ଓଡ଼ିଶାଲାଇଭ୍ ବ୍ୟୁରୋ

ହୁସିଆର୍‌ ଦାଗୀ ନେତା। ପଡ଼ି ରହିଥିବା ଅପରାଧିକ ମାମଲା ବିଚାର ପାଇଁ ଦେଶରେ ପ୍ରତିଷ୍ଠା ହେବ ୧୨ ସ୍ୱତନ୍ତ୍ର କୋର୍ଟ। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ କେନ୍ଦ୍ର ସରକାର ମଙ୍ଗଳବାର ସହମତି ପ୍ରକାଶ କରିଛନ୍ତି।

ଦାଗୀ ନେତାଙ୍କ ପାଇଁ ଅଡ଼ୁଆ ବଢ଼ିଛି। କେନ୍ଦ୍ର ସରକାର ଦେଶରେ ୧୨ଟି ସ୍ୱତନ୍ତ୍ର କୋର୍ଟ ସ୍ଥାପନା କରିବାକୁ ରାଜି ହୋଇଛନ୍ତି। ବିଭିନ୍ନ କୋର୍ଟରେ ଦାଗୀ ନେତାଙ୍କ ନାଁରେ ପଡ଼ି ରହିଥିବା ମାମଲା ଏହି ସ୍ୱତନ୍ତ୍ର କୋର୍ଟରେ ବିଚାର କରାଯିବ। ୧୨ଟି ସ୍ୱତନ୍ତ୍ର କୋର୍ଟରେ ୧୫୭୧ ଅପରାଧିକ ମାମଲାର ଫଇସଲା ହେବ। ୨୦୧୪ ପର୍ଯ୍ୟନ୍ତ ଯେଉଁ ନେତାଙ୍କ ନାଁରେ ଅଭିଯୋଗ ହୋଇଛି ସେସବୁ ମାମଲା ତୁରନ୍ତ ଶୁଣାଣି କରାଯିବ।

୧ ବର୍ଷ ଭିତରେ ଏସବୁ ମାମଲା ବିଚାର କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଦାଗୀ ନେତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ କହିଥିଲେ। ଏପରିକି ଦୋଷୀ ସାବ୍ୟସ୍ତ ହେଲେ ଅଜୀବନ ନିର୍ବାଚନ ଲଢ଼ି ପାରିବେ ନାହିଁ ବୋଲି ନିୟମ କରିବାକୁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଥିଲେ। ହେଲେ କେନ୍ଦ୍ର ସରକାର ଏଥିରେ ରାଜି ହୋଇ ନଥିଲେ। ଦଣ୍ଡ ବ୍ୟବସ୍ଥାକୁ କୋହଳ କରିବା ଲାଗି କେନ୍ଦ୍ର ସରକାର କହିଥିଲେ। ୬ ବର୍ଷ ପର୍ଯ୍ୟନ୍ତ ଦାଗୀ ନେତା ନିର୍ବାଚନ ଲଢ଼ି ପାରିବେନି ନିୟମ କରିବାକୁ କେନ୍ଦ୍ର ସରକାର କହିଥିଲେ।

ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ନିର୍ବାଚନ ପୂର୍ବରୁ ଦାଗୀ ନେତାଙ୍କୁ ସୁପ୍ରିମକୋର୍ଟ ଏକ ବଡ଼ ଝଟକା ଦେଇଥିଲେ। ଦାଗୀ ନେତାଙ୍କ ବିରୋଧରେ ପଡ଼ି ରହିଥିବା ମାମଲା ଶୀଘ୍ର ଫଇସଲା କରିବାକୁ ସ୍ପେଶାଲ ଫାଷ୍ଟ ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ନେଇ ୬ ସପ୍ତାହ ମଧ୍ୟରେ ଡ୍ରାଫ୍ଟ ପ୍ଲାନ୍ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଆଜି କେନ୍ଦ୍ର ସରକାର ସହମତି ପ୍ରକାଶ କରିଛନ୍ତି।

Comment