ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ ଜଗତରେ ଦାଦା ଭାବେ ଜଣାଶୁଣା ସୌରଭ ଗାଙ୍ଗୁଲିଙ୍କର ଆଜି ୪୮ତମ ଜନ୍ମଦିନ।

ଖେଳରେ ଯେମିତି ମାଷ୍ଟର ପ୍ରେମରେ ବି ସେମିତି ମାଷ୍ଟର ଥିଲେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲି। କ୍ରିକେଟ ଦୁନିଆର ଦାଦା ଗାଙ୍ଗୁଲିଙ୍କ କ୍ୟାରିୟର ଯେତିକି ଦମଦାର ସେତିକି ରୋମାଞ୍ଚକର ତାଙ୍କ ଲଭ୍‌ଷ୍ଟୋରି। ଗାଙ୍ଗୁଲିଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ଲଭ୍‌ଷ୍ଟୋରି ବିଷୟରେ…

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଗାଙ୍ଗୁଲିଙ୍କ ପତ୍ନୀ ଡୋନା ତାଙ୍କ ପଡ଼ୋଶୀ ଘର ଝିଅ ଥିଲେ। ପଡ଼ୋଶୀ ହୋଇଥିବାରୁ ପିଲାବେଳୁ ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ହୋଇ ଯାଇଥିଲା। ଦୁଇ ଜଣ ଭିନ୍ନ ଭିନ୍ନ ସ୍କୁଲରେ ପଢ଼ୁଥିଲେ ମଧ୍ୟ ଗାଙ୍ଗୁଲି ଡୋନାଙ୍କୁ ଭେଟିବା ପାଇଁ ତାଙ୍କ ସ୍କୁଲ ଯାଉଥିଲେ।

ଧୀରେ ଧୀରେ ସେମାନଙ୍କ ସଂପର୍କ ପ୍ରେମରେ ପରିଣତ ହୋଇଥିଲା। ଡୋନା ଘରଲୋକଙ୍କୁ ମିଛ କହି ଗାଙ୍ଗୁଲିଙ୍କ ମ୍ୟାଚ ଦେଖିବାକୁ ଯାଉଥିଲେ। ତେବେ ଦୁହିଁଙ୍କ ସଂପର୍କରେ ଅନେକ ବାଧାବିଘ୍ନ ସୃଷ୍ଟି ହୋଇଥିଲା। କାରଣ ଗାଙ୍ଗୁଲିଙ୍କ ପରିବାର ଧନୀ ହୋଇଥିଲା ବେଳେ ଡୋନା ସାଧାରଣ ପରିବାରର ଥିଲେ। ସେ ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା। ଗାଙ୍ଗୁଲିଙ୍କ ପରିବାରକୁ ଏହା ପସନ୍ଦ ନଥିଲା।

ଫଳରେ ସେମାନଙ୍କ ସଂପର୍କ ପାଇଁ ପରିବାର ଲୋକ ରାଜି ହୋଇନଥିଲେ। କ୍ରିକେଟରେ ଭଲ ପ୍ରଦର୍ଶନ କରି ଗାଙ୍ଗୁଲି ଷ୍ଟାର ହୋଇଥିଲେ ବି ସେମାନଙ୍କ ସଂପର୍କରେ କିଛି ଫରକ ପଡ଼ିନଥିଲା।

୧୯୯୬ରେ ଗାଙ୍ଗୁଲିଙ୍କ ଇଂଲଣ୍ଡ ଗସ୍ତ ତାଙ୍କ ଜୀବନ ବଦଳେଇଥିଲା। ଇଂଲଣ୍ଡ ଯିବା ପୂର୍ବରୁ ଗାଙ୍ଗୁଲି ଡୋନାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଇଂଲଣ୍ଡରୁ ଫେରିବା ପରେ ଉଭୟ ଘର ଲୋକଙ୍କୁ ଲୁଚେଇ କୋର୍ଟରେ ମ୍ୟାରେଜ କରିଥିଲେ।

ଖୁବଶୀଘ୍ର ସେମାନଙ୍କ ଘର ଲୋକ ଏ ବିଷୟରେ ଜାଣି ପାରିଥିଲେ। ସେମାନଙ୍କ ବିବାହକୁ ସ୍ୱୀକାର କରିବାକୁ ରାଜି ହୋଇନଥିଲେ। ହେଲେ ଗାଙ୍ଗୁଲି ତାଙ୍କ ଜିଦ୍‌ରେ ଅଟଳ ଥିଲେ। ଗାଙ୍ଗୁଲିଙ୍କ ଜିଦ୍‌ ଆଗରେ ପରିବାର ଲୋକ ହାର ମାନିଥିଲେ। ୧୯୯୭ରେ ପରିବାରର ସମ୍ମତିକ୍ରମେ ଉଭୟ ବିବାହ କରିଥିଲେ।

ଡୋନାଙ୍କ କହିବା ଅନୁସାରେ ଗାଙ୍ଗୁଲି କଲେଜ ଟାଇମରେ ବି ଜଣେ ଫାଇଟର ଥିଲେ। ଜଣେ ଖେଳାଳି ଓ ଭାରତୀୟ ଟିମ୍‌ର କ୍ୟାପଟେନ ଭାବେ ସେ ସବୁବେଳେ କିଛି ନା କିଛି ନୂଆ କରିଛନ୍ତି।

Comment