ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳିଙ୍ଗ ଷ୍ଟାଡିୟମର ହକି କମ୍ପ୍ଲେକ୍ସ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆଜି ଅପରାହ୍ନ ୪.୪୫ ମିନିଟରେ ବାଜିବ ହକି ବିଶ୍ୱଲିଗ୍‌ର ବିଗୁଲ୍‌। ସନ୍ଧ୍ୟା ୬.୩୦ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ ହକି ବିଶ୍ୱଲିଗ୍। ସନ୍ଧ୍ୟା ୭.୩୦ମିନିଟରେ ଆରମ୍ଭ ହେବ ବହୁ ପ୍ରତିକ୍ଷିତ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍। ହକିପ୍ରେମୀଙ୍କ ମଧ୍ୟରେ ଦେଖାଯାଉଛି ବହୁ ଉତ୍କଣ୍ଠା।

ଡିସେମ୍ବର ୧ରୁ ୧୦ ତାରିଖ ମଧ୍ୟରେ ହେବାକୁ ଯାଉଥିବା ଏହି ହକି ୱାର୍ଲଡ୍‍ ଲିଗର ତୃତୀୟ ସଂସ୍କରଣରେ ବିଶ୍ୱର ମୋଟ୍ ୮ଟି ଟିମ୍ ଅଂଶଗ୍ରହଣ କରୁଛନ୍ତି। ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲ୍‌ଜିଅମ୍, ନେଦରଲ୍ୟାଣ୍ଡ, ଜର୍ମାନୀ, ଭାରତ, ଇଂଲଣ୍ଡ, ସ୍ପେନ୍ ପରି ଦଳମାନେ ଲିଗରେ ନିଜର ପ୍ରଦର୍ଶନ କରିବେ।

ରାଜଧାନୀରେ ଏବେ ହକି ଫିଦର। ଏହି ହକି ମ୍ୟାଚର ମଜାନେବା ପାଇଁ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି। ଭାରତୀୟ ଦଳରେ ପୁଣି ରାଜ୍ୟର ୩ ଓଡ଼ିଆ ଖେଳାଳି, ଦୀପସାନ ତିର୍କୀ, ବୀରେନ୍ଦ୍ର ଲାକ୍ରା, ଅମିତ୍ ରୋହିଦାସଙ୍କ ପରି ଖେଳାଳି ସାମିଲ ହୋଇଥିବାରୁ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍ସାହ ଦ୍ୱିଗୁଣିତ ହୋଇଯାଇଛି। ଭାରତ ମ୍ୟାଚ୍ ଥିବା ଦିନଗୁଡ଼ିକରେ ଟିକେଟ୍ କାଉଣ୍ଟରରେ ଟିକେଟଗୁଡ଼ିକ ଅଧିକାଂଶ ବିକ୍ରି ସରିଛି। ଟିକେଟ୍ କିଣିବା ପାଇଁ ଷ୍ଟାଡିୟମ ଫ୍ରଣ୍ଟରେ ଥିବା ଟିକେଟ କାଉଣ୍ଟରରେ ଭିଡ଼ ମଧ୍ୟ ପରିଲକ୍ଷିତ ହେଉଛି। ଷ୍ଟାଡିୟମର ମୁଖ୍ୟ ରାସ୍ତାରୁ ଜୟଦେବ ବିହାର ଛକଯାଏଁ ୮ଟି ଦେଶର ପତାକା ଟଙ୍ଗା ଯିବା ସହ ଷ୍ଟାଡିୟମ ପରିସରକୁ ସୁସଜ୍ଜିତ କରାଯାଇଛି। ରାତିର ଆଲୋକମାଳା କଳିଙ୍ଗ ଷ୍ଟାଡିୟମର ଶୋଭାକୁ ଦ୍ୱିଗୁଣିତ କରିଦେଇଛି।

ପୋଲିସ୍ ଡିଜି ଏବଂ ବହୁ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସହ ମୋଟ୍ ୨୫ ପ୍ଲାଟୁନ୍ ପୋଲିସଙ୍କର କଡା ନଜର କଳିଙ୍ଗ ଷ୍ଟାଡିୟମ ଉପରେ। ଦର୍ଶକମାନେ ବ୍ୟାଗ୍, ପାଣିବୋତଲ ସହ ଦିଆସିଲି ଓ ଧାରୁଆ ଅସ୍ତ୍ର ଆଦି ଷ୍ଟାଡିୟମ ପରିସରକୁ ନ ନେବା ପାଇଁ ବାରଣ କରାଯାଇଛି। ଟ୍ରାଫିକ ମଧ୍ୟ ସଜାଗ କରାଯାଇଛି।

୧୦ ଦିନ ମଧ୍ୟରେ ମୋଟ୍ ୨୨ଟି ମ୍ୟାଚ୍ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟର ବିଜେତା ସିଧାସଳଖ ୨୦୧୮ ଚାମ୍ପିଆନ୍ସି ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ କରିବ। ଏହି ପ୍ରତିଯୋଗିତା ନେଦରଲ୍ୟାଣ୍ଡର ଆସନ୍ତା ବର୍ଷ ଜୁନ୍/ଜୁଲାଇରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଗତ ହକି ପ୍ରତିଯୋଗିତାରେ ଭାରତ ତୃତୀୟ ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆ ଚାମ୍ପିୟାନ୍ ହୋଇଥିଲା।

ଗତ କିଛିଦିନ ପୂର୍ବରୁ ଭାରତୀୟ ହକି ଦଳର ନୂଆ କୋଚ୍ ଭାବେ ଯୋଗଦେଇଛନ୍ତି ସୋର୍ଡ ମାରିନେ। ରୋଲାଣ୍ଟ ଓଲ୍ଟମାନ୍ସଙ୍କ ସ୍ଥାନରେ ଗୁରୁଦାୟିତ୍ୱ ଦିଆଯାଇଛି ସୋର୍ଡ ମାରିନେଙ୍କୁ। ନୂତନ କୋଚ୍ ଭାବେ ସୋର୍ଡ ମାରିନେଙ୍କ ପାଇଁ ହକି ବିଶ୍ୱ ଲିଗ୍ ଫାଇନାଲ୍ ଅଗ୍ନିପରୀକ୍ଷା ସଦୃଶ। ମାରିନେ କିନ୍ତୁ ଦଳର ପ୍ଲେଇଂଷ୍ଟାଇଲକୁ କିମ୍ବା ରଣନୀତିରେ ବିଶେଷ ପରିବର୍ତ୍ତନ ନକରି ଖେଳାଳିମାନଙ୍କ ମନୋଭାବକୁ ଗୁରୁତ୍ୱ ଦେଇଛନ୍ତି।

ଗୁରୁବାରରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ କହିଛନ୍ତି ଯେ, ଅଷ୍ଟ୍ରେଲିଆ ବିପକ୍ଷରେ ଆମ ଦଳ ପ୍ରସ୍ତୁତ। ଆମ ଦଳର ଅଧିକାଂଶ ଯୁବ ଖେଳାଳି ରହିଛନ୍ତି। ପ୍ରତି ମ୍ୟାଚ୍ ଜିତିବାର ପାଇଁ ଆମକୁ ଅନେକ ସୁଯୋଗ ସୃଷ୍ଟି କରିବାକୁ ପଡ଼ିବ। ପ୍ରତି ସୁଯୋଗକୁ ଗୋଲ୍‌ରେ ପରିଣତ କରିବା ଆମର ମୂଳ ଲକ୍ଷ୍ୟ ହେବ। ଆମେ କୌଣସି ସୁଯୋଗ ହାତଛଡ଼ା କରିବୁ ନାହିଁ।

ବ୍ୟକ୍ତିଗତ ଭାବେ ମୁଁ ମୋର ୨୦୦ତମ ଇଂନିସ୍ ଏଠାରେ ଖେଳିବାକୁ ଯାଉଥିବାରୁ ମୁଁ ବହୁତ ଉତ୍ସାହିତ।

Comment