ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘‘ମୁଁ କୌଣସି ଦଳରେ ଯୋଗ ଦେବିନି। ଯଦି ବିଜେଡିରୁ ଡକରା ଆସେ ତାହାଲେ ସେ ସମୟ ଆସିଲେ ବିଚାର କରିବି’’, ଏହା ହେଉଛି ଡାକ୍ତର ଦାମୋଦର ରାଉତଙ୍କ ପ୍ରତିକ୍ରିୟା।

ବିଜେପିରୁ ଇସ୍ତଫା ଦେବା ଦାମଙ୍କର ଏହି ମନ୍ତବ୍ୟକୁ ନେଇ ରାଜନୀତି କରିଡ଼ରରେ ଚର୍ଚ୍ଚା ହେଉଛି। ଦାମ ପୁଣି ବିଜେଡିକୁ ଫେରି ପାରନ୍ତି ବୋଲି କୁହାଯାଉଛି। ତେବେ ବିଜେଡିକୁ ଫେରିବା ପାଇଁ ତାଙ୍କୁ ଡକରା ଆସୁଛି ନା ଦାମ ନିଜ ଆଡୁ ବିଜେଡି ଯାଉଛନ୍ତି ତା’ ଉପରେ ନଜର ରହିଛି।

ବିଜେପି ସହିତ ଦାମଙ୍କର ୭ ମାସର ସମ୍ପର୍କ। କିନ୍ତୁ ବିଜେଡି ସହିତ ଦାମଙ୍କ ସମ୍ପର୍କ ହେଉଛି ବିଜୁ ବାବୁଙ୍କ ଅମଳରୁ। ଜନତା ଦଳରୁ ରାଜନୀତିରେ ଇନିଂସ୍‌ ଆରମ୍ଭ କରିଥିବା ଦାମ ବିଜେଡି ଏବଂ ପରେ ବିଜେପିରେ ଯୋଗ ଦେଇଥିଲେ। ବିଜେଡି ସହ ସମ୍ପର୍କ କଟିବା ପରେ ଦାମ ବିଜେପି ସହ ନୂଆ ସମ୍ପର୍କ ଯୋଡ଼ିଥିଲେ। ହେଲେ ସେ ସମ୍ପର୍କକୁ ଦାମ ଆଜି ଛିନ୍ନ କରିଛନ୍ତି। ଦଳରେ ତାଙ୍କୁ ପଚରା ଯାଉ ନଥିବା ଅଭିଯୋଗ ଆଣି ଦାମ ବିଜେପିରୁ ଇସ୍ତଫା ଦେଇଛନ୍ତି।

ବିଜେପି ଛାଡ଼ିବା ପରେ ଦାମ କହିଛନ୍ତି ଯେ ସେ ରାଜନୀତିରେ ରହିବେ ଏବଂ ଲୋକଙ୍କ ସହ ଯୋଡ଼ି ହୋଇ ରହିବେ। କିନ୍ତୁ ନିର୍ବାଚନ ଲଢ଼ିବେ ନାହିଁ। ରାଜନୀତିରେ ସକ୍ରିୟ ରହିବାକୁ ହେଲେ ଦାମଙ୍କୁ କୌଣସି ଦଳରେ ସାମିଲ ହେବାର ଅଛି। ହେଲେ ଦାମଙ୍କ ପାଖରେ ଏବେ କେବଳ ବିଜେଡି ହିଁ ବିକଳ୍ପ ରହିଛି।

ଦାମଙ୍କ ପାଇଁ ଆଉ ଗୋଟିଏ ବିକଳ୍ପ ଦଳ କଂଗ୍ରେସ ଥିଲେ ମଧ୍ୟ ସେଥିରେ ଯୋଗ ଦେବାର ସମ୍ଭାବନା କମ୍‌। କାରଣ କଂଗ୍ରେସ ରାଜନୀତିରେ ଦାମଙ୍କ ଭଳି ଜଣେ ପୁରୁଖା ନେତା ଖାପ ଖୁଆଇ ରହି ପାରିବେ ନାହିଁ। ତାଛଡ଼ା କଂଗ୍ରେସର ବର୍ତ୍ତମାନ ଯାହା ଅବସ୍ଥା ସେ ଦଳକୁ ଦାମଙ୍କ ଭଳି ଜଣେ ଅନୁଭବୀ ନେତା ଯିବାକୁ ଚାହିଁବେ ନାହିଁ। ଏଣୁ ବିଜେଡି ହିଁ ତାଙ୍କ ପାଇଁ ଏକମାତ୍ର ରାସ୍ତା ବୋଲି କୁହାଯାଉଛି।

ଦାମ କେମିତି ଯିବେ ବିଜେଡି?

ଦାମ ଯେଉଁଭଳି ଭାବେ ବିଜେଡିରୁ ବିଦା ହେଲେ ସେକଥା ସମସ୍ତେ ଜାଣିଛନ୍ତି। ବିଜେଡିରେ ଥିବା ବେଳେ ତାଙ୍କରି ଦଳର ନେତା, ମନ୍ତ୍ରୀଙ୍କ ଗୁମର ଖୋଲି ବହିଷ୍କୃତ ହୋଇଥିଲେ ଦାମ। ହେଲେ ପଛ କଥାକୁ ଭୁଲି ବିଜେଡି ସଭାପତି ନବୀନ ପଟ୍ଟନାୟକ କ’ଣ ଦାମଙ୍କୁ ଦଳକୁ ସ୍ୱାଗତ କରିବେ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଦାମଙ୍କ ପୁଅ ସମ୍ବିତ ରାଉତରାୟ ଏବେ ବିଜେଡିରେ ଅଛନ୍ତି। ସେ ବିଜେଡି ଟିକେଟରେ ପାରାଦୀପ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଗତ କିଛିଦିନ ତଳେ ସମ୍ବିତ କହିଥିଲେ ଯେ ତାଙ୍କ ବାପା ବିଜେପିରେ ଖୁସି ନାହାନ୍ତି। ଯଦି ବିଜେଡି ସୁପ୍ରିମୋ ଚାହିଁବେ ତାହାଲେ ସେ ପୁଣି ଦଳକୁ ଫେରି ପାରନ୍ତେ। ଏଣୁ ଦାମ ଏବଂ ବିଜେଡି ଭିତରେ ପୁଅ ସମ୍ବିତ ସେତୁ ଭଳି କାମ କରିପାରନ୍ତି ବୋଲି କୁହାଯାଉଛି।

ଅତୀତରେ ବିଜେଡିର ଅନ୍ୟତମ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇଙ୍କୁ ଦଳ ବହିଷ୍କାର କରିଥିଲା। ନବୀନଙ୍କୁ ‘ଅଷ୍ଟାଶ୍ଚର୍ଯ୍ୟ’ କହି ଘଡ଼ାଇ ବିଦା ହୋଇଥିଲେ। କିନ୍ତୁ ଗତ ନିର୍ବାଚନ ପୂର୍ବରୁ ଘଡ଼ାଇକୁ ବିଜେଡି ସ୍ୱାଗତ କରିଥିଲା। ପ୍ରଫୁଲ୍ଲ ଘଡ଼ାଇଙ୍କ ପୁଅ ପ୍ରୀତିରଞ୍ଜନ ଘଡ଼ାଇ ମଧ୍ୟ ବିଜେଡିର ବିଧାୟକ।

ଏଣୁ ଘଡ଼ାଇ ଯେମିତି ବହିଷ୍କୃତ ପରେ ପୁଣି ଦଳକୁ ଫେରିଲେ ଠିକ୍‌ ସେମିତି ଦାମ ନିଜ ଘରକୁ ବାହୁଡ଼ି ପାରନ୍ତି ବୋଲି କୁହାଯାଉଛି।

‘‘ବାପା ବିଜେପିରେ ବେଶୀଦିନ ତିଷ୍ଠି ପାରିବେ ନାହିଁ ବୋଲି ଆଗରୁ ମୁଁ ଜାଣିଥିଲି। ସେ ଦଳରେ ସେ ଅଣନିଶ୍ୱାସୀ ହୋଇଯାଇଥିଲେ। ବିଜେପି ଛାଡ଼ି ସେ ଠିକ୍‌ ନିଷ୍ପତ୍ତି ନେଇଛନ୍ତି’’, କହିଛନ୍ତି ସମ୍ବିତ ରାଉତରାୟ।

୭ ମାସ ତଳେ ଧରିଥିଲେ ପଦ୍ମ

ବିଜେଡିରୁ ବହିଷ୍କୃତ ହେବା ପରେ ଦାମ ନୂଆଦିଲ୍ଲୀରେ ପଦ୍ମ ଧରିଥିଲେ। ବିଜେପିରେ ସାମିଲ ହୋଇ ଦାମ ନବୀନ ଏବଂ ବିଜେଡି ନେତାଙ୍କୁ ତୀର ମାରିଥିଲେ। ଦାମ ବାଲିକୁଦା ଏରସା ଆସନରୁ ପ୍ରାର୍ଥୀ ହୋଇଥିଲେ। ହେଲେ ଭାଗ୍ୟ ତାଙ୍କର ସାଥ୍‌ ଦେଲାନି। ୩୫ ବର୍ଷର ନିର୍ବାଚନ ଲଢ଼େଇ ଭିତରେ ଦାମ ପ୍ରଥମ ଥର ପାଇଁ ପରାଜିତ ହୋଇଥିଲେ।

ଏହି ପରାଜୟ ପରେ ହିଁ ଦାମ-ବିଜେପି ଭିତରେ ଦୂରତା ବଢ଼ିଥିଲା। ଦାମ ବିଜେପି ନାଁରେ ଅଭିଯୋଗ ଆଣିଥଲେ। ଦଳ ତାଙ୍କୁ ପଚାରୁ ନଥିବା ଦାମ କହିଥିଲେ। ହେଲେ ବିଜେପି ଏହାକୁ ମାନିବାକୁ ନାରାଜ।

‘‘ଦଳରେ ସମସ୍ତେ ସମାନ। ବିଜେପି ବ୍ୟକ୍ତି କୈନ୍ଦ୍ରିକ ଦଳ ନୁହେଁ। ସବୁ ବର୍ଗର ନେତାଙ୍କୁ ନେଇ ଚାଲେ। ଦଳରେ ଯିଏ ସର୍ବୋଚ୍ଚ ନେତା ସେ ଜଣେ କାର୍ଯ୍ୟକର୍ତ୍ତା। ପ୍ରଧାନମନ୍ତ୍ରୀ ବି ଜଣେ କାର୍ଯ୍ୟକର୍ତ୍ତା। ଏଣୁ ଦାମ ବାବୁ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ଠିକ୍ ନୁହେଁ। ତାଙ୍କୁ ଆବଶ୍ୟକତା ବେଳେ କାର୍ଯ୍ୟକ୍ରମକୁ ଡକା ଯାଉଥିଲା’’, କହିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା।

ଦାମ ଏବଂ ବିଜେପି ରାଜ୍ୟ ସଭାପତିଙ୍କ ମନ୍ତବ୍ୟ ରାଜନୀତି ପାଣିପାଗକୁ ଗୋଳିଆ କରିଛି। କିଏ କାହାକୁ ଛାଡ଼ିଲା ତାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଦାମଙ୍କୁ ବିଜେପି ଦୂରେଇଲା ନା ଦାମ ବିଜେପିଠୁ ଦୂରେଇଲେ ତାକୁ ନେଇ ଚର୍ଚ୍ଚା ବଢ଼ିଛି।

Comment