ଓଡ଼ିଶାଲାଇଭ୍ ବ୍ୟୁରୋ

ପିରିୟଡ୍ସ ବା ଋତୁସ୍ରାବ ମହିଳାମାନଙ୍କର ଏକ ପ୍ରାକୃତିକ ଶାରୀରିକ ପ୍ରକ୍ରିୟା। କିନ୍ତୁ ଏହାକୁ ନେଇ ଏବେବି ସମାଜରେ କେତେକ କୁସଂସ୍କାର ଓ ଅନ୍ଧବିଶ୍ୱାସ ରହିଛି। ଆଜିବି ଝିଅମାନେ ଏ ସମ୍ପର୍କରେ ଖୋଲାଖୋଲି କଥା ହେଉନାହାନ୍ତି। ତେଣୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ‘ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ୨୦୨୧’ରେ ଜଣାଶୁଣା ଓଡ଼ିଶୀ ନୃତ୍ୟ ଗୁରୁ ଅନିତା ବାବୁ ଓ ତାଙ୍କ ଗ୍ରୁପ୍‌ ଏକ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ।

ଏହି ଅବସରରେ ସେ କହିଥିଲେ, ‘‘ପିରିୟଡ୍ସ ପ୍ରକୃତିର ଏକ ବରଦାନ। ତେଣୁ ଏହାକୁ ନେଇ ଲଜ୍ଜା କିମ୍ବା ସଙ୍କୋଚବୋଧ କରାଯିବା କଥା ନୁହେଁ। ସେହି ସଂକୋଚ ମନୋଭାବ ଏବଂ ସଂକୀର୍ଣ୍ଣ ମାନସିକତାକୁ ପରିବର୍ତ୍ତନ କରିବାରେ ଏହା ଆମର ଏକ ଛୋଟିଆ ପ୍ରୟାସ।’’

ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳଚୁରଣ ମହାପାତ୍ର ଓଡ଼ିଶୀ ଏକାଡେମୀ ପକ୍ଷରୁ ଉତ୍କଳ ରଙ୍ଗମଞ୍ଚଠାରେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଆୟୋଜିତ ହୋଇଥିଲା। ୨୦୨୧ ଡିସେମ୍ବର ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିଥିବା ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ନୃତ୍ୟଶିଳ୍ପୀ ଭାଗ ନେଇଥିଲେ। ଏଥିରେ ଦିଲ୍ଲୀରୁ ଆସିଥିବା ଅନିତା ବାବୁ ଓ ତାଙ୍କ ଗ୍ରୁପ୍‌ ଋତୁସ୍ରାବ ସମ୍ପର୍କରେ ସଚେତନତା ସୃଷ୍ଟି କରି ଏକ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ।

‘‘ପିରିୟଡ୍ସକୁ ନେଇ ଆଜି ବି ଅନ୍ଧବିଶ୍ଵାସ ରହିଛି । ଗୋଟିଏ ଝିଅ ୠତୁବତୀ ହେବା ସମୟରେ ତାକୁ ରୋଷେଇ ଘରକୁ ଯିବା ମନା କରାଯାଏ। ମନ୍ଦିର ଯିବାକୁ ମନା କରାଯାଏ। କାହାକୁ ଛୁଇଁଲେ ରୋଗ ହୋଇଯିବ, କାହାକୁ ଦେଖିଲେ ପାପ ହୋଇଯିବ ଏପରି ଶବ୍ଦ କୁହାଯାଏ। ଏହି ସବୁ କଥା କଷ୍ଟ ଦିଏ। ପିରିୟଡ୍ସକୁ ନେଇ ସମାଜରେ ରହିଥିବା କୁସଂସ୍କାର ଦୂର କରିବା ପାଇଁ ଓଡ଼ିଶୀ ମାଧ୍ୟମରେ ଅଭିନବ ପ୍ରୟାସ କରିବାକୁ ସ୍ଥିର କରିଥିଲି।

”, କହିଛନ୍ତି ଓଡ଼ିଶୀ ନୃତ୍ୟ ଗୁରୁ ଅନିତା ବାବୁ।

“ମାସିକ ଋତୁସ୍ରାବ ଏକ ଅତି ସାଧାରଣ କଥା। ଏହାକୁ ନେଇ କୌଣସି ପ୍ରକାର ସଂକୋଚ ବୋଧ ଅନୁଭବ କରିବା କଥା ନୁହେଁ। ଝିଅଟିଏ ଯେତେବେଳେ ବଡ଼ ହେବାକୁ ଲାଗିବ ପରିବାରର ପ୍ରଥମ ଦାୟିତ୍ଵ ହେବା କଥା ଯେ, ତାକୁ ଏ ବିଷୟରେ ଖୋଲାଖୋଲି ଆଲୋଚନା କରିବାକୁ ଉତ୍ସାହିତ କରିବା,’’ କହିଛନ୍ତି ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ସଙ୍ଗୀତା ଗୋସାଇଁ।

ଲୋକେ ପିରିୟଡସକୁ ବହୁତ ଖରାପ ଏବଂ ଲଜ୍ଜାର ବିଷୟ ବୋଲି ଭାବନ୍ତି। ଅନେକ କିଶୋରୀ ୠତୁସ୍ରାବକୁ ନେଇ ଏବେବି ଲଜ୍ଜା ବୋଧ କରନ୍ତି। ଯାହା ଫଳରେ ଅନେକ ସମୟରେ ସେମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ ଲୋକଙ୍କ ମାନସିକତା ପରିବର୍ତ୍ତନ ଆସିଲେ ଏହି ସମସ୍ୟା ଦୂର ହୋଇପାରିବ ବୋଲି କହିଥିଲେ ଓଡ଼ିଶୀ ନୃତ୍ୟଶିଳ୍ପୀ ଦେବୋପ୍ରିୟା ଦତ୍ତା।

‘‘ମହିଳାମାଙ୍କର ସୃଷ୍ଟି କରିବାର କ୍ଷମତା ୠତୁସ୍ରାବରୁ ହିଁ ଆରମ୍ଭ ହୋଇଥାଏ। ଋତୁସ୍ରାବ ନଥିଲେ ମାନବ ସମାଜର ସୃଷ୍ଟି ସମ୍ଭବ ହୋଇନଥାନ୍ତା। କିନ୍ତୁ ଏହାକୁ ନେଇ ସମାଜରେ ବିଭିନ୍ନ ପ୍ରଶ୍ନ ଉଠେ। ବିଭିନ୍ନ କଟକଣା ଲଗାଯାଏ। ନାରୀ ହେଉଛି ସୃଷ୍ଟିର ଏକ ସୁନ୍ଦର ସଂରଞ୍ଚନା। ୠତୁସ୍ରାବ ଲଜ୍ଜା ନୁହେଁ ନାରୀ ପାଇଁ ପ୍ରକୃତିର ଏକ ବରଦାନ’’, ଏ କଥା କହିଥିଲେ ଓଡ଼ିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ଡକ୍ଟର ଅରୁଣା ମହାନ୍ତି।

ସେହିପରି ‘ଆଇନା’ର ସମ୍ପାଦିକା ସ୍ନେହ ମିଶ୍ର କହିଥିଲେ, ‘‘ପିରିୟଡସ୍ ଏମିତି ଏକ ବିଷୟ ଯାହା ଘର ଭିତରେ ଆଲୋଚନା କରିବାକୁ ମଧ୍ୟ ଲଜ୍ଜା ଅନୁଭବ ହୁଏ। ସମାଜରେ ପିରିୟଡସ୍ ନାଁ ଧରି ଦେଲେ ଲୋକେ ଚମକି ଉଠନ୍ତି। ଏଭଳି ଏକ ସମ୍ବେଦନଶୀଳ ବିଷୟକୁ ଓଡ଼ିଶୀ ଢାଞ୍ଚାରେ ଉପସ୍ଥାପନ କରିବା ଏକ ବଡ଼ ପଦକ୍ଷେପ’’।

ପିରିୟଡ୍ସକୁ ନେଇ କେବଳ ଗାଁ ଗହଳ ନୁହେଁ, ଅନେକ ସହରୀ ଲୋକଙ୍କ ଭିତରେ ମଧ୍ୟ ସଙ୍କୋଚ ରହିଛି। ତେଣୁ ଏ ସମ୍ପର୍କରେ ଅନ୍ୟ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ନତାଶା କର୍ମାକର କହନ୍ତି, ‘‘ଥରେ ଅଫିସରେ ଆମ ମ୍ୟାନେଜରଙ୍କ ସହ ପିରିୟଡ୍ସ ସମ୍ପର୍କରେ କଥା ହେଲା ବେଳକୁ ସମସ୍ତେ ନିରବ ହୋଇଗଲେ। ମତେ ଲାଗିଲା ମୁଁ ବୋଧେ କିଛି ଭୁଲ କଥା କହିଦେଲି। କର୍ପୋରେଟ ସେକ୍ଟରରେ ମଧ୍ୟ ଏହାକୁ ନେଇ ସମାନ ଚିନ୍ତାଧାରା ରହିଛି।’’

ଏହି ନୃତ୍ୟ ମାଧ୍ୟମରେ ଅନିତା ଓ ତାଙ୍କ ଗ୍ରୁପ୍‌ ମାସିକ ଋତୁସ୍ରାବ ସମୟରେ କେମିତି ପରିଷ୍କାର ରହିହେବ ସେ ବିଷୟରେ ମଧ୍ୟ ଗୁରୁତ୍ୱ ଦେଇଥିଲେ।

Comment