ଓଡ଼ିଶାଲାଇଭ୍ ବ୍ୟୁରୋ

ଦର୍ଶକଙ୍କୁ ମତୁଆଲା କରିଛି କୋଣାର୍କ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା। କଥକ ଏବଂ ଓଡ଼ିଶୀ ନୃତ୍ୟରେ ବିଭୋର ହୋଇଛନ୍ତି ଦର୍ଶକ। ଅଭିନବ ଡ୍ୟାନ୍ସ କମ୍ପାନିର କଥକ ଏବଂ ଡୋନା ଗାଙ୍ଗୁଲି ଓ ସାଥୀଙ୍କ ଦ୍ୱାରା ପରିବେଷିତ ଓଡ଼ିଶୀ ଆଜି ସନ୍ଧ୍ୟାର ଥିଲା ମୁଖ୍ୟ ଆକର୍ଷଣ।

କୋଣାର୍କ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ମତୁଆଲା କରିଛି କଥକ ଏବଂ ଓଡ଼ିଶୀ ନୃତ୍ୟ। କଥକରେ ନଟରାଜ ଶିବ-ପାର୍ବତୀଙ୍କ ନୃତ୍ୟ ଆଧାରିତ ଚତୁରଙ୍ଗ ପରିବେଷଣ କରାଯାଇଥିବା ବେଳେ ଓଡ଼ିଶୀରେ ଶାନ୍ତାକାରମ ଶୁଦ୍ଧନୃତ୍ୟ ଏବଂ ଅର୍ଦ୍ଧନାରୀଶ୍ୱର ପରିବେଷଣ କରାଯାଇଥିଲା।

ସଞ୍ଜ ନଇଁବା ପରେ ରଙ୍ଗିନ୍ ହୋଇଯାଇଥିଲା କୋଣାର୍କର ମୁକ୍ତାକାଶ ରଙ୍ଗ ମଞ୍ଚ। ଆଉ ଭରପୁର ଦର୍ଶକଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା ଦ୍ୱିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମ। ଏହାକୁ ଉଦଘାଟନ କରିଥିଲେ ତେଲେଙ୍ଗାନା ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ କାଦିଆମ ଶ୍ରୀହରି।

ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ଅଥରିଟି ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ପୂର୍ବତନ ମୁଖ୍ୟ ଶାସନ ସଚିବ ପି କେ ତ୍ରିପାଠୀ, ସଂସ୍କୃତି ଗବେଷକ ଡକ୍ଟର ସୁବାସ ପାଣି, ପର୍ଯ୍ୟଟନ ନିର୍ଦ୍ଦେଶକ ଡକ୍ଟର ନୀତିନ ଭାନୁଦାସ ଜୱାଲେ, ସଂସ୍କୃତି ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଉଦଘାଟନ ପର୍ବ ପରେ ଆରମ୍ଭ ହୋଇଥିଲା ନୃତ୍ୟ ପରିବେଷଣ। ବେଙ୍ଗାଳୁରର ଅଭିନବ ଡ୍ୟାନ୍ସ କମ୍ପାନି ପକ୍ଷରୁ ମୁକ୍ତାକାଶ ମଞ୍ଚରେ ପରିବେଷଣ ହୋଇଥିଲା କଥକ। ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ଦମ୍ପତି ନିରୁପମା, ରାଜେନ୍ଦ୍ର ଓ ତାଙ୍କ ସାଥୀଙ୍କ ଦ୍ୱାରା ପରିବେଷିତ କଥକ ନୃତ୍ୟରେ ଦର୍ଶକ ବିଭୋର ହୋଇଥିଲେ।

କଥକର ପ୍ରଥମ ପର୍ଯ୍ୟାୟରେ ଶୁଦ୍ଧ ନୃତ୍ୟ, ଲୟ ଲାସ୍ୟ ଉଦ୍ଧତ ଶକ୍ତି ଓ ସୁକୁମାର ଶକ୍ତିର ସମନ୍ୱୟ ଦେଖିବାକୁ ମିଳିଥିଲା। ନାଟ୍ୟଶାସ୍ତ୍ର ଉପରେ ଆଧାରିତ ଏହି ନୃତ୍ୟ ସଂଯୋଜନା ଖୁବ୍ ରୁଚିପୂର୍ଣ୍ଣ ଥିଲା। ଏହାପରେ କଥକରେ ପରିବେଷିତ ହୋଇଥିଲା ବୃନ୍ଦାବନରେ କୃଷ୍ଣଙ୍କ ରାସଲୀଳା। କଥକ ନୃତ୍ୟର ଅନ୍ତିମ ପ୍ରସ୍ତୁତି ଥିଲା ଚତୁରଙ୍ଗ। ସାହିତ୍ୟ, ସରଗମ, ବୋଲ ଓ ତରାନ୍ନାକୁ ନେଇ ନଟରାଜ ଶିବ-ପାର୍ବତୀଙ୍କ ନୃତ୍ୟ ଆଧାରିତ ଚତୁରଙ୍ଗରେ ଝୁମି ଯାଇଥିଲେ ଦର୍ଶକ।

 କଥକ ପରେ ମୁକ୍ତାକାଶ ମଞ୍ଚରେ ପରିବେଷଣ କରାଯାଇଥିଲା ଓଡ଼ିଶୀ। ଏହାକୁ ନେଇ ଆସିଥିଲେ କୋଲକତାର ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଡୋନା ଗାଙ୍ଗୁଲି ଏବଂ ଦୀକ୍ଷା ମଞ୍ଜରୀ ଅନୁଷ୍ଠାନର ଶିଳ୍ପୀ। ମଙ୍ଗଳାଚରଣ, ପଲ୍ଲବୀ ଓ ଅଭିନୟ ଆଧାରରେ ନୃତ୍ୟର କ୍ରମବିକାଶ ଏବଂ ଆଙ୍ଗିକ ବିବର୍ତ୍ତନକୁ ନିଖୁଣ ଭାବେ ଉପସ୍ଥାପନ କରିଥିଲେ ଶିଳ୍ପୀମାନେ। ମଙ୍ଗଳାଚରଣରେ ଶାନ୍ତାକାରମ ଶୁଦ୍ଧନୃତ୍ୟ ପଲ୍ଲବୀରେ ଆରଭୀ ରାଗ ଓ ଅଭିନୟରେ ଅର୍ନ୍ଧନାରୀଶ୍ୱର ପରିବେଷିତ ହୋଇଥିଲା

ପ୍ରଥମ ସନ୍ଧ୍ୟା ଭଳି ଦ୍ୱିତୀୟ ସନ୍ଧ୍ୟାରେ ବି ଡକ୍ଟର ଶ୍ରାଧନା ଶ୍ରୀବାସ୍ତବ ଏବଂ ଡକ୍ଟର ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଉତ୍ପଳ ପତି, ରତିକାନ୍ତ ପଟ୍ଟନାୟକ, ପ୍ରଣବ କୁମାର ଚାନ୍ଦ, ଡକ୍ଟର ସୁନିଲ କୁମାର ପଟ୍ଟନାୟକ ଓ ସୁଶାନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟ ନିର୍ବାହୀ ଡକ୍ଟର ସଂଗୀତା ଗୋସାଇଁ, ସଂଗୀତ ନାଟକ ଏକାଡେମୀର ସଚିବ ପ୍ରଦୀପ କୁମାର ମିଶ୍ର ଉତ୍ସବ ପରିଚାଳନାରେ ସହାୟତା ଦେଇଥିଲେ।

ପର୍ଯ୍ୟଟକଙ୍କ ମନ ଜିଣୁଛି ବାଲିରେ ତିଆରି ବୁଦ୍ଧଙ୍କ ବିଭିନ୍ନ ମୁଦ୍ରା

ଏପଟେ ଚନ୍ଦ୍ରଭାଗା ବେଳାଭୂମିରେ ଚାଲିଥିବା ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ଦ୍ବିତୀୟ ଦିନରେ ପହଞ୍ଚିଛି। ଦ୍ବିତୀୟ ଦିନର ଥିମ୍ ଥିଲା ବୌଦ୍ଧ ପର୍ଯ୍ୟଟନ। ଏହି ଅବସରରେ ବିଭିନ୍ନ ଦେଶରୁ ଆସିଥିବା ବାଲୁକା ଶିଳ୍ପୀମାନେ ସେମାନଙ୍କ ପରିକଳ୍ପନାକୁ ନିର୍ଜୀବ ବାଲି ଦେହରେ ଜୀବନ ଦେଇଥିଲେ। ବୁଦ୍ଧଙ୍କ ଶାନ୍ତ ତଥା ଆକର୍ଷଣୀୟ ବିଭିନ୍ନ ମୁଦ୍ରା ନିଜ ଅନ୍ଦାଜରେ ଉପସ୍ଥାପନ କରିଛନ୍ତି ଶିଳ୍ପୀମାନେ।

କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ସ୍ବତନ୍ତ୍ର ଭାବେ ଆୟୋଜିତ ୪୧ଟି ଷ୍ଟଲରେ ଏକକ, ଦ୍ବୈତ ଏବଂ ଗ୍ରୁପ୍‌ରେ ବିଭକ୍ତ ହୋଇ ଶିଳ୍ପୀମାନେ ନିଜ ପ୍ରତିଭା ପ୍ରଦର୍ଶନ କରୁଛନ୍ତି।

LEAVE A REPLY

Please enter your comment!
Please enter your name here