ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କେବଳ ଗଞ୍ଜାମ ନୁହେଁ ସମଗ୍ର ଓଡ଼ିଶାର ଏକ ଗୁରୁତ୍ଵପୂର୍ଣ୍ଣ ଆସନ ହେଉଛି ଦିଗପହଣ୍ଡି। ଅନେକ ବର୍ଷରୁ ଏହା ବିଜେଡିର ଗଡ଼ ରହି ଆସିଛି। ଓଡ଼ିଶା ରାଜନୀତିର ଟାଣୁଆ ନେତା ସୂର୍ଯ୍ୟନାରାୟଣ ପାତ୍ର ଏଠାରୁ ବିଧାୟକ ହୋଇଆସୁଥିଲେ। ଏବେ ତାଙ୍କ ପରେ ଏଠାରେ ସଂଗଠନ ଓ ଅନୁକମ୍ପାକୁ ନେଇ ବୈତରଣୀ ପାର୍ ହେବାକୁ ଚେଷ୍ଟା କରୁଛି ବିଜେଡି। ଦଳ ସୂର୍ଯ୍ୟଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ଏଠାରୁ ପ୍ରାର୍ଥୀ କରିଛି।

ସେହିପରି ବିଜେପି ମଧ୍ୟ ସୂର୍ଯ୍ୟଙ୍କ ଏହି ଗଡ଼ରେ ପଦ୍ମ ଫୁଟାଇବାକୁ ଜୋରଦାର ପ୍ରସ୍ତୁତି ଚଳାଇଛି। ଦଳ ଏଠାରୁ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ସାକା ସୁଜିତ କୁମାର ମଧ୍ୟ କିଛି ଓଲଟପାଲଟ କରିବା ଆଶାରେ ରଣନୀତି କରୁଛନ୍ତି। ପୂର୍ବ ନିର୍ବାଚନ ଭଳି ଦିଗପହଣ୍ଡିରେ ଏଥର ଏକପାଖିଆ ନା ତ୍ରିମୁଖୀ ଲଢ଼େଇ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି।

ବାପା ପରେ ପୁଅଙ୍କ ଲଢ଼େଇ

ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର ଲଗାତର ଦିଗପହଣ୍ଡିରୁ ନିର୍ବାଚନ ଜିତି ଆସୁଥିଲେ। ତାଙ୍କ ବିୟୋଗ ପରେ ନିୟମିତ ବିଧାନସଭା ନିର୍ବାଚନ ପାଇଁ ଅଳ୍ପ ସମୟ ଥିବାରୁ ଆଉ ଏଠାରେ ଉପ ନିର୍ବାଚନ ହୋଇନଥିଲା। ଏଥର ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର। ବାପାଙ୍କ ଅପରାଜେୟ ରେକର୍ଡ, ବିଜେଡିର ସଂଗଠନ ଓ ବାପାଙ୍କ ଦେହାନ୍ତ ପରେ ଅନୁକମ୍ପାକୁ ଅସ୍ତ୍ର କରି ଲଢୁଛନ୍ତି ବିପ୍ଳବ।

କେତେ ସହଜ ହେବ ନିର୍ବାଚନ

ଏ ନିର୍ବାଚନ ମଣ୍ଡଳୀରୁ ଭଲ ବ୍ୟବଧାନରେ ବିଜୟୀ ହୋଇ ଆସୁଥିଲେ ସୂର୍ଯ୍ୟନାରାୟଣ ପାତ୍ର। ୨୦୧୯ରେ କିନ୍ତୁ ବିଜେପିର ହଠାତ୍ ଉତ୍ଥାନ ଯୋଗୁ କଂଗ୍ରେସ ବହୁତ ଭୋଟ୍ ହରାଇଥିଲା। ବିଜେଡିର ବିଜୟ ବ୍ୟବଧାନ ମଧ୍ୟ ପୂର୍ବ ଅପେକ୍ଷା ହ୍ରାସ ପାଇଥିଲା। ଏଥର ସୂର୍ଯ୍ୟ ପାତ୍ର ନାହାନ୍ତି। ବିପ୍ଳବ ନୂଆ ହୋଇଥିବାରୁ ବାପାଙ୍କ ଭଳି ବିଚକ୍ଷଣତା ଓ ନିର୍ବାଚନ ପରିଚାଳନାର ଉତ୍ତମ ଅନୁଭବ ତାଙ୍କର ନାହିଁ। ତେଣୁ ଏଥର ନିର୍ବାଚନ କଡ଼ା ଟକ୍କର ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

ବିପ୍ଳବଙ୍କ ପାଇଁ ଆହ୍ଵାନ

ବିପ୍ଳବ ପାତ୍ରଙ୍କ ବଡ଼ ପରିଚୟ ସେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ। ଏ ନିର୍ବାଚନ ମଣ୍ଡଳୀର ହୋଇଥିବା ସବୁ ବିକାଶମୂଳକ କାମର ନିର୍ବାଚନୀ ଫାଇଦା ତାଙ୍କୁ ମିଳିବାର ସମ୍ଭାବନା ରହିଛି। କିନ୍ତୁ ଅନେକ ଅଭିଯୋଗ ଅଛି ଯାହାର ତାଙ୍କୁ ସମ୍ମୁଖୀନ ହେବାକୁ ପଡ଼ିବ। ଜଳ ଯୋଗାଣର ବିକାଶ ହୋଇଛି ତଥାପି ଅନେକ ଅଞ୍ଚଳରେ ଏହା ପହଞ୍ଚି ନଥିବା ଅଭିଯୋଗ ରହିଛି। ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତଙ୍କର ଅଭିଯୋଗ ମଧ୍ୟ ରହିଛି। ଏସବୁ ଅସନ୍ତୋଷକୁ ଦୂର କରିବା ବିପ୍ଳବଙ୍କ ପାଇଁ ଆହ୍ଵାନ।

ପରିବର୍ତ୍ତନ ଆଶାରେ ସିଦ୍ଧାନ୍ତ

୨୦୧୯ ବିଧାନସଭା ନିର୍ବାଚନରେ ଦିଗପହଣ୍ଡିରୁ ବିଜେପିର ପ୍ରାର୍ଥୀ ହୋଇଥିଲେ ଅଭିନେତ୍ରୀ ପିଙ୍କି ପ୍ରଧାନ। ରାଜନୀତିରେ ନବାଗତ ହୋଇଥିଲେ ମଧ୍ୟ ଭଲ ଲଢ଼େଇ କରିଥିଲେ। ବିଜେପି ସପକ୍ଷରେ ୨୫ ପ୍ରତିଶତ ଭୋଟ୍ ପଡ଼ିଥିଲା। ଏଥର ବିଜେପିର ପ୍ରାର୍ଥୀ ହୋଇଛନ୍ତି ବ୍ରହ୍ମପୁରରୁ ଦୁଇ ଦୁଇଥର ସାଂସଦ ହୋଇଥିବା ସିଦ୍ଧାନ୍ତ ମହାପାତ୍ର। କିଛି ଦିନ ତଳେ ବିଜେଡି ଛାଡ଼ି ବିଜେପି ଆସିଛନ୍ତି। ବିଜେପି ସପକ୍ଷରେ ମତ ପରିବର୍ତ୍ତନକୁ କେତେ ପରିମାଣରେ ସିଦ୍ଧାନ୍ତ ସଫଳ କରିପାରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି।

ନୂଆ ବନାମ ଅନୁଭବୀ

ଉଭୟ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଅନୁଭବୀ। ଏକାଧିକ ଥର ନିର୍ବାଚନ ଲଢ଼ିଛନ୍ତି। ଭୋଟରଙ୍କ ମୁଡ୍ ବୁଝିଛନ୍ତି। ତେଣୁ ଏ ଦୃଷ୍ଟିରୁ ବିପ୍ଳବ ନୂଆ। ଦୁଇ ପୁରୁଣା ନେତାଙ୍କୁ ଟକ୍କର ଦେବା ତାଙ୍କ ପାଇଁ ବଡ଼ ଆହ୍ଵାନ। ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିପ୍ଳବ ଦଳରେ ବିରୋଧରେ ସମ୍ମୁଖୀନ ହୋଇଥିଲେ। ତାଙ୍କ ପ୍ରାର୍ଥୀ ନିର୍ବାଚନରେ ହାରିଯାଇଥିଲେ। ତେଣୁ ତାଙ୍କ ପାଇଁ ବିଜେଡିର ସମାନ୍ତରାଳ ସଂଗଠନ ଅଡୁଆ ହୋଇପାରେ ବୋଲି କୁହାଯାଉଛି।

କଂଗ୍ରେସରେ ଘଡ଼ିକେ ଘୋଡ଼ା ଛୁଟୁଛି

ବିଜେଡି ଓ ବିଜେପିରେ ପ୍ରାର୍ଥୀଙ୍କୁ ନେଇ କୌଣସି ଦ୍ଵନ୍ଦ୍ଵ ନାହିଁ। ବିପ୍ଳବ ଓ ସିଦ୍ଧାନ୍ତ ପ୍ରଚାର ଆରମ୍ଭ କରିଥିବା ବେଳେ କଂଗ୍ରେସ ହଠାତ୍ ପ୍ରାର୍ଥୀ ପରିବର୍ତ୍ତନ କରି ଉଭୟ ନେତା ଓ କର୍ମୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଶ୍ରୀଧର ଦେବଙ୍କୁ ଦିଗପହଣ୍ଡିରୁ ଦଳ ପ୍ରାର୍ଥୀ କରିଥିଲା। କିନ୍ତୁ କିଛିଦିନ ତଳେ ପୁରୁଣା ନେତା ତଥା କଂଗ୍ରେସ ଟିକଟରୁ ପୂର୍ବରୁ ବିଧାୟକ ନିର୍ବାଚନ ଲଢ଼ିଥିବା ସାକା ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ।

କଂଗ୍ରେସକୁ ଫେରିବ ତ ପୁରୁଣା ଭୋଟ୍

ଦିଗପହଣ୍ଡିରେ ନିର୍ବାଚନୀ ଲଢ଼େଇ ଏଥର ଜୋରଦାର ହେବାକୁ ଯାଉଛି। କିନ୍ତୁ କଂଗ୍ରେସ ତାର ପୁରୁଣା ଭୋଟ୍ ଫେରିପାଇବ କି ନାହିଁ ତାହା ବଡ଼ ପ୍ରଶ୍ନ। କଂଗ୍ରେସର ପାରମ୍ପରିକ ଭୋଟ୍ ବ୍ୟାଙ୍କ ଗତ ନିର୍ବାଚନରୁ ଭାଙ୍ଗି ସାରିଛି। ସୁଜିତ କୁମାରଙ୍କର ନିର୍ବାଚନ ଲଢ଼ିବାର ଅଭିଜ୍ଞତା ଥିଲେ ମଧ୍ୟ ପୁଣି ଥରେ ଭୋଟର କଂଗ୍ରେସ ମୁହାଁ ହେବେ କି ଅଧିକ ସଂଖ୍ୟାରେ ମୁହଁ ଫେରାଇ ନେବେ ତା ଏକ ବଡ଼ ପ୍ରଶ୍ନବାଚୀ।

୨୦୦୯ରୁ ବିଜେଡି ଦିଗପହଣ୍ଡି ଆସନରୁ ଜିତି ଆସୁଛି। ୨୦୦୯ରେ ବିଜେଡି ପ୍ରାର୍ଥୀ ସୂର୍ଯ୍ୟନାରାୟଣ ପାତ୍ର ସର୍ବାଧିକ ୬୨,୨୧୯ ଭୋଟ ପାଇଥିଲେ। ତେବେ କଂଗ୍ରେସ ପ୍ରାର୍ଥୀ ରବି ନାରାୟଣ ରାଜୁ ୩୨,୪୫୬ ଓ ବିଜେପି ପ୍ରାର୍ଥୀ ଶ୍ରୀଧର ଦେବ ମାତ୍ର ୪,୧୧୯ ଭୋଟ୍ ପାଇଥିଲେ।

୨୦୧୪ ନିର୍ବାଚନରେ ସୂର୍ଯ୍ୟନାରାୟଣ ୭୮,୯୪୯ ଭୋଟ, କଂଗ୍ରେସର ସାକା ସୁଜିତ କୁମାର ୩୩,୦୫୨ ଓ ବିଜେପିର ବିଜୟ ସ୍ଵାଇଁ ୭,୭୭୧ ଭୋଟ୍ ପାଇଥିଲେ।

ଏହାପରେ ୨୦୧୯ରେ ସୂର୍ଯ୍ୟନାରାୟଣ ୭୫,୦୧୬ ଭୋଟ ପାଇ ବିଜୟୀ ହୋଇଥିବାବେଳେ ବିଜେପିର ପିଙ୍କି ପ୍ରଧାନ ୩୫,୫୬୪ ଖଣ୍ଡ ଭୋଟ ପାଇ ଦ୍ଵିତୀୟରେ ରହିଥିଲେ। କଂଗ୍ରେସର ପ୍ରଫୁଲ୍ଲ ପଣ୍ଡା ୧୭,୮୧୫ ଖଣ୍ଡ ଭୋଟ୍ ପାଇଥିଲେ।

ବିଜେଡି ସପକ୍ଷରେ ପୁରୁଣା ପରିସଂଖ୍ୟାନ

ଦିଗପହଣ୍ଡିରେ ନିର୍ବାଚନର ପୁରୁଣା ପରିସଂଖ୍ୟାନ ବିଜେଡି ସପକ୍ଷରେ ଅଛି। କିନ୍ତୁ ଗତ ଥର ବିଜେପି ବହୁତ ଭଲ ପ୍ରଦର୍ଶନ କରିଥିବାରୁ ଏଥର ବି ଲଢ଼େଇ ଜୋରଦାର ହେବାର ସମ୍ଭାବନା ରହିଛି। କଂଗ୍ରେସ ଯଦି ତାର ଭୋଟ୍ ରଖିବାରେ ସଫଳ ହୁଏ ତେବେ ବିଜେପି ପ୍ରାର୍ଥୀଙ୍କ ପାଇଁ ଏ ନିର୍ବାଚନ ଆଦୌ ସହଜ ହେବନାହିଁ ବୋଲି ରାଜନୈତିକ ସମୀକ୍ଷକ ମତ ଦେଉଛନ୍ତି।

Tags: #OdishaAssemblyElections2024 #DigapahandiAssemblyseat #BJD #BJP #Congress #Politics #Odisha

Comment