ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ବାତ୍ୟାକୁ ନେଇ କୌଣସି ସୂଚନା ଦିଆଯାଇନାହିଁ। ଅକ୍ଟୋବର ପ୍ରଥମ ସପ୍ତାହରେ ରାଜ୍ୟରେ ବାତ୍ୟା ହେବା ନେଇ ଚର୍ଚ୍ଚା ହେଉଥିବାବେଳେ ଏହାକୁ ଖଣ୍ଡନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର (ଆଇଏମଡି) ମହାନିର୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର। ତେବେ ଆଗକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇ ଓଡ଼ିଶା ମୁହାଁ ହେବ ବୋଲି ସେ ଶୁକ୍ରବାର ନୂଆଦିଲ୍ଲୀରେ କହିଛନ୍ତି।

“ଓଡ଼ିଶାରେ ଅଧିକାଂଶ ସମୟରେ ଅକ୍ଟୋବର ମାସରେ ବାତ୍ୟା ହୋଇଥିବା ଦେଖିବାକୁ ମିଳିଛି। ହେଲେ ଚଳିତବର୍ଷ ଏ ଯାଏଁ ବାତ୍ୟାର କିଛି ସୂଚନା ଦିଆଯାଇନାହିଁ। ସେପ୍ଟେମ୍ବର ଶେଷ ସପ୍ତାହ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଅକ୍ଟୋବର ପ୍ରଥମ ସପ୍ତାହରେ ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି”, କହିଛନ୍ତି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର।

ସେ ଆହୁରି ମଧ୍ୟ କହିଛନ୍ତି, “ଲଘୁଚାପ ସୃଷ୍ଟି ହେବାପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଓଡ଼ିଶା ଉପକୂଳକୁ ଆସିପାରେ। କ୍ରମେ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ବାତ୍ୟା ନେଇ କୌଣସି ଚିତ୍ର ସ୍ପଷ୍ଟ ହୋଇନଥିବା ବେଳେ ଏହାର ସମ୍ଭାବନା କମ୍ ରହିଛି।”

ସେହିପରି ଲଘୁଚାପଟି ବାତ୍ୟାରେ ପରିଣତ ହେବାର ସମ୍ଭାବନାକୁ ଆଇଏମଡିରେ ଏବେ ବିଭିନ୍ନ ମଡେଲ ମାଧ୍ୟମରେ ସମୀକ୍ଷା କରାଯାଉଥିବା ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ତେବେ ବାତ୍ୟାକୁ କୌଣସି ଗୁଜବରେ ବିଶ୍ୱାସ ନକରିବାକୁ ସେ ପରାମର୍ଶ ଦେଇଛନ୍ତି।

ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ଓଡ଼ିଶାରେ ବାତ୍ୟା ହେବାର ସମ୍ଭାବନା ଥିବା ଗୁରୁବାର ଆକ୍ୟୁୱେଦର, ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ (ଜିଏଫଏସ୍) ଓ ଅନ୍ୟ କିଛି ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି। ଏହି ଖବର ସାମ୍ନାକୁ ଆସିବାପରେ ଏବେ ରାଜ୍ୟରେ ବାତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Tags: #CycloneAlert #LowPressure #Rainfall #Odisha #MrutyunjayMohapatra #IMD

Comment