ଓଡ଼ିଶାଲାଇଭ୍‌ ବ୍ୟୁରୋ

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ପଦ୍ମ ଫୁଟିଛି। ଗୁଜୁରାଟ ଏବଂ ହିମାଚଳ ପ୍ରଦେଶବାସୀ ବିଜେପି ଶାସନ ଉପରେ ଆସ୍ଥା ପ୍ରକଟ କରିଛନ୍ତି।

ଗୁଜୁରାଟର ମୋଟ ୧୮୨ ଆସନରୁ ବିଜେପି ୯୯ଟି ଆସନ ଦଖଲ କରିଛି। କଂଗ୍ରେସ ୮୦ଟିରେ ବିଜୟୀ ହୋଇଥିବା ବେଳେ ଅନ୍ୟମାନେ ୩ଟି ଆସନରେ ବିଜୟୀ ହୋଇଛନ୍ତି। ସେହିପରି ୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶରେ ବିଜେପିକୁ ୪୪ଟି ଆସନ ମିଳିଥିବା ବେଳେ କଂଗ୍ରେସ ୨୧ ଆସନ ପାଇଛି। ଅନ୍ୟମାନେ ୩ଟି ଆସନ ପାଇଛନ୍ତି।

ସବୁଠୁ ବଡ଼ କଥା ହେଉଛି ହିମାଚଳ ପ୍ରଦେଶରେ ବିଜେପିର ମୁଖ୍ୟମନ୍ତ୍ରୀ ଆଶାୟୀ ଥିଲେ ପ୍ରେମ କୁମାର ଧୂମାଲ। ଧୂମାଲ ମୁଖ୍ୟମନ୍ତ୍ରୀ ହେବେ ବୋଲି ମୋଦି ନିର୍ବାଚନ ପ୍ରଚାର ବେଳେ ଘୋଷଣା କରିଥିଲେ। ହେଲେ ଧୂମାଲଙ୍କ ପରାଜୟ ପରେ ବିଜେପିକୁ ବଡ଼ ଝଟକା ଲାଗିଥିବା କୁହାଯାଉଛି। ନଭେମ୍ବର ୯ରେ ହିମାଚଳ ପ୍ରଦେଶରେ ଭୋଟ ଗ୍ରହଣ ହୋଇଥିଲା। ୭୪.୬୧ ପ୍ରତିଶତ ମତଦାନ ହୋଇଥିଲା।

ଗୁଜୁରାଟରେ ଦୁଇଟି ପର୍ଯ୍ୟାୟରେ ଭୋଟ ହୋଇଥିଲା। ଡିସେମ୍ବର ୯ ଓ ୧୪ ତାରିଖରେ ଭୋଟ ଗ୍ରହଣ ହେବା ପରେ ୧୮ ତାରିଖରେ ଗଣତି ହୋଇଥିଲା। ଚଳିତ ନିର୍ବାଚନରେ କଂଗ୍ରେସର ୨ ପ୍ରତିଶତ ଭୋଟ ହାର ବୃଦ୍ଧି ପାଇଛି।

ବିଜେପି ୨୦୧୨ରେ ୧୧୫ଟି ଆସନରେ ବିଜୟୀ ହୋଇଥିଲା। ହେଲେ ଚଳିତ ଥର ୯୯ଟି ଆସନ ପାଇଛି ଏହି ଦଳ। କଂଗ୍ରେସ ୨୦୧୨ରେ ୬୧ଟି ଆସନରେ ବିଜୟୀ ହୋଇଥିବା ବେଳେ ଚଳିତ ଥର ୮୦ ଆସନ ପାଇଛି।

LEAVE A REPLY

Please enter your comment!
Please enter your name here