଇ ବର୍ଷ କାଳ ଜେଲରେ ଥିଲେ।ଏହି ସମୟରେ ସେ ସ୍ପଷ୍ଟ ହିନ୍ଦୀ ଶିଖିବା ଓ କହିବା ଆରମ୍ଭ କରିଥିଲେ।ଏହି ପ୍ରତିବଦ୍ଧତା ଯୋଗୁଁ ଅମିତ ଶାହା ଆଜି ଗୁଜରାଟି ମିଶା ହିନ୍ଦୀ ନକହି ଖାଣ୍ଟି ହିନ୍ଦୀ କହି ପାରୁଛନ୍ତି।

ଏ କଥା ମଧ୍ୟ ଜଣା ପଡ଼ିଛି ଯେ, ଭାଷାପ୍ରେମ ବ୍ୟତୀତ ଶାସ୍ତ୍ରୀୟ ସଙ୍ଗୀତରେ ମଧ୍ୟ ସେ ରୁଚି ରଖନ୍ତି।ଯୋଗରେ ତ ଏମିତି ବି ତାଙ୍କ ରୁଚି ରହିଛି। ପିଲା ବେଳେ ତାଙ୍କର ସଂଗୀତ ପ୍ରତି ପ୍ରଚୁର ଆଗ୍ରହ ପ୍ରକାଶ ପାଇଥିଲା ଯାହାକି ଏବେ କାମରେ ଆସୁଛି।

 

Comment