ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଦ୍‌ଯାପିତ ହୋଇଛି କୋଣାର୍କ ଉତ୍ସବ-୨୦୧୭। ଶେଷ ସନ୍ଧ୍ୟାରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି ମୋହିନୀଆଟ୍ଟମ୍ ଏବଂ ଓଡ଼ିଶୀ ନୃତ୍ୟ। ମୋହିନୀଆଟ୍ଟମ୍‌ରେ ଗଣପତି -ଆବାହନୀ ସ୍ତବକ ପରିବେଷଣ ହୋଇଥିବା ବେଳେ ଓଡ଼ିଶୀରେ ନୃତ୍ୟନାଟିକା ରିପୁ ପରିଣାମ ପରିବେଷଣ କରାଯାଇଥିଲା।

ଭାବାବେଗମୟ ପରିବେଶରେ ଉଦଯାପିତ ହୋଇଛି କୋଣାର୍କ ଉତ୍ସବ-୨୦୧୭। ଉଦ୍‌ଯାପନୀ ସନ୍ଧ୍ୟାରେ ବି ଦର୍ଶକଙ୍କୁ ମତୁଆଲା କରିଥିଲା ଶିଳ୍ପୀଙ୍କ ନୃତ୍ୟ। ଦର୍ଶକଙ୍କ ମନ ମୋହିବା ପାଇଁ ମୁକ୍ତାକାଶ ମଞ୍ଚରେ ପରିଷେଣ ହୋଇଥିଲା ମୋହିନୀଆଟ୍ଟମ୍ ଏବଂ ଓଡ଼ିଶୀ। ଶିଳ୍ପୀଙ୍କ ଘୁଙ୍ଗୁରର ରୁଣୁଝୁଣୁ ଶବ୍ଦରେ ଦର୍ଶକ ହୋଇଯାଇଥିଲେ ଆନମନା।

ଉଦଯାପନୀ ସନ୍ଧ୍ୟାରେ ଦର୍ଶକଙ୍କୁ ମତୁଆଲା କରିବା ପାଇଁ ମୁକ୍ତାକାଶ ମଞ୍ଚରେ ପ୍ରଥମେ ପରିବେଷଣ କରାଯାଇଥିଲା ମୋହନୀଆଟ୍ଟମ୍। ଏହାକୁ ମୁମ୍ବାଇସ୍ଥିତ ନାଳନ୍ଦା ଡ୍ୟାନ୍ସ ରିସର୍ଚ୍ଚ ସେଣ୍ଟରର ଡକ୍ଟର କନକ ରେଲେ ଏବଂ ସାଥୀ ପରିବେଷଣ କରିଥିଲେ। ମୋହିନୀଆଟ୍ଟମ୍‌ ଶୈଳୀରେ କଳାକାରମାନେ ଗଣପତି-ଆବାହନୀ ସ୍ତବକ ଓ ପରେ ଶ୍ରୀ ଗୀତଗୋବିନ୍ଦ ଅଷ୍ଟପଦୀ ଚନ୍ଦନ ଚର୍ଚ୍ଚିତ ନୀଳ କଳେବର ଉପସ୍ଥାପିତ କରିଥିଲେ।

ଏହାପରେ ନାଟ୍ୟଶାସ୍ତ୍ର ଆଧାରିତ ଋୁତୁ ଚକ୍ରର ଆବର୍ତ୍ତନକୁ ନେଇ ମଞ୍ଚସ୍ଥ ହୋଇଥିଲା ୠତୁ ଦୁରୁଭା। ରାଗମାଳିକା ରାଗ ଏବଂ ଆଦି ତାଳରେ ନିବଦ୍ଧ ଏହି ରଚନା ଋତୁ ଓ ପ୍ରକୃତିର ଅଭିସାରକୁ ସ୍ପଷ୍ଟ ଭାବେ ଚିତ୍ରିତ କରିଥିଲା। ଅନ୍ତିମ ଚରଣରେ ଶିଳ୍ପୀମାନେ ଆନନ୍ଦଦାୟୀ ନୃତ୍ୟ ସଂଯୋଜନା ଜୀବ ପରିବେଷଣ କରିଥିଲେ।

ଓଡ଼ିଶୀରେ ନୃତ୍ୟନାଟିକା ରିପୁ ପରିଣାମ

ମୋହନୀଆଟ୍ଟମ୍ ନୃତ୍ୟରେ ଦର୍ଶକ ବିଭୋର ହେବା ପରେ ମଞ୍ଚ ଉପରକୁ ଆସିଥିଲେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଶିଳ୍ପୀମାନେ। ଓଡ଼ିଶୀ ମାଧ୍ୟମରେ ସେମାନେ ନୃତ୍ୟନାଟିକା ରିପୁ ପରିଣାମ ପରିବେଷଣ କରିଥିଲେ। ଷଡ଼ରିପୁ-କାମ,କ୍ରୋଧ, ଲୋଭ, ମୋହ, ଗର୍ବ ଓ ଇର୍ଷାର କୁପରିଣାମକୁ ଓଡ଼ିଶୀ ମାଧ୍ୟମରେ  ପରିପ୍ରକାଶ କରିଥିଲେ।

ଗୁରୁ ଅରୁଣା ମହାନ୍ତି ଓ ଡକ୍ଟର ସଂଗୀତା ଗୋସାଇଁ ଏହି ଓଡ଼ିଶୀ ନୃତ୍ୟର ପରିକଳ୍ପନା କରିଥିଲେ। ଡକ୍ଟର କସ୍ତୁରୀ ପଟ୍ଟନାୟକ ନୃତ୍ୟ ସଂଯୋଜନା କରିଥିବା ବେଳେ ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ ସଂଗୀତ ସଂଯୋଜନା, ଗୁରୁ ସଚ୍ଚିଦାନନ୍ଦ ଦାସ ତାଳବାଦ୍ୟ ରଚନା କରିଥିଲେ। ଆଲେଖ୍ୟ ପ୍ରସ୍ତୁତି କରିଥିଲେ ପଣ୍ଡିତ ନିତ୍ୟାନନ୍ଦ ମିଶ୍ର।

ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶୀ ଗବେଷଣା କେନ୍ଦ୍ରର ଅନ୍ତିମ ପ୍ରସ୍ତୁତି ରହିଥିଲା ପାଇକ ବୀର ଶ୍ରଦ୍ଧାଞ୍ଜଳି। ନିଖୁଣ ଅଭିନୟ, ମନଛୁଆଁ ସଂଗୀତ ଓ ଅଭନନ୍ଦନୀୟ ପରକଳ୍ପାନାକୁ ଦର୍ଶକ ଉପଭୋଗ କରିଥିଲେ। ଅଧ୍ୟାପକ ଡକ୍ଟର ମୃତ୍ୟୁଞ୍ଜୟ ରଥ ଓ ଡକ୍ଟର ସାଧନା ଶ୍ରୀବାସ୍ତବ ମଞ୍ଚ ସଞ୍ଚାଳନ କରିଥିଲେ।

ଉଦଯାପନୀ ସନ୍ଧ୍ୟାରେ ଅତିଥିଭାବେ ଯୋଗଦେଇଥିଲେ ଓଡିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗଗନ ଧଳ, ପୂର୍ବତନ ପ୍ରଶାସକ ଅଶୋକ ତ୍ରିପାଠୀ, ପୂର୍ବତଟ ରେଳପଥର ମହାପ୍ରବନ୍ଧକ-ଉମେଶ ସିଂ, ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ମୋନା ଶର୍ମା, ନିର୍ଦ୍ଦେଶକ ନିତୀନ ଭାନୁଦାସ ଜାୱାଲେ।

ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ପର୍ଯ୍ୟଟନ ବିଭାଗ ଅଧିକାରୀ ଉତ୍ପଳ କୁମାର ପତି, ବିପ୍ଲବ କେଶରୀ ପ୍ରଧାନ, ଡକ୍ଟର ସୁନିଲ ପଟ୍ଟନାୟକ, ବି କେ ଜେନା, ଡକ୍ଟର ରତିକାନ୍ତ ପଟ୍ଟନାୟକ, ପି କେ ଚାନ୍ଦ, ସରୋଜ କାନ୍ତ ପ୍ରଧାନ, ଓଟିଡିସି ଅଧିକାରୀ ତୁଷାରକାନ୍ତ ପଣ୍ଡା, ବ୍ରହ୍ମାନନ୍ଦ ପଟ୍ଟନାୟକ, ସୁଶାନ୍ତ କୁମାର ପାଣିଗ୍ରାହୀ, ବିଷ୍ଣୁ ପ୍ରସାଦ ସିଂହ ଏବଂ ସଂଗୀତ ନାଟକ ଏକାଡେମୀ ସଚିବ ପ୍ରଦୀପ କୁମାର ମିଶ୍ର, ଭାବଗ୍ରାହୀ ସାହୁ, ଭବାନୀ ଚରଣ ପଣ୍ଡା, ମମତା ପାତ୍ର ଓ ଦେବେନ୍ଦ୍ର ନାଥ ମହାପାତ୍ର।

ବାଲିରେ ବିଶ୍ୱ ଐତିହ୍ୟ

କୋଣାର୍କ ଉତ୍ସବ ସହ ଚନ୍ଦ୍ରଭାଗା ବେଳାଭୂମିରେ ଚାଲିଥିବା ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ମଧ୍ୟ ଉଦ୍‌ଯାପିତ ହୋଇଛି। ଶେଷ ଦିନରେ ଶିଳ୍ପୀମାନେ ବିଶ୍ୱ ଐତିହ୍ୟକୁ ବାଲୁକା କଳା ମାଧ୍ୟମରେ ପ୍ରଦର୍ଶନ କରିଥିଲେ। ବାଲିରେ ସୁନ୍ଦର ସୁନ୍ଦର କଳାକୃତି ଦର୍ଶକଙ୍କ ହୃଦୟକୁ ଜିଣିଥିଲା।

ଦେଶ ବିଦେଶରୁ ଆସିଥିବା ବାଲୁକା ଶିଳ୍ପୀଙ୍କୁ କୋଣାର୍କ ଉତ୍ସବ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। କୋଣାର୍କ ଅର୍ବାନ ହାଟରେ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳାରେ ପ୍ରବଳ ଜନସମାଗମ ପରିଲିକ୍ଷିତ ହୋଇଥିଲା।

ପାଞ୍ଚ ଦିନରେ ପଞ୍ଚଟି ଥିମ୍‌କୁ ନେଇ ବାଲୁକା କଳା ଉତ୍ସବ ଆରମ୍ଭ ହୋଇଥିଲା। ଏହି ବିଷୟଗୁଡିକ ମଧ୍ୟରେ ପ୍ରଥମ ଦିନ- Save the Sea, ଦ୍ୱିତୀୟ ଦିନ- Buddhist Heritage, ତୃତୀୟ ଦିନ- Eco Tourism, ଚତୁର୍ଥ ଦିନ- Ethnic Heritage, ପଞ୍ଚମ ଦିନ- World Heritage ରହିଥିଲା। ବାଲୁକା କଳା ଉତ୍ସବରେ ଯୋଗ ଦେଇଥିବା ପ୍ରତିଯୋଗୀମାନଙ୍କୁ ୩ଟି ଭାଗରେ ବିଭକ୍ତ କରାଯାଇଥିଲା। ସୋଲୋ ବା ଏକକ, ଡବଲ୍ସ ଏବଂ ଗ୍ରୁପ୍  ଇଭେଣ୍ଟରେ ବିଭିକ୍ତ ହୋଇ ଶିଳ୍ପୀମାନେ ବାଲିରେ ସୁନ୍ଦର ସୁନ୍ଦର କଳାକୃତି ତିଆରି କରିଥିଲେ।

LEAVE A REPLY

Please enter your comment!
Please enter your name here