ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଣାର୍କ ଉତ୍ସବ ଏବଂ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ପାଇଁ ବୁଧବାର ପର୍ଯ୍ୟଟନ ବିଭାଗ ତରଫରୁ କରାଯାଇଛି ସାମ୍ବାଦିକ ସମ୍ମିଳନୀ। ବାଲୁକା କଳା ଉତ୍ସବରେ ଆନ୍ତର୍ଜାତିକ ବାଲୁକା କଳା ଶିଳ୍ପୀ ସାମିଲ୍‌ ହେଉଥିବା ବେଳେ କୋଣାର୍କ ଉତ୍ସବରେ ଖ୍ୟାତନାମା କଳାକାର ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିବେ।

“ପ୍ରତିବର୍ଷ ଭଳି ଚଳିତବର୍ଷ ଡିସେମ୍ବର ୧ରୁ ଆରମ୍ଭ ହେଉଛି କୋଣାର୍କ ଉତ୍ସବ ଏବଂ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ। କୋଣାର୍କ ଉତ୍ସବ ମଞ୍ଚରେ ଚଳିତବର୍ଷ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିବା ପାଇଁ ଭାରତ ବାହାରୁ ଆସୁଛନ୍ତି ୧୦ ଜଣ ଖ୍ୟାତନାମା ନୃତ୍ୟଶିଳ୍ପୀ। ଏହାସହ ବାଲୁକା କଳା ଉତ୍ସବରେ ବହୁ ଆନ୍ତର୍ଜାତିକ ବାଲୁକା କଳା ଶିଳ୍ପୀ ଯୋଗଦେବେ”, ଭୁବନେଶ୍ୱର ପାନ୍ଥନିବାସଠାରେ ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି।

ଭୁବନେଶ୍ୱରରୁ ମାଲେସିଆକୁ ସିଧାସଳଖ ବିମାନସେବା ଆରମ୍ଭ ହୋଇଛି। ଫଳରେ ଅଧିକରୁ ଅଧିକ ମାଲେସିଆ ପର୍ଯ୍ୟଟକ ଓଡ଼ିଶା ଆସୁଛନ୍ତି। ଏଣୁ ୫ ଦିନ ଧରି ହେବାକୁ ଥିବା କୋଣାର୍କ ଉତ୍ସବ ମଞ୍ଚରେ ନୃତ୍ୟ ପରିବେଷଣ ପାଇଁ ଦୁଇଗୋଟି ଶାସ୍ତ୍ରୀୟ ନୃତ୍ୟ ଦଳ ମାଲେସିଆରୁ ଆସୁଛନ୍ତି।

ମାଲେସିଆର ଟେମ୍ପୁଲ୍‌ ଅଫ୍ ଫାଇନ୍ ଆର୍ଟ ପକ୍ଷରୁ ଭାରତନାଟ୍ୟମ ଏବଂ ରାମ୍‌ଲି ଇବ୍ରାହିମ୍‌ଙ୍କ ଦ୍ୱାରା ପରିଚାଳିତ ସୂତ୍ର ଫାଉଣ୍ଡେସନ୍ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ। ଏହାସହ କୋଲକାତାର ଡୋନା ଗାଙ୍ଗୁଲି ଓ ସାଥୀଙ୍କ ଦ୍ୱରା ଓଡ଼ିଶୀ, ନିରୁପମା ରାଜେନ୍ଦ୍ର ଏବଂ ସାଥୀଙ୍କ ତରଫରୁ କଥକ, ବନଶ୍ରୀ ରାଓ ଏବଂ ସାଥୀଙ୍କ ତରଫରୁ କୁଚିପୁଡି, ବିମ୍ବାବତୀ ଓ ସାଥୀଙ୍କ ତରଫରୁ ମଣିପୁରୀ, ମୁମ୍ବାଇର କୈଶିକୀ ଓ ସାଥୀଙ୍କ ତରଫରୁ ଓଡ଼ିଶୀ, କନକ ରେଲେ ଓ ଗ୍ରୁପଙ୍କ ତରଫରୁ ମୋହିନୀ ଆଟ୍ଟମ୍ ନୃତ୍ୟ ପରିବେଷଣ କରାଯିବ।

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ନୁପୁର ନୃତ୍ୟ ଏକାଡେମୀ ତରଫରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ।

କୋଣାର୍କ ଉତ୍ସବ ଏବଂ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ସ୍ୱତନ୍ତ୍ର ଭ୍ରାମ୍ୟମାଣ ପ୍ୟାକେଜ୍ ଘୋଷଣା କରିଛି। ଏହି ଉତ୍ସବ ପାଇଁ ୩ ପ୍ରକାରର ଟିକେଟ ବ୍ୟବସ୍ଥା କରାଯାଇଛି। ୫ ଦିନ ପାଇଁ ୪୦୦ ଟଙ୍କା ରହିଥିବା ବେଳେ ମୁଖ୍ୟ ପ୍ରବେଶ ପଥରେ ପ୍ରବେଶ କରିବା ପାଇଁ ପ୍ରତିଦିନ ୧୦୦ ଟଙ୍କା ରହିଛି। ଏହାଛଡ଼ା ପାର୍ଶ୍ବ ଗ୍ୟାଲେରୀ ଚେୟାର ପାଇଁ ପ୍ରତିଦିନ ୨୦ ଟଙ୍କା ରଖାଯାଇଛି।

ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ନୀତିନ ଭାନୁଦାସ ଜୱାଲେ, ପର୍ଯ୍ୟଟନ ବିଭାଗର ଉପ-ନିର୍ଦ୍ଦେଶକ ଉତ୍ପଳ କୁମାର ପତି ଏବଂ ଓଟିଡିସି ଜେନେରାଲ ମ୍ୟାନେଜର ଏସ୍‌ ବି କେ ପ୍ରଧାନ ଉପସ୍ଥିତ ଥିଲେ।

Comment