ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ନକଲେ ରାଜ୍ୟ କରିବ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ରାହ୍ମଣୀ ସେତୁ ନିର୍ମାଣରେ ବିଳମ୍ବକୁ ନେଇ ରବିବାର ରାଉରକେଲାରେ ବିଜେଡି ପ୍ରତିବାଦ କରିବା ପରେ ଆଜି ସୁନ୍ଦରଗଡ଼ ଜିଲ୍ଲାର ଏକ ଟିମ୍ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଫଳରେ ବ୍ରାହ୍ମଣୀ ସେତୁକୁ ନେଇ ବିଜେଡି ବିଜେପି ମୁହାଁମୁହିଁ ହୋଇଛନ୍ତି।
- ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ନିର୍ମାଣରେ ବିଳମ୍ବ
- ବ୍ରାହ୍ମଣୀକୁ ଅସ୍ତ୍ର କଲା ବିଜେଡି
- ରବିବାର ରାଉରକେଲାରେ ପ୍ରତିବାଦ କରିଥିଲା ବିଜେଡି
- ମଙ୍ଗଳା କିଷାନଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଟିମ୍
- ମୁଖ୍ୟମନ୍ତ୍ରୀ କହିଲେ, “କେନ୍ଦ୍ର ନକଲେ ରାଜ୍ୟ କରିବ”
‘ବ୍ରାହ୍ମଣୀ ସେତୁ’କୁ ନେଇ ଆରମ୍ଭ ହୋଇଛି ରାଜନୀତି। ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାର। ଏହି ପ୍ରସଙ୍ଗକୁ ନେଇ ଏବେ କେନ୍ଦ୍ରକୁ ଜବାବ ଦେବା ପାଇଁ ଅଣ୍ଟା ଭିଡ଼ିଛି ବିଜେଡି। ସେତୁ ନିର୍ମାଣ ପାଇଁ କେନ୍ଦ୍ର ଟଙ୍କା ନଦେଲେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ସେତୁ ନିର୍ମାଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ବିଳମ୍ବ ହେଉଛି ବ୍ରାହ୍ମଣୀରେ ଦ୍ବିତୀୟ ସେତୁ ନିର୍ମାଣ। ସୁନ୍ଦରଗଡ଼ରେ ଭୋଟ ବ୍ୟାଙ୍କ ସୁରକ୍ଷିତ ରଖିବା ପାଇଁ ଏହି ପ୍ରସଙ୍ଗକୁ ଏବେ ଅସ୍ତ୍ର କରିଛି ବିଜେଡି। ପୂର୍ବତନ ବିଧାୟକ ସାରଦା ପ୍ରସନ୍ନ ନାୟକଙ୍କ ନେତୃତ୍ବରେ ଗତ ରବିବାର ରାଉରକେଲାରେ ବିଜେଡି କରିଥିଲା ପ୍ରତିବାଦ। ଏହି ପ୍ରତିବାଦକୁ ୨୪ ଘଣ୍ଟା ନପୁରୁଣୁ ବିଜେଡିର ସୁନ୍ଦରଗଡ଼ ଜିଲ୍ଲା କିଛି ନେତା, ସଙ୍ଗଠକ ଭୁବନେଶ୍ବର ଆସି ଭେଟିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ। ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ଦାବି କରିଛନ୍ତି।
ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର। କଥା କଥାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଥିବା ବିଜେପିକୁ ଘେରିବା ପାଇଁ ବ୍ରାହ୍ମଣୀ ସେତୁକୁ ବିଜେଡି ଅସ୍ତ୍ର କରିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, “କେନ୍ଦ୍ର ନିକଟରେ ଏହି ପ୍ରସଙ୍ଗ ପୁଣିଥରେ ଉଠାଯିବ। ଏଥିରେ କେନ୍ଦ୍ର ଯଦି ଆଗ୍ରହ ନଦେଖାଏ ତାହାଲେ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଦ୍ବିତୀୟ ସେତୁ ନିର୍ମାଣ କରିବେ।”
ମୁଖ୍ୟମନ୍ତ୍ରୀଙ୍କ ଏହି ବିବୃତି ଏବେ ରାଜ୍ୟ ରାଜନୀତିକୁ ସରଗରମ୍ କରିଦେଇଛି। ବ୍ରାହ୍ମଣୀ ସେତୁକୁ ନେଇ ପୁଣି ବିଜେଡି ଓ ବିଜେପି ମଧ୍ୟରେ ବାକ୍ଯୁଦ୍ଧ ଆରମ୍ଭ ହୋଇଛି। ଖାଲି ବିଜେଡି ନେତା ନୁହନ୍ତି, ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ମଧ୍ୟ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।
ବ୍ରାହ୍ମଣୀ ନଦୀ ଉପରେ ଦ୍ବିତୀୟ ସେତୁ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ପ୍ରଥମେ ଦାବି କରିଥିଲେ ଦିଲ୍ଲୀପ ରାୟ। ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ପ୍ରତିଶ୍ରୁତିକୁ ଦୁଇ ବର୍ଷ ପୂରିଥିଲେ ହେଁ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନି। ବିଧାୟକ ଦିଲ୍ଲୀପ ରାୟ ବାରମ୍ବାର କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କିଛି ସୁଫଳ ମିଳୁନି।
ବ୍ରାହ୍ମଣୀରେ ଦ୍ବିତୀୟ ବ୍ରିଜ ସ୍ଥାପନା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକାରୀଙ୍କୁ ଚିଠି ଲେଖିଥିଲେ। ଏହାପରେ ଗଡକାରୀ ରାଉରକେଲା ଗସ୍ତରେ ଆସି ଶୁଭ ଦେଇଥିଲେ। ଏହି ସେତୁ ପାଇଁ ଟଙ୍କା ମଧ୍ୟ ବ୍ୟୟବରାଦ ହୋଇଥିଲା। ୨ ବର୍ଷ ଭିତରେ ସେତୁ ନିର୍ମାଣ ଶେଷ ହେବ ବୋଲି ଗଡକାରୀ ପ୍ରତିଶ୍ରୁତି ଦେଇଥିଲେ। ହେଲେ ବିଡ଼ମ୍ବନାର ବିଷୟ ଯେ, ସେତୁ ନିର୍ମାଣ ଏପର୍ଯ୍ୟନ୍ତ ଆରମ୍ଭ ହୋଇନି।
ଆଗକୁ ନିର୍ବାଚନ ଆସୁଥିବାରୁ ବ୍ରାହ୍ମଣୀ ସେତୁକୁ ଅସ୍ତ୍ର କରି ବିଜେପିକୁ ପାଲଟା ଜବାବ ଦେବା ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରିଛି।
ମଙ୍ଗଳା କିଷାନ୍ କହିଛନ୍ତି, “ବ୍ରାହ୍ମଣୀରେ ଥିବା ସେତୁଟି ବିପଦସଙ୍କୁଳ ଭାବେ ରହିଛି। ଦ୍ବିତୀୟ ସେତୁ ନିର୍ମାଣ ପାଇଁ ଆମେ ଦାବି କରୁଛୁ। ଯଦି ପ୍ରଥମ ସେତୁଟି ଭାଙ୍ଗିଯାଏ ତାହାଲେ ଯାତାୟାତରେ ବାଧା ଉପୁଜିବ। ଏ ଦିଗରେ କେନ୍ଦ୍ର ସରକାର ଆନ୍ତରିକତା ଦେଖାଉ ନଥିବାରୁ ଆମେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛୁ।”
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, “ଏହାକୁ ନେଇ ରାଜନୀତି କରାଯାଉଛି। ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅବଗତ ଅଛନ୍ତି। ହେଲେ ବିଜେଡି ଯେଉଁଭଳି ଢଙ୍ଗରେ ରାଜନୀତି କରୁଛି ତାହା ଦୁର୍ଭାଗ୍ୟଜନକ। ଏ ସମ୍ପର୍କରେ ମୁଁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟିବି।”








କେନ୍ଦ୍ର ନକଲେ ରାଜ୍ୟ କରିବ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ରାହ୍ମଣୀ ସେତୁ ନିର୍ମାଣରେ ବିଳମ୍ବକୁ ନେଇ ରବିବାର ରାଉରକେଲାରେ ବିଜେଡି ପ୍ରତିବାଦ କରିବା ପରେ ଆଜି ସୁନ୍ଦରଗଡ଼ ଜିଲ୍ଲାର ଏକ ଟିମ୍ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଫଳରେ ବ୍ରାହ୍ମଣୀ ସେତୁକୁ ନେଇ ବିଜେଡି ବିଜେପି ମୁହାଁମୁହିଁ ହୋଇଛନ୍ତି।









