ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଷୀର ହକ୍‌ ମାଗିଛି ବିଜେଡି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି କରି ବିଜେଡି ସୋମବାର ରାଜରାସ୍ତାକୁ ଓହ୍ଲାଇଛି।

ଧାନର ଏମ୍‌ଏସ୍‌ପି ବୃଦ୍ଧି ପ୍ରସଙ୍ଗକୁ ନେଇ ସୋମବାର କେନ୍ଦ୍ର ଉପରେ ବର୍ଷିଛି ଶାସକ ବିଜେଡି। ରାଜଭବନ ସମ୍ମୁଖରେ ପ୍ରତିବାଦ କରି ଚାଷୀଙ୍କ ହକ୍ ମାଗିଛି ଶାସକ ଦଳ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୫୫୦ରୁ ୨୯୩୦ ଟଙ୍କା କରିବାକୁ ବିଜେଡି ଦାବି କରିଛି। ଏନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ଡକ୍ଟର ଏସ୍‌ ସି ଜମୀରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ବିଜେଡି କୃଷକ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ କେନ୍ଦ୍ର କୃଷି ମନ୍ତ୍ରାଳୟ ଏହାକୁ ଖାରଜ କରି ଦେଇଥିଲେ। ବିଧାନସଭାର ଉପମୁଖ୍ୟ ସଚେତକ ରୋହିତ ପୂଜାରୀଙ୍କ ନିକଟକୁ କୃଷି ମନ୍ତ୍ରାଳୟ ଚିଠି ଲେଖି ଏମ୍‌ଏସ୍‌ପି ବୃଦ୍ଧି ହୋଇ ପାରିବ ନାହିଁ ବୋଲି ମନା କରିଥିଲେ। ଏହାକୁ ନେଇ ବିଜେଡି ପ୍ରତିବାଦ କରିଥିଲା।

ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ବିଜେଡି ନେତା ସଞ୍ଜୟ ଦାସବର୍ମା, ରୋହିତ ପୂଜାରୀ ପ୍ରମୁଖ ସାମ୍ବାଦିକ ସମ୍ମିଳନୀ ଡାକି କେନ୍ଦ୍ର ଉପରେ ବର୍ଷିବା ପରେ ଆଜି ରାଜଭବନ ସମ୍ମୁଖରେ ପ୍ରତିବାଦ କରିଛି। କେନ୍ଦ୍ର ଓଡ଼ିଶାର ଚାଷୀଙ୍କୁ ଉପହାସ କରିଛି ବୋଲି ବିଜେଡି ଅଭିଯୋଗ କରିଛି।

ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ଅନୁଷ୍ଠିତ ଆନ୍ତଃରାଜ୍ୟ କାଉନସିଲ ଷ୍ଟାଣ୍ଡିଂ କମିଟି ବୈଠକରେ ଏମ୍‌ଏସ୍‌ପି ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି।

ରାଜଭବନ ସମ୍ମୁଖରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବରିଷ୍ଠ ବିଜେଡି ନେତାଙ୍କ ସମେତ କୃଷକ ସେଲ୍‌ ଏବଂ ମହିଳା ମୋର୍ଚ୍ଚାର ସଦସ୍ୟମାନେ ଉପସ୍ଥିତ ଥିଲେ। ହାତରେ ପ୍ଲାକାର୍ଡ ଧରି କେନ୍ଦ୍ର ବିରୋଧରେ ସ୍ଲୋଗାନ ଦେଇଥିଲେ।

 

LEAVE A REPLY

Please enter your comment!
Please enter your name here