ଓଡ଼ିଶାଲାଇଭ୍ ବ୍ୟୁରୋ
କୁନ୍ଦୁଲି ଗଣଦୁଷ୍କର୍ମକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ପୀଡ଼ିତାଙ୍କୁ ଏସ୍ସିବି ମେଡ଼ିକାଲରୁ ଜାଣିଶୁଣି ଛଡ଼ା ଯାଉ ନଥିବା ପୀଡ଼ିତାର ମାଆ ଅଭିଯୋଗ କରିଛନ୍ତି। ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କଟକ ମଙ୍ଗଳାବାଗ ଥାନାରେ ସେ ଦେଇଛନ୍ତି ଏତଲା।
ସମୟ ଯେତିକି ଗଡ଼ୁଛି କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ସେତିକି ଟୁଇଷ୍ଟ ଆସୁଛି। ଏହି ଗଣଦୁଷ୍କର୍ମ ଉପରୁ ପରଦା ହଟୁ ନଥିବାରୁ ଘଟଣା ଭିନ୍ନ ମୋଡ଼ ନେଉଛି। ପୋଲିସର ତଦନ୍ତ ଉପରେ ଆଙ୍ଗୁଳି ଉଠାଇଥିବା ପୀଡ଼ିତାଙ୍କ ପରିବାର ଏବେ ଆଉ ଏକ ଅଭିଯୋଗ ଆଣିଛନ୍ତି। କଟକ ଏସ୍ସିବି ମେଡିକାଲରୁ ପୀଡ଼ିତାଙ୍କୁ ଜାଣିଶୁଣି ଛଡ଼ା ଯାଉ ନଥିବା ପୀଡ଼ିତାଙ୍କ ମାଆ ଅଭିଯୋଗ କରିଛନ୍ତି। ଏନେଇ ସେ ଶନିବାର କଟକ ମଙ୍ଗଳାବାଗ ଥାନାରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ନାଁରେ ଏତଲା ଦେଇଛନ୍ତି।
କିଛିଦିନ ତଳେ କନ୍ଦୁଲି ପୀଡ଼ିତା ଗୁରୁତର ହୋଇଯାଇଥିଲେ। ତାଙ୍କୁ କଟକ ଏସ୍ସିବି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଅଧିକ ଆଇରନ୍ ବଟିକା ଖାଇ ଦେଇଥିବାରୁ ସେ ଗୁରୁତର ହୋଇଯାଇଥିବା ମେଡିକାଲ ତରଫରୁ କୁହାଯାଇଥିଲା। ପୀଡ଼ିତାଙ୍କୁ ମେଡିସିନ୍ ବିଭାଗ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲା। ଏଥିପାଇଁ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା।
ମେଡିସିନ୍ ବିଭାଗରୁ ଶୁକ୍ରବାର ପୀଡ଼ିତାଙ୍କୁ ମାନସିକ ରୋଗ ଗବେଷଣା ପ୍ରତିଷ୍ଠାନ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ପୀଡ଼ିତାର ମାଆ ଅସନ୍ତୋଷ ଜାହିର କରିଛନ୍ତି। କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ସହାୟତାରେ ସେ ମେଡିକାଲ କର୍ତ୍ତୃପକ୍ଷଙ୍କ ନାଁରେ ଅଭିଯୋଗ କରିଛନ୍ତି।
ଏସ୍ସିବି ମେଡିକାଲରେ ଭର୍ତ୍ତି ହେବା ପରେ ପୀଡ଼ିତାକୁ ଭେଟିବା ପାଇଁ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ବରେ ଏକ ଟିମ୍ ଯାଇଥିଲା। ହେଲେ ତାଙ୍କୁ ଭେଟିବା ପାଇଁ ଅନୁମତି ଦିଆଯାଇ ନଥିଲା। ସେହିପରି ବିଜେପି ପ୍ରତିନିଧି ଦଳକୁ ମଧ୍ୟ ପୀଡ଼ିତାଙ୍କ ପାଖକୁ ଛଡ଼ା ଯାଇ ନଥିଲା। ଏହାକୁ ନେଇ ଉଭୟ ବିଜେପି ଏବଂ କଂଗ୍ରେସ ପ୍ରତିବାଦ କରିଥିଲେ। ପ୍ରତିଦିନ ପୀଡ଼ିତାର ସ୍ବାସ୍ଥ୍ୟ ସମ୍ପର୍କରେ ବୁଲେଟିନ୍ ଜାରି କରିବାକୁ ଦାବି କରିଥିଲେ।








କୁନ୍ଦୁଲି ଗଣଦୁଷ୍କର୍ମକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ପୀଡ଼ିତାଙ୍କୁ ଏସ୍ସିବି ମେଡ଼ିକାଲରୁ ଜାଣିଶୁଣି ଛଡ଼ା ଯାଉ ନଥିବା ପୀଡ଼ିତାର ମାଆ ଅଭିଯୋଗ କରିଛନ୍ତି। ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କଟକ ମଙ୍ଗଳାବାଗ ଥାନାରେ ସେ ଦେଇଛନ୍ତି ଏତଲା।









