ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଚାଷୀ ସମସ୍ୟାକୁ ନେଇ କେନ୍ଦ୍ର-ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଆନ୍ନା
  • ୮ଟି ରାଜ୍ୟରେ ହେବ ୨୨ଟି ଚାଷୀ ସମାବେଶ
  • ୬୦ ବର୍ଷରୁ ଅଧିକ ଚାଷୀଙ୍କୁ ପେନସନ୍‌ ଦେବାକୁ ଦାବି କଲେ
  • ଆନ୍ନା କହିଲେ, ‘ମୋଦି ଦେଶ ପାଇଁ ବିପଦ’

“ମହାତ୍ମା ଗାନ୍ଧିଙ୍କ ଡାକରାରେ ଲକ୍ଷାଧିକ ଲୋକ ସ୍ୱାଧୀନତା ସଂଗ୍ରାମରେ ସାମିଲ୍‌ ହୋଇଥିଲେ। ଗାନ୍ଧିଜୀଙ୍କ କର ବା ମର ସ୍ଲୋଗାନ୍ ଇଂରେମାନଙ୍କୁ ଭାରତ ଛାଡ଼ିବାକୁ ବାଧ୍ୟ କରିଥିଲା। ଇଂରେଜମାନଙ୍କୁ ଭାରତରୁ ତଡ଼ିବା ପାଇଁ ଗାନ୍ଧିଜୀଙ୍କ ନେତୃତ୍ୱରେ ଦେଶରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ହୋଇଥିଲା। ଆଉ ଏବେ କୃଷକମାନଙ୍କ ପାଇଁ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ ହେବାକୁ ଯାଉଛି। ଏହାର ନେତୃତ୍ୱ କୃଷକମାନେ ନେବେ”, – ଜଗତସିଂହପୁରରେ ଆୟୋଜିତ ‘ଜୟ କିଷାନ୍’ ସମାବେଶରେ ଯୋଗଦେଇ ବିଶିଷ୍ଟ ଗାନ୍ଧିବାଦୀ ନେତା ଆନ୍ନା ହଜାରେ ଏହା କହିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ନେତା ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କର ଆଜି ହେଉଛି ପୂଣ୍ୟ ତିଥି। ଏହି ଅବସରରେ ଚାଷୀଙ୍କ ହକ୍‌ ପାଇଁ ନବ ନିର୍ମାଣ କୃଷକ ସଙ୍ଗଠନ ତରଫରୁ ଆୟୋଜିତ ହୋଇଥିଲା ‘ଜୟ କିଷାନ୍’ କାର୍ଯ୍ୟକ୍ରମ। ଏଥିରେ ଯୋଗଦେଇଥିଲେ ଆନ୍ନା ହଜାରେ। ଚାଷୀଙ୍କୁ ନ୍ୟାୟ ଦେବା ଏବଂ ଲୋକତନ୍ତ୍ରକୁ ମଜଭୁତ କରିବା ପାଇଁ ଆହ୍ବାନ ଦେଇଛନ୍ତି ଏହି ଗାନ୍ଧିବାଦୀ ନେତା।

୨୨ ବର୍ଷରେ ୧୨ ଲକ୍ଷ ଚାଷୀଙ୍କ ଆତ୍ମହତ୍ୟା

କେବଳ ଓଡ଼ିଶାରେ ଚାଷୀ ଆତ୍ମହତ୍ୟା କରୁ ନାହାନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଚାଷୀ ଜୀବନ ହାରୁଛନ୍ତି। ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳୁ ନଥିବାରୁ ସେମାନେ ଆତ୍ମହତ୍ୟାର ରାସ୍ତା ବାଛି ନେଉଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାର ଚାଷୀ ଅପେକ୍ଷା ଶିଳ୍ପପତିଙ୍କ କତଶ ବେଶୀ ଚିନ୍ତା କରୁଥିବାରୁ ଗତ ୨୨ ବର୍ଷରେ ୧୨ ଲକ୍ଷ ଚାଷୀ ଆତ୍ମହତ୍ୟା କଲେଣି।

ଚାଷୀଙ୍କୁ ମିଳୁ ପେନ୍‌ସନ୍

ଚାଷୀ ଯେତିକି ଖଟୁଛି ସେତିକି ଫଳ ପାଉଛି। ଚାଷରୁ ସେ ଯାହା ରୋଜଗାର କରୁଛି ସେତିକିରେ ସେ ଘର ଚଳାଉଛି। ମାତ୍ର ବାର୍ଦ୍ଧକ୍ୟରେ ପଦାର୍ପଣ କରିବା ପରେ ସେ ଜମିରେ ଖଟି ପାରୁ ନାହିଁ। ସେତେବେଳେ ତାକୁ କେହି ଆହା ପଦେ କହୁ ନାହାନ୍ତି। ଏଣୁ ଚାଷୀମାନେ ୬୦ ବର୍ଷରେ ପଦାର୍ପଣ କରୁଥିବା ଚାଷୀଙ୍କ ପାଇଁ ପେନସନ୍‌ ବ୍ୟବସ୍ଥା କରିବାକୁ ଆନ୍ନା ହଜାରେ ଦାବି କରିଛନ୍ତି।

ଦେଶରେ ନାହିଁ ଲୋକତନ୍ତ୍ର

ଅହିଂସା ମାଧ୍ୟମରେ ଗାନ୍ଧିଜୀ ଦେଶରୁ ଇଂରେଜମାନଙ୍କୁ ବିଦା କରିଥିଲେ। ଲୋକତନ୍ତ୍ର ପ୍ରତିଷ୍ଠା ପାଇଁ ଗାନ୍ଧିଜୀ ସ୍ବପ୍ନ ଦେଖିଥିଲେ। ହେଲେ ସେ ସ୍ବପ୍ନ ଏପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ। ଦେଶ ସ୍ବାଧୀନତ ହୋଇଛି ସତ, ହେଲେ ଲୋକ ସ୍ବାଧୀନ ହୋଇ ନାହାନ୍ତି। ଲୋକମାନଙ୍କ ପାଇଁ, ଲୋକମାନଙ୍କର ଏବଂ ଲୋକମାନଙ୍କ ଦ୍ବାରା ପରିଚାଳିତ ଗଣତନ୍ତ୍ର ପ୍ରତିଷ୍ଠା ହେବା ଦରକାର।

ଦେଶ ସେବା ପାଇଁ ବାହା ହୋଇନି

୨୫ ବର୍ଷ ବୟସରୁ ମୁଁ ଦେଶ ସେବା କରୁଛି। ଦେଶ ସେବା କରିବା ପାଇଁ ମୁଁ ବାହା ହୋଇନି। କାରଣ ବିବାହ କଲେ ଦେଶ ସେବା କରି ହୋଇ ନଥାନ୍ତା। ଗାଁରେ ମୋର ଘର ଅଛି, ଜମିବାଡ଼ି ଏବଂ ମୋର ସମ୍ପର୍କୀୟମାନେ ଅଛନ୍ତି। ହେଲେ ମୁଁ ମୋର ସମ୍ପର୍କୀୟଙ୍କ ପିଲାଛୁଆଙ୍କୁ ଜାଣିପାରୁନି।

ମୋଦି ସରକାର ଉପରେ ବର୍ଷିଲେ

ଗାନ୍ଧିବାଦୀ ନେତା ଆନ୍ନା ହଜାରେ ନରେନ୍ଦ୍ର ମୋଦିଙ୍କ ସରକାର ଉପରେ ବର୍ଷିଛନ୍ତି। କହିଛନ୍ତି ଲୋକପାଳ ଦେଶରେ କାର୍ଯ୍ୟକାରୀ କରାଯାଉନି। ମୋଦି ସରକାର କ୍ଷମତାକୁ ଆସିବା ପରେ ଜନଲୋକପାଳ ବିଲ୍‌କୁ ଦୁର୍ବଳ କରି ଦେଇଛନ୍ତି।

 

Comment