ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଜାରି ରହିଛି ବର୍ଷା ବିତ୍ପାତ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। ବୁଧବାର ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ୧୩ଟି ଜିଲ୍ଲାରେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସ୍କୁଲ ବନ୍ଦ କରିବା ପାଇଁ ଜିଲ୍ଲାପାଳମାନେ ନିର୍ଦେଶ ଦେଇଛନ୍ତି।

ବୁଧବାର ସ୍କୁଲ ଛୁଟି ରହିଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ସମ୍ବଲପୁର, ସୋନପୁର, ବୌଦ୍ଧ, ନୟାଗଡ଼ ସାମିଲ ରହିଛନ୍ତି। ସବୁ ଜିଲ୍ଲାରେ ଜିଲ୍ଲାପାଳଙ୍କ ନିର୍ଦେଶ ପରେ ଜିଲ୍ଲା ଶିକ୍ଷା ଅଧିକାରୀମାନେ ସ୍କୁଲ ବନ୍ଦ ନେଇ ସୂଚନା ଦେଇଛନ୍ତି।

ସେହିପରି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର ଜିଲ୍ଲାରେ ମଧ୍ୟ ସବୁ ସ୍କୁଲ ବନ୍ଦ ରହିଛି। ସବୁ ଜିଲ୍ଲାରେ ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇଛି।

ଅନ୍ୟପଟେ ବର୍ଷା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର, ବୌଦ୍ଧ, ସୋନପୁର, ବଲାଙ୍ଗିର ଆଦି ଜିଲ୍ଲାର କେତେକ ଅଞ୍ଚଳରେ ୪ ଫୁଟରୁ ଅଧିକ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଏହି ସବୁ ଜିଲ୍ଲାରେ ଅନେକ ରାସ୍ତା ଜଳମଗ୍ନ ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ସେହିପରି ପ୍ରବଳ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲା ଜୁଡ଼ିଆ ଘାଟିରେ ଭୂସ୍ଖଳନ ଘଟିଥିବାରୁ କଲିକତା-ମୁମ୍ବାଇ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ଵରେ ଯାତାୟାତ ବନ୍ଦ ହୋଇଛି। ସେହିପରି ବର୍ଷା ପାଇଁ ବଲାଙ୍ଗିର ଜିଲ୍ଲାର ମା’ ପାଟଣେଶ୍ଵରୀଙ୍କ ମନ୍ଦିରରେ ପାଣି ପଶିଯାଇଛି।

ଅନ୍ୟପଟେ ରାଜଧାନୀ ଭୁବନେଶ୍ଵରରେ ଦୁଇ ଦିନରୁ ଜାରି ରହିଥିବା ଲଗାଣ ବର୍ଷା ସବୁ ରେକର୍ଡ ଭଙ୍ଗିଛି। ଏଥିପାଇଁ ଭୁବନେଶ୍ଵରର ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଅନେକ ଅଞ୍ଚଳରେ ଘରେ ଡ୍ରେନ ପାଣି ପଶିଯାଇଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଏହା ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ବୁଧବାର ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଏବଂ ସୁନ୍ଦରଗଡ଼, ବଲାଙ୍ଗିର, ବୌଦ୍ଧ, ସୋନପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଆଦି ୧୦ଟି ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି।

Tags: #HeavyRain #SchoolClosed #LowPressure #FloodSituation #Odisha

 

Comment