ଭାସ୍କର ପରିଚ୍ଛା

ମହାନଦୀ ପ୍ରସଙ୍ଗଟି ପୁଣି ଥରେ ସାମ୍ନାକୁ ଆସିଛି। ଟ୍ରିବ୍ୟୁନାଲ ଗଠନ ସମ୍ପର୍କରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ଜବାବ ପରେ ଏହା ଊଣା ଅଧିକ ସ୍ପଷ୍ଟ ହୋଇଛି ଯେ କେନ୍ଦ୍ର ଏହି ପ୍ରସଙ୍ଗରେ ତାର ମନୋଭାବ ପରିବର୍ତ୍ତନ କରିବାକୁ ଆଦୌ ଚାହୁଁନାହିଁ। ଶାସକ ବିଜେଡି ଏ ପର୍ଯ୍ୟନ୍ତ ଯେଉଁ ଅଭିଯୋଗ କରି ଆସିଛି ଯେ ଓଡ଼ିଶା ପ୍ରତି କେନ୍ଦ୍ର ବୈମାତୃକ ଭାବ ପୋଷଣ କରୁଛି ତାହା ବର୍ତ୍ତମାନ ସତ ପ୍ରମାଣିତ ହୋଇଛି।

ସୁପ୍ରିମକୋର୍ଟରେ ଏନେଇ ଯେଉଁ ଶୁଣାଣି ହେବ ସେଥିରେ ଓଡିଶା ପାଇଁ ବିଶେଷ କିଛି ଫାଇଦା ହେବ ତାହା ଦେଖାଯାଉ ନାହିଁ। କାରଣ କେନ୍ଦ୍ର ସରକାରଙ୍କ ଇଚ୍ଛା ବିନା କୌଣସି ଟ୍ରିବୁନାଲ ଗଠନ ସମ୍ଭବ ନୁହେଁ।  ଟ୍ରିବ୍ୟୁନାଲ ଗଠନ କରିବାକୁ କେନ୍ଦ୍ର ସରକାର ମନା କରିବା ପଛରେ ଯେଉଁ ଯୁକ୍ତି ଦର୍ଶାଇଛନ୍ତି ତାହା ଗୋଟିଏ ରକମ ଧର୍ମକୁ ଆଖିଠାର ଭଳି। ଯଦି ପୂରା ଘଟଣାକ୍ରମ ଉପରେ ଆମେ ନଜର ପକେଇବା, ଗୋଟିଏ କଥା ସ୍ପଷ୍ଟ ହେବ ଯେ ମହାନଦୀ ବିବାଦରେ କେନ୍ଦ୍ର ବରାବର ଛତିଶଗଡ଼ ସରକାରଙ୍କୁ ପରୋକ୍ଷ ଭାବେ ହେଉ କି ପ୍ରତ୍ୟକ୍ଷ ଭାବେ ହେଉ ସମର୍ଥନ କରିଆସିଛନ୍ତି, ଆଉ ଆଗକୁ କରିବେ ମଧ୍ୟ। କାରଣ ସ୍ପଷ୍ଟ। ସେଠି ତାଙ୍କ ଦଳର ସରକାର ଅଛି।

ଛତିଶଗଡ ଓ ଓଡ଼ିଶା ମଧ୍ୟରେ ଦୀର୍ଘ ତିନି ବର୍ଷ ଧରି ଚାଲି ଆସୁଥିବା ବିବାଦକୁ ସମାଧାନ କରିବା ପାଇଁ ଯେଉଁ ୧୨ ଜଣ ସଦସ୍ୟ ବିଶିଷ୍ଟ ନେଗୋସିଏସନ କମିଟି ଗଠିତ ହୋଇଥିଲା ତାହା ବୁଝିବାକୁ ଗଲେ ଏକ ବୃଥା ପ୍ରୟାସ ଥିଲା। ଏହି କମିଟିର କୌଣସି ବୈଠକରେ ଓଡ଼ିଶା ଯୋଗ ଦେଇନଥିଲା। ଛତିଶଗଡ଼ ମାତ୍ର ଗୋଟିଏରେ ଭାଗ ନେଇଥିଲା। ଏହିଭଳି ତ୍ରିଶଙ୍କୁ ସ୍ଥିତିରେ ଏହି କମିଟି ଯେଉଁ ଚୂଡ଼ାନ୍ତ ରିପୋର୍ଟ ସରକାରଙ୍କୁ ଦେଇଛି ତାହାର ତର୍ଜମା ହେବା ଉଚିତ। କମିଟି ରିପୋର୍ଟରେ ଲେଖିଛି ଯେ ଏଭଳି କମିଟି କରି କିଛି ଲାଭ ନାହିଁ, ବରଂ ସରକାର ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଚ୍ଚସ୍ତରରେ ଆଲୋଚନା କରନ୍ତୁ ଓ ବିକଳ୍ପ ପନ୍ଥା ଅବଲମ୍ବନ କରିବା ବିଷୟ ଚିନ୍ତା କରନ୍ତୁ।

ବର୍ତ୍ତମାନ ଯାହା ଦେଖାଯାଉଛି, କେନ୍ଦ୍ର ସରକାର ମହାନଦୀ ପ୍ରସଙ୍ଗରେ ଓଡ଼ିଶାକୁ ଦୋଷଦେଇ ହାତ ସଫା କରିବା ପାଇଁ ଚାହୁଁଛନ୍ତି। ଏପରିକି ଓଡ଼ିଶା ଉପରେ ଯେଉଁ ଦୋଷ ଲଦି ଦିଆଯାଇଛି ସେଥିରେ ବି କେନ୍ଦ୍ରର ପକ୍ଷପାତିତା ରହିଛି। କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଅଭିଯୋଗ କରି କୁହାଯାଇଛି ଯେ ଓଡ଼ିଶା ସରକାରଙ୍କ ପକ୍ଷରୁ ରୁର୍‌କିର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହାଇଡ୍ରୋଲଜିଙ୍କୁ ଯେଉଁ ତଥ୍ୟ ଦେବାର ଥିଲା ତାହା ଦିଆଗଲା ନାହିଁ।  କିନ୍ତୁ ପ୍ରକୃତ ଘଟଣାଟି ହେଉଛି, ଛତିଶଗଡ ସରକାର ମଧ୍ୟ ସେହି ସଂସ୍ଥାକୁ କୌଣସି ତଥ୍ୟ ଦେଇନାହାନ୍ତି। ନେଗୋସିଏସନ କମିଟିର ଅନ୍ତିମ ରିପୋର୍ଟରେ ଏ ବିଷୟ ଉଲ୍ଲେଖ କରାଯାଇଛି। କିନ୍ତୁ କେନ୍ଦ୍ର ଓଡ଼ିଶାକୁ ଦୋଷ ଦେବାବେଳେ ଛତିଶଗଡ଼କୁ ପୂରା ମାଫି ଦେଇଛନ୍ତି।

ଖାଲି ସେତିକି ନୁହେଁ, ସୁପ୍ରିମକୋର୍ଟରେ କେନ୍ଦ୍ର ଯେଉଁ ସଦ୍ୟ ଆଫିଡେଭିଟ ଦାଖଲ କରିଛନ୍ତି ସେଥିରେ କମିଟିର ଏହି ମତାମତକୁ ସମ୍ପୂର୍ଣ୍ଣ ଲୁଚାଇ ଦିଆଯାଇଛି।  ଏଥିରୁ ଆମେ କ’ଣ ବୁଝିବା? ଯଦି ମାମଲାର ପଛକୁ ଯାଇ ଆମେ ଦେଖିବା ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୧୬ରେ ପ୍ରଥମେ ଦାବି କରାଯାଇଥିଲା ଯେ ୧୯୬୫ ଆନ୍ତଃ-ରାଜ୍ୟ ଜଳବିବାଦ ଆଇନ ଅନୁଯାୟୀ ମହାନଦୀ ଜଳବିବାଦର ସମାଧାନ ପାଇଁ ଏକ ଟ୍ରିବୁନାଲ ଗଠନ ହେଉ। କିନ୍ତୁ ଟ୍ରିବ୍ୟୁନାଲ ଗଠନ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ନିଜ ଆଡୁ ଏହି ନେଗୋସିଏସନ କମିଟି ଗଠନ କଲେ। କଲେ ତ କଲେ ଏହି କମିଟିରେ ଜଳସମ୍ପଦ ବିଭାଗର ସଚିବଙ୍କୁ ସଦସ୍ୟ ହିସାବରେ ବି ନିଆଯାଇ ନଥିଲା।

ଓଡ଼ିଶା ସରକାର ବିଭିନ୍ନ ସମୟରେ କେନ୍ଦ୍ରକୁ ଚିଠି ଲେଖି କହିଆସିଛନ୍ତି ଯେ ମହାନଦୀକୁ ନେଇ ଯେଉଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ତାଙ୍କ ପାଖରେ ଅଛି ଏବଂ ଯାହାକୁ ନେଇ ଓଡ଼ିଶା-ଛତିଶଗଡ ମଧ୍ୟରେ ବିବାଦ ଛିଡ଼ା ହୋଇଛି ତାହା ଟ୍ରିବୁନାଲକୁ ଦିଆଯିବ। ନବୀନ ପଟ୍ଟନାୟକ ସରକାର ଏହା ମଧ୍ୟ ଦାବି କରି ଆସିଛନ୍ତି ଯେ କୌଣସି ପ୍ରକାର ଆଲୋଚନା ପୂର୍ବରୁ ଛତିଶଗଡ ପ୍ରଥମେ ବ୍ୟାରେଜ୍ ତିଆରି କରିବା ବନ୍ଦ କରିବା ଦରକାର। ତେଣେ ଦୁଇ ରାଜ୍ୟର ବିବାଦରେ କେନ୍ଦ୍ର ଜଳ କମିଶନ ମଧ୍ୟ ଭିଲିଏନ ସାଜିଛି।

ନିରପେକ୍ଷ ଭୂମିକା ଗ୍ରହଣ କରିବା ପରିବର୍ତ୍ତେ ସିଡବ୍ଲୁସି ଛତିଶଗଡକୁ ଅନ୍ଧ ଭାବରେ ସମର୍ଥନ କରିଛନ୍ତି। ଉଦାହରଣସ୍ୱରୂପ, କମିଶନ ଏକ ରିପୋର୍ଟରେ କହିଛି ବିଗତ ୨୯ ବର୍ଷର ରେକର୍ଡରୁ ଯାହା ଜଣାଯାଉଛି ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ଯେଉଁ ୩ଟି ଟର୍ମିନାଲ ପଏଣ୍ଟ ରହିଛି ସେଠି ମୌସୁମୀ ଓ ଅଣମୌସୁମୀ ସମୟରେ ଜଳର ପ୍ରବାହ ଆଦୌ କମି ନାହିଁ। ଏଥିରୁ ଆମେ କ’ଣ ବୁଝିବା?

ଓଡ଼ିଶାକୁ ଏକଘରିକିଆ କରିବାର ଆଉ ଏକ ପ୍ରମାଣ ହେଉଛି ଗତ ବର୍ଷ ଜୁଲାଇ ମାସରେ ହୋଇଥିବା ଏକ ବୈଠକ। ସଚିବ ସ୍ତରୀୟ ଏହି ବୈଠକରେ ଓଡ଼ିଶାକୁ ଆଙ୍ଗୁଠି ଦେଖାଇ କୁହାଯାଇଥିଲା ଯେ ମହାନଦୀରେ ଯେତେ ଜଳ ଛତିଶଗଡ଼ ଆଡୁ ଆସୁଛି ତାହାର ଉପଯୁକ୍ତ ବ୍ୟବହାର କରାଯାଉନାହିଁ। ଓଡ଼ିଶାର ଜଳସେଚନ କ୍ଷମତା ୩୯ ପ୍ରତିଶତରେ ହିଁ ଅଟକି ରହିଛି, ଏଣୁ ଅଧିକ ଜଳ ଦାବି କରିବା ପରିବର୍ତ୍ତେ ସେଚନ କ୍ଷମତାକୁ ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉ। ଏଣୁ ସ୍ପଷ୍ଟ ଭାବରେ କହିଲେ, ମହାନଦୀ ପ୍ରସଙ୍ଗରେ ବିଜେଡି ଆଜିର ଦିନରେ ପୂରା ସୁବିଧାରେ ଅଛି। ୨୦୧୯ ନିର୍ବାଚନରେ ମହାନଦୀ ବିବାଦ ଦଳ ପାଇଁ ଏହା କାମ ଦେବ ଏ ନେଇ ସନ୍ଦେହର ଅବକାଶ ନାହିଁ।

ଏ ସମଗ୍ର କଥାରୁ ଆମେ କ’ଣ ବୁଝିବା? ଓଡ଼ିଶା ଉପରୁ ବିଜେପିର ଭୋଟ ଭରସା ତୁଟିଯାଇଛି ଓ ସେହି କାରଣରୁ ଓଡ଼ିଶା ଛତିଶଗଡ଼କୁ ବରଂ ସାହାଯ୍ୟ କରାଯିବା ଉଚିତ ବୋଲି କେନ୍ଦ୍ର ନେତାମାନେ ଧରିନେଇଛନ୍ତି?

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

Comment