ଓଡିଶାଲାଇଭ୍ ବ୍ୟୁରୋ

ମହାନଦୀରେ ବନ୍ୟା ଯୋଗୁଁ ନଦୀ ଅବବାହିକାରେ ଥିବା ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଆବଶ୍ୟକ ହେଲେ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିସ୍ଥିତି ବିଗୁଡ଼ୁଥିବାରୁ ଆଜି ନୟାଗଡ଼ ଏବଂ ଜଗତସିଂହପୁର ଜିଲ୍ଲାରେ ସ୍କୁଲ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। ଏଠାରେ ଦୁଇଦିନ ପାଇଁ ସ୍କୁଲ ବନ୍ଦ ରହିବ।

ଉଭୟ ନୟାଗଡ଼ ଏବଂ ଜଗତସିଂହପୁର ଜିଲ୍ଲାରେ ବନ୍ୟା ଯୋଗୁଁ ପାଣି ପଶିଥିବା କିମ୍ବା ପଶିବାର ସମ୍ଭାବନା ଥିବା ଅଞ୍ଚଳର ସ୍କୁଲଗୁଡ଼ିକ ବନ୍ଦ ରଖିବା ଲାଗି ବ୍ଲକ୍ ଏଜୁକେସନ ଅଫିସର (ବିଇଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ। ଏହା ସହିତ ସ୍କୁଲଗୁଡ଼ିକର ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ତଥା ମୂଲ୍ୟବାନ ସାମଗ୍ରୀ ସୁରକ୍ଷିତ ରଖିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

ଏହି ଦୁଇ ଜିଲ୍ଲାରେ କେବଳ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବନ୍ଦ ରହିବ। କିନ୍ତୁ ଶିକ୍ଷକ ଏବି ଶିକ୍ଷୟିତ୍ରୀ ଉପସ୍ଥିତ ରହିବାକୁ କୁହାଯାଇଛି ।

ନୟାଗଡ଼ ଜିଲ୍ଲାର ତିନିଟି ବ୍ଲକରେ ୩୨ଟି ସ୍କୁଲ ୨ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ଏହା ମଧ୍ୟରେ ରହିଛି ନୟାଗଡ଼ ସହରର ୭ଟି ସ୍କୁଲ, ଖଣ୍ଡପଡ଼ାର ୨ଟି, ଗଣିଆର ୧୧ଟି ଏବଂ ଭାପୁରର ୧୨ଟି ସ୍କୁଲ। ସେହିପରି ଜଗତସିଂହପୁର ଜିଲ୍ଲାର ପାଣି ପଶିଥିବା କିମ୍ବା ପଶିବାର ସମ୍ଭାବନା ରହିଥିବା ସ୍କୁଲଗୁଡ଼ିକୁ ବନ୍ଦ କରିବାକୁ ଘୋଷଣା କରାଯାଇଛି।

Tags: #FloodSituation #FloodInOdisha #Nayagarh #Jagatsingpur #School

Comment