ଓଡ଼ିଶାଲାଇଭ୍ ବ୍ୟୁରୋ

- ଦକ୍ଷିଣ ଓଡ଼ିଶାରେ ୭ରୁ ବର୍ଷା
- ଡିପ୍ ଡିପ୍ରେସନରେ ପରିଣତ ହେବ ଲଘୁଚାପ
- ଘଣ୍ଟାକୁ ୪୦ରୁ ୫୦ କି ମି ବେଗରେ ବହିବ ପବନ
- ୪୮ ଘଣ୍ଟାରେ ଡିପ୍ ଡିପ୍ରେସନ୍
“ଓଡ଼ିଶାରେ ବାତ୍ୟା ଆଶଙ୍କା ନାହିଁ। ୭ରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ”, ଏହା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ଗୋପାଳପୁରଠାରୁ ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଦିଗରେ ୧୨୫୦ କି ମି ଦୂରରେ ଲଘୁଚାପ କେନ୍ଦ୍ରୀଭୂତ ହୋଇଛି। ଏହା ଡିପ୍ରେସନର ରୂପ ନେଉଛି। ଏହାର ପ୍ରଭାବରେ ୭ ତାରିଖ ସନ୍ଧ୍ୟାରୁ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ଆରମ୍ଭ ହେବ।
“ଆଗାମୀ ୪୮ ଘଣ୍ଟା ମଧ୍ୟରେ ଡିପ୍ରେସନ୍ ଡିପ୍ ଡିପ୍ରେସନରେ ପରିଣତ ହେବ। ପରେ ଏହା ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଆନ୍ଧ୍ରପ୍ରଦେଶ ନିକଟରେ ଘୂର୍ଣ୍ଣିବଳୟ ପହଞ୍ଚିବା ପରେ ଓଡ଼ିଶାରେ ବର୍ଷାର ପ୍ରଭାବ କମିବ”, ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ ଏହା କୁହାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି, “ଲଘୁଚାପ ପ୍ରଭାବରେ ୭ ତାରିଖରୁ ବର୍ଷା ହେବ। ପ୍ରଥମେ ଦକ୍ଷିଣ ଓଡ଼ିଶାରୁ ବର୍ଷା ଆରମ୍ଭ ହେବ। ୮ ଏବଂ ୯ ତାରିଖରେ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିବ। ଘଣ୍ଟାକୁ ୪୦ରୁ ୫୦ କି ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ଆନ୍ଧ୍ରପ୍ରଦେଶ ନିକଟତର ହେବା ପରେ ଦୁର୍ବଳ ହୋଇଯିବ।”
ଲଘୁଚାପ ପ୍ରଭାବରେ ସମୁଦ୍ର ଆଶାନ୍ତ ରହିବ। ଏଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନଯିବା ପାଇଁ କୁହାଯାଇଛି।
ଲଘୁଚାପ ବର୍ଷାକୁ ନେଇ ଚାଷୀକୂଳ ଚିନ୍ତାରେ ପଡ଼ିଛନ୍ତି। କିପରି ଫସଲ ସୁରକ୍ଷା କରିବେ ତାକୁନେଇ ଭାଳି ହେଉଛନ୍ତି। ଚାଷୀଙ୍କ ଫସଲକୁ ଯେପରି ସୁରକ୍ଷିତ ରଖାଯିବ ସେଥିପାଇଁ ଜିଲ୍ଲାପାଳମାନେ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ୨୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମଣ୍ଡିରେ ମଧ୍ୟ ଧାନ ସୁରକ୍ଷିତ ସ୍ଥାନରେ ରଖିବା ଲାଗି ଆରଏମ୍ଏସ୍କୁ କୁହାଯାଇଛି।
ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କଳାହାଣ୍ଡି, ମାଲକାନଗିରି ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ପଡ଼ିବ।


















