ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସିଲା ଫସଲହାନି ରିପୋର୍ଟ। ୨୬ଟି ଜିଲ୍ଲାର ଜିଲ୍ଲାପାଳ ଏସ୍‌ଆର୍‌ସିଙ୍କୁ ଦେଇଛନ୍ତି ଏହି ରିପୋର୍ଟ। ୧୩୫ ବ୍ଲକର ୩ ଲକ୍ଷ ୮୪ ହଜାର ହେକ୍ଟର ଚାଷଜମିରେ ଉଜୁଡ଼ି ଯାଇଛି ଫସଲ।

ଉଜୁଡ଼ି ଯାଇଛି ଚାଷ। ଅଦିନିଆ ବର୍ଷା ଭାଙ୍ଗି ଦେଇଛି ଚାଷୀର ମେରୁଦଣ୍ଡ। ଏହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଥିବା ବେଳେ ଆଜି ଫସଲହାନି ରିପୋର୍ଟ। ୨୬ଟି ଜିଲ୍ଲାର ଜିଲ୍ଲାପାଳ ଆଜି ରାଜ୍ୟ ସରକାରଙ୍କୁ ଦେଇଛନ୍ତି ଏହି ରିପୋର୍ଟ। ୧୯ଟି ଜିଲ୍ଲାର ୧୩୫ ବ୍ଲକରେ ଫସଲ ଉଜୁଡ଼ି ଯାଇଥିବା ସ୍ବତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଦେଇଛନ୍ତି ସୂଚନା।

୧୯ଟି ବ୍ଲକର ୨୪୩୫ ପଞ୍ଚାୟତ ଏବଂ ୩୫ଟି ପୌରାଞ୍ଚଳରେ ଦେଖାଦେଇଛି ଅଭାବନୀୟ ଘଟଣା। ଅଦିନିଆ ବର୍ଷା ଚାଷୀ ମୁହଁରୁ ଛଡ଼ାଇ ନେଇଛି ବର୍ଷକର ଆହାର। ଫଳରେ ଚାଷୀ ମୁଣ୍ଡରେ ହାତଦେଇ ବସିଛି। ଲଗାଣ ବର୍ଷାରେ ୩ ଲକ୍ଷ ୮୪ ହଜାର ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି।

ଚକଡ଼ା ପୋକର ଦୌରାତ୍ମ୍ୟ ପରେ ରାଜ୍ୟରେ ଆରମ୍ଭ ହୋଇଥିଲା ଲଗାଣ ବର୍ଷା। ଦକ୍ଷିଣ ସମେତ ଉପକୂଳ ଓଡ଼ିଶାରେ ଭୟାବହ ହୋଇଥିଲା ପରିସ୍ଥିତି। ପାଚିଲା ଧାନକୁ ଭିଜାଇ ଦେଇଥିଲା ବର୍ଷା। ଏହି ଫସଲହାନି ଯୋଗୁ ବହୁ ଚାଷୀ ପ୍ରାଣ ହରାଇଥିଲେ। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳଙ୍କ ସହ କରିଥିଲେ ଆଲୋଚନା। ୨୫ ତାରିଖ ସୁଦ୍ଧା ଫସଲହାନି ରିପୋର୍ଟ ଦେବାକୁ ଦେଇଥିଲେ ନିର୍ଦ୍ଦେଶ।

 

Comment