ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କୋଣାର୍କ ଉତ୍ସବ-୨୦୧୭ ଉଦ୍‌ଘାଟିତ
  • ଚନ୍ଦ୍ରଭାଗା ବେଳଭୂମିରେ ‘ବାଲୁକା କଳା ଉତ୍ସବ’ ବି ଶୁଭାରମ୍ଭ
  • ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କଲେ ଉଦ୍‌ଘାଟନ
  • ପ୍ରଥମ ସନ୍ଧ୍ୟାରେ ପରିବେଷଣ ହେଲା ଓଡ଼ିଶୀ ଏବଂ ଭାରତନାଟ୍ୟମ୍
  • ଓଡ଼ିଶୀରେ ‘ମନ୍ମଥ’ ପ୍ରସଙ୍ଗ ପରିବେଷଣ କଲେ ନୂପୁର ଡ୍ୟାନ୍ସ ଏକାଡେମୀର କଳାକାର
  • ମାଲେସିଆ ଦି ଟେମ୍ପୁଲ ଅଫ ଫାଇନ୍ ଆର୍ଟସ୍‌ ଶିଳ୍ପୀଙ୍କ ‘ଭାରତନାଟ୍ୟମ୍‌’ରେ ଦର୍ଶକ ମନ୍ତ୍ରମୁଗ୍ଧ

କୋଣାର୍କ ମୁକ୍ତାକାଶ ରଙ୍ଗ ମଞ୍ଚରେ ଆରମ୍ଭ ହୋଇଛି କୋଣାର୍କ ଉତ୍ସବ। ଏହି ଉତ୍ସବକୁ ଉଦଘାଟନ କରିଥିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ମିଳିତ ସହଯୋଗରେ ଏହି ଉତ୍ସବ ଆୟୋଜନ କରାଯାଇଛି।

ଓଡ଼ିଶାର ବହୁ ସଂସ୍କୃତି ପ୍ରେମୀ, ବିଦେଶୀ ପର୍ଯ୍ୟଟକଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା ଉଦଘାଟନୀ ସନ୍ଧ୍ୟାର କାର୍ଯ୍ୟକ୍ରମ। ଉଦଘାଟନୀ ସନ୍ଧ୍ୟାରେ ରଙ୍ଗାରଙ୍ଗ ପରିବେଶରେ କଳାକାରମାନେ ପରିବେଷଣ କରିଥିଲେ ଶାସ୍ତ୍ରୀୟ ନୃତ୍ୟ। ଶୀତୁଆ ସନ୍ଧ୍ୟାରେ ମୁକ୍ତାକାଶ ମଞ୍ଚରେ ନୃତ୍ୟଶିଳ୍ପୀଙ୍କ ଘୁଙ୍ଗୁରର ରୁଣୁଝୁଣୁ ଶବ୍ଦ ସୃଷ୍ଟି କରିଥିଲା ଏକ ନିଆରା ପରିବେଶ।

ଭୁବନେଶ୍ୱର ନୂପୁର ଡ୍ୟାନ୍ସ ଏକାଡେମୀର ଶିଳ୍ପୀମାନେ ପ୍ରଥମେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପୁରାଣ ବର୍ଣ୍ଣିତ ‘ମନ୍ମଥ’ ପ୍ରସଙ୍ଗକୁ ସେମାନେ ନୃତ୍ୟାଭିନୟ ମାଧ୍ୟମରେ ପରିବେଷଣ କରିଥିଲେ।

ତାରକାସୁର ନିଧନ ପାଇଁ ବ୍ରହ୍ମାଙ୍କୁ ଦେବଗଣଙ୍କ ପ୍ରାର୍ଥନା, ଦେବରାଜ ଇନ୍ଦ୍ରଙ୍କ ନିର୍ଦ୍ଦେଶରେ ରତି ଓ କାମଦେବ ତପସ୍ୟାରତ ଶିବଙ୍କୁ ପଞ୍ଚଶର ବିଦ୍ଧକରି ତପଭଙ୍ଗ କରିବା, ଶିବ-ପାର୍ବତୀଙ୍କ ବିବାହ, କୁମାର କାର୍ତ୍ତିକେୟଙ୍କ ଜନ୍ମ ଏବଂ କାର୍ତ୍ତିକେୟଙ୍କ ହାତରେ ତାରକାସୁର ନିହତ ପ୍ରସଙ୍ଗକୁ ନିଖୁଣ ଭାବେ ଉପସ୍ଥାପିତ କରିଥିଲେ କଳାକାରମାନେ। ଏହି ନୃତ୍ୟାଭିନୟରେ ଦର୍ଶକ ବିଭୋର ହୋଇଥିଲେ। ଏହି ନୃତ୍ୟାଭିନୟକୁ ଗୁରୁ ନିରଞ୍ଜନ ରାଉତ ନିର୍ଦ୍ଦେଶନା ଦେଇଥିଲେ।

ଏହାପରେ ମାଲେସିଆରୁ ଆସିଥିବା ଦି ଟେମ୍ପୁଲ ଅଫ ଫାଇନ୍ ଆର୍ଟସର ଶିଳ୍ପୀମାନେ ପରିବେଷଣ କରିଥିଲେ ଭାରତନାଟ୍ୟମ ନୃତ୍ୟ। ସେମାନେ ‘ଭାବୟାମି ରଘୁରାମମ୍’ ଉପସ୍ଥାପନ କରିଥିଲେ। ରାମାୟଣର ବିଭିନ୍ନ ପ୍ରସଙ୍ଗକୁ ନୃତ୍ୟ ମାଧ୍ୟମରେ ଉପସ୍ଥାପନ କରିଥିଲେ ଶଙ୍କର ବନ୍ଦେସ୍ୱାମୀଙ୍କ ଗ୍ରୁପ୍।

ସେହିପରି ଚନ୍ଦ୍ରଭାଗା ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ଉଦ୍‌ଘାଟିତ ହୋଇଛି। ଦେଶ ବିଦେଶରୁ ଆସିଥିବା ଶିଳ୍ପୀମାନେ ବାଲୁକା କଳା ମାଧ୍ୟମରେ ସମୁଦ୍ର ସୁରକ୍ଷାର ବାର୍ତ୍ତା ଦେଇଛନ୍ତି।

ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, “କୋଣାର୍କ ଉତ୍ସବର ପ୍ରମୁଖ ଅଂଶ ହେଉଛି ଆନ୍ତର୍ଜାତିକ କାଲୁକା କଳା ଉତ୍ସବ। ପ୍ରତିବର୍ଷ ଏହି ଉତ୍ସବ ସମୁଦ୍ର ବେଳାଭୂମିରେ ଆୟୋଜନ କରାଯାଉଛି। ଦେଶ ତଥା ଦେଶ ବାହାରୁ ବହୁ ଖ୍ୟାତିସମ୍ପନ୍ନ ଶିଳ୍ପୀ ଚଳିତବର୍ଷ ସାମିଲ ହୋଇ ବାଲୁକା କଳା ମାଧ୍ୟମରେ ସମୁଦ୍ର ସୁରକ୍ଷାର ବାର୍ତ୍ତା ଦେଇଛନ୍ତି। ଚଳିତବର୍ଷ ୪୧ଟି ଷ୍ଟଲ ଖୋଲାଯାଇଛି।”

ଉଦଘାଟନୀ ଉତ୍ସବରେ ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ଡକ୍ଟର ମୋନା ଶର୍ମା, ନିର୍ଦ୍ଦେଶକ ଡକ୍ଟର ନିତୀନ ଭାନୁଦାସ ଜାୱାଲେ, ପୁରୀ ଜିଲ୍ଲାପାଳ ଡକ୍ଟର ଅରବିନ୍ଦ ଅଗ୍ରୱାଲ ଓ ଆରକ୍ଷୀ ଅଧୀକ୍ଷକ ଡକ୍ଟର ସାର୍ଥକ ଷଡଙ୍ଗୀ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେନ୍ଦ୍ର ସେଠୀ, ସମୀର ରଞ୍ଜନ ଦାସ, ଶ୍ରୀକାନ୍ତ ସାହୁ, ବିଧାୟକ ସଞ୍ଜୟ ଦାସବର୍ମା, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ, ପୁରୀ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳେଇ ପ୍ରମୁଖ ଯୋଗ ଦେଇଥିଲେ।

ଡକ୍ଟର ସାଧନା ଶ୍ରୀବାସ୍ତବ ଏବଂ ଡକ୍ଟର ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟ ନିର୍ବାହୀ ଡକ୍ଟର ସଂଗୀତା ଗୋସାଇଁ, ସଂଗୀତ ନାଟକ ଏକାଡେମୀର ସଚିବ ପ୍ରଦୀପ କୁମାର ମିଶ୍ର, ପର୍ଯ୍ୟଟନ ବିଭାଗର ଅଧିକାରୀ ଉତ୍ପଳ ପତି, ରତିକାନ୍ତ ପଟ୍ଟନାୟକ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here