ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ସଂକ୍ରମଣ ଚିନ୍ତା ବଢ଼ାଇଛି। ଗତ ୭ ଦିନ ମଧ୍ୟରେ ରାଜ୍ୟରୁ ମୋଟ୍ ୫ ହଜାର ୨୩୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯୪୦ ଜଣ ପଜିଟିଭ୍ ରହିଛନ୍ତି। ସେହିପରି ଏହି ୭ ଦିନ ମଧ୍ୟରେ କେବଳ ରାଜଧାନୀ ଭୁବନେଶ୍ଵରରୁ ରହିଛନ୍ତି ୯୩୧ ଜଣ କରୋନା ଆକ୍ରାନ୍ତ।

ରାଜ୍ୟରେ ଏବେ ଦୈନିକ କରୋନା କେସ୍ ୨ ହଜାର ମୁହାଁ ହୋଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୮୯୭ ଜଣ ନୂଆ କରୋନା ପଜିଟିଭ୍ ବାହାରିଛନ୍ତି, ଯାହାକି ରାଜ୍ୟରେ ଏବର୍ଷର ସର୍ବାଧିକ ଦୈନିକ ସଂକ୍ରମଣ।  ଡିସେମ୍ଵର ୩୦ ତାରିଖଠାରୁ ଜାନୁଆରି ୫ ତାରିଖ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ଦୈନିକ ସଂକ୍ରମଣକୁ ଯଦି ଅନୁଶୀଳନ କରାଯାଏ ତେବେ ଡିସେମ୍ଵର ୩୦ରେ ଖୋର୍ଦ୍ଧା ଜିଲ୍ଲାରୁ ୧୦୫ ଜଣ, ୩୧ ତାରିଖରେ ୧୧୯ ଜଣ, ଜାନୁଆରି ୧ ତାରିଖରେ ୧୭୭ ଜଣ, ୨ ତାରିଖରେ ୧୫୧ ଜଣ, ୩ ତାରିଖରେ ୨୬୩ ଜଣ, ୪ ତାରିଖରେ ୪୫୬ ଜଣ ଏବଂ ୫ ତାରିଖରେ ଏହି ସଂକ୍ରମଣ ୬୬୯ ଜଣରେ ପହଞ୍ଚିଛି।ସେହିପରି କେବଳ ଭୁବନେଶ୍ଵର ମହାନଗର ନିଗମରେ ଗତ ୭ ଦିନ ମଧ୍ୟରେ ଦୈନିକ କୋଭିଡ୍ ପଜିଟିଭ୍ କେସ୍ ୯୦୦ ପାର୍ କରିଛି। ଡିସେମ୍ଵର ୩୦ ତାରିଖରୁ ଜାନୁଆରି ୫ ତାରିଖ ମଧ୍ୟରେ ରାଜଧାନୀ ଭୁବନେଶ୍ଵରରୁ ଯଥାକ୍ରମେ ୭୯ ଜଣ, ୮୭ ଜଣ, ୧୧୨ ଜ, ୭୯ ଜଣ, ୯୧ ଜଣ, ୧୪୨ ଜଣ ଓ ୩୪୧ ଜଣ କରୋନା ଆକ୍ରାନ୍ତ ବାହାରିଛନ୍ତି।ଭୁବନେଶ୍ଵରର ୧୪ଟି ସ୍ଥାନରେ କଣ୍ଟେନମେଣ୍ଟ୍ ଜୋନ୍

କୋଭିଡ୍ ସଂକ୍ରମଣ ବଢୁଥିବାରୁ ରାଜାଧାନୀ ଭୁବନେଶ୍ଵରକୁ ପୁଣି କଣ୍ଟେନମେଣ୍ଟ୍ ଜୋନ୍ କଟକଣା ଫେରିଛି। ଗୁରୁବାର ସୁଦ୍ଧା ଭୁବନେଶ୍ଵରରେ ମୋଟ୍ ୧୪ଟି ସ୍ଥାନକୁ କଣ୍ଟେନମେଣ୍ଟ୍ ଜୋନୁ ଘୋଷଣା କରିଛି ଭୁବନେଶ୍ଵର ମହାନଗର ନିଗମ। ଜାନୁଆରି ୫ ତାରିଖ ଦିନ ବିଏମ୍‌ସି ଉତ୍ତର ଓ ଦକ୍ଷିଣପୂର୍ବ ଜୋନ୍ ପକ୍ଷରୁ ୫ଟି ଲେଖାଏଁ ମୋଟ ୧୦ଟି ସ୍ଥାନକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଥିଲା। ଆଜି ନୟାପଲ୍ଲୀ ଓ ଭୀମପୁରରେ ଗୋଟିଏ ଲେଖାଏଁ ଏବଂ ଶ୍ରୀକ୍ଷେତ୍ର ବିହାରରେ ୨ଟି ସ୍ଥାନକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି।

Comment