ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ବିବାଦୀୟ ବୟାନ୍ ଦେଇଛନ୍ତି ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ପାଇକ ବିଦ୍ରୋହର ଅନ୍ତୁଡ଼ିଶାଳ ଖୋର୍ଦ୍ଧା ମାଟିରେ ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି କହି ଅଡ଼ୁଆରେ ପଡ଼ିଛନ୍ତି।
“ଜୟୀ ରାଜଗୁରୁ ନୁହନ୍ତି ସ୍ବାଧୀନତା ସଂଗ୍ରାମୀ। ଓଡ଼ିଶା ଦଖଲ ପାଇଁ ଇଂରେଜମାନେ ଜୟୀ ରାଜଗୁରୁଙ୍କୁ ପ୍ରଲୋଭିତ କରିଥିଲେ”, – ଏଭଳି ବିବାଦୀୟ ବୟାନ ଦେଇଛନ୍ତି ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ପାଇକ ବିଦ୍ରୋହର ଅନ୍ତୁଡ଼ିଶାଳ ଖୋର୍ଦ୍ଧା ମାଟିରେ ଏଭଳି ମନ୍ତବ୍ୟ ଦେଇ ଦାମ ପୁଣି ବିବାଦୀୟ ହୋଇ ଯାଇଛନ୍ତି। ଦାମଙ୍କୁ ଘେରିବା ପାଇଁ ବିରୋଧୀ ବିଜେପିକୁ ଆଉ ଏକ ଅସ୍ତ୍ର ମିଳିଛି।
‘ପାଇକ ବିଦ୍ରୋହ’କୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବି ହେଉଛି। ଏହାକୁ ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଏଥିରୁ ରାଜନୀତିକ ଫାଇଦା ନେବା ପାଇଁ ବିଜେଡି-ବିଜେପି ଭିତରେ ପ୍ରତିଯୋଗିତା ଚାଲିଥିବା ବେଳେ ଡାକ୍ତର ଦାମୋଦର ରାଉତଙ୍କୟ ବୟାନ ବିଜେଡିରେ କମ୍ପନ ସୃଷ୍ଟି କରିଛି।
ଗୁରୁବାର ସନ୍ଧ୍ୟାରେ ଖୋର୍ଦ୍ଧା ଲୋକ ମହୋତ୍ସବରେ ଅତିଥି ଭାବେ ଯୋଗଦେଇଥିଲେ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ଏହି ଅବସରରେ ସେ ଉପସ୍ଥିତ ଦର୍ଶକଙ୍କୁ ଉଦ୍ବୋଧନ ଦେଇଥିଲେ। ହେଲେ ସେ କହୁକହୁ ଏମିତି କଥା କହିଲେ ଯାହାକୁ ନେଇ ଏବେ ରାଜନୀତି ଉଠୁଛି ପଡ଼ୁଛି।
ଖୋର୍ଦ୍ଧା ମାଟିରେ ଯେଉଁ ମହାପୁରୁଷ ତଥା ସଂଗ୍ରାମୀ ଜୟୀ ରାଜଗୁରୁଙ୍କୁ ପୂଜା କରାଯାଉଛି ସେହି ମାଟିରେ ଡାକ୍ତର ରାଉତ ଜୟୀ ରାଜଗୁରୁଙ୍କ ଉଦ୍ଦେଶ୍ୟରେ ବିବାଦୀୟ ବୟାନ ଦେଇଛନ୍ତି।
କହିଛନ୍ତି, “ଜୟୀ ରାଜଗୁରୁ ୧୮୦୪ରେ ସଂଗ୍ରାମ କରିଥିଲେ ସତ। ହେଲେ ତାଙ୍କ ସଂଗ୍ରାମକୁ ସ୍ବାଧୀନତା ଆନ୍ଦୋଳନ କୁହାଯିବନି। କାରଣ ବ୍ରିଟିଶରମାନେ ତାଙ୍କ ପ୍ରତିଶ୍ରୁତି ମୁତାବକ ଦୁଇ ପ୍ରଗଣା ନଦେବାରୁ ଜୟୀ ରାଜଗୁରୁ ସଂଗ୍ରାମ କରିଥିଲେ। ୧୮୧୭ରେ ବକ୍ସିଜଗବନ୍ଧୁଙ୍କ ନେତୃତ୍ବରେ ଯେଉଁ ଆନ୍ଦୋଳନ ହୋଇଥିଲା ତାହା ସ୍ବାଧୀନତା ସଂଗ୍ରାମ।”
ଡାକ୍ତର ରାଉତ ଆହୁରି କହିଛନ୍ତି ଯେ, ସେ ଯେତେବେଳେ ସଂସ୍କୃତି ମନ୍ତ୍ରୀ ଥିଲେ ଐତିହାସିକ ବି ସି ରାୟଙ୍କ ନେତୃତ୍ବରେ ଏକ କମିଟି ଗଠନ କରିଥିଲେ। ଏହି କମିଟି ସେତେବେଳେ ଏକ ରିପୋର୍ଟ ଦେଇଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ, ଦୁଇଟି ପ୍ରଗଣା ପାଇଁ ଜୟୀ ରାଜଗୁରୁ ଇଂରେଜମାନଙ୍କ ବିରୋଧରେ ଲଢ଼େଇ କରିଥିଲେ।
ନିକଟରେ ଗଜପତି ମହାରାଜ କହିଥିଲେ ଯେ, ୧୮୦୪ରେ ଜୟୀ ରାଜଗୁରୁଙ୍କ ନେତୃତ୍ବରେ ଯେଉଁ ଆନ୍ଦୋଳନ ହୋଇଥିଲା ତାହା ପାଇକ ବିଦ୍ରୋହ। ୧୮୧୭ ମସିହାରୁ ବକ୍ସି ଜଗବନ୍ଧୁ ଏହି ଆନ୍ଦୋଳନକୁ ଆଗକୁ ନେଇଥିଲେ।
ଏବେ ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଜୟୀ ରାଜଗୁରୁଙ୍କୁ ସଂଗ୍ରାମୀ ନୁହନ୍ତି କହିବା ପରେ ବିବାଦ ଭିନ୍ନମୋଡ଼ ନେଇଛି। ଏହାକୁ ବହୁ ଐତିହାସିକ ଏବଂ ବିଜେପି ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ନିନ୍ଦା କରିଛନ୍ତି।








ପୁଣି ବିବାଦୀୟ ବୟାନ୍ ଦେଇଛନ୍ତି ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ପାଇକ ବିଦ୍ରୋହର ଅନ୍ତୁଡ଼ିଶାଳ ଖୋର୍ଦ୍ଧା ମାଟିରେ ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି କହି ଅଡ଼ୁଆରେ ପଡ଼ିଛନ୍ତି।









