ଅଶୋକ ବହିଦାର

ପାଖେଇ ଆସୁଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଏଥିପାଇଁ ସଜେଇ ହେଉଛି ବରଗଡ଼ ସହର। କେଉଁଠି ତୋରଣ ନିର୍ମାଣ ଚୂଡ଼ାନ୍ତ ପର୍ଯ୍ୟୟରେ ପହଞ୍ଚିଛି ତ ଆଉ କେଉଁଠି ଚିତ୍ରକର ଚିତ୍ରରେ ଶେଷ ସ୍ପର୍ଶ ଦେଉଛନ୍ତି। ସହରକୁ ସଫାସୁତୁରା ଏବଂ ସୁନ୍ଦର କରିବା ପାଇଁ ପ୍ରଶାସନ ବି କାମରେ ଲାଗି ପଡ଼ିଛି।

ଡିସେମ୍ବର ୨୩ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ୨୦୧୮ ଜାନୁଆରୀ ୨ ପର୍ଯ୍ୟନ୍ତ ଏହା ଚାଲିବ। ଏନେଇ ବିଭିନ୍ନ ଗଣମାଧ୍ୟମରେ ଜୋରଦାର ପ୍ରଚାର- ପ୍ରସାର ଆରମ୍ଭ ହୋଇଗଲାଣି। ବରଗଡ଼ ସହର ସମେତ ଆଖପାଖ ଅଞ୍ଚଳରେ ହୋର୍ଡିଂ ଲାଗିଲାଣି।

ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି

୨୦୧୭-୧୮ର ଧନୁଯାତ୍ରାକୁ ସବୁଦିଗରୁ ସଫଳ କରିବା ପାଇଁ ପ୍ରଶାସନିକ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ଆୟୋଜକ କମିଟିର ମୁଖ୍ୟ ତଥା ବରଗଡ଼ ଜିଲ୍ଲାପାଳ ସବ-କମିଟିମାନଙ୍କୁ ନେଇ ଧନୁଯାତ୍ରା ଅଗ୍ରଗତିର ସମୀକ୍ଷା କରିଚାଲିଛନ୍ତି। ଲକ୍ଷ ଲକ୍ଷ ଦର୍ଶକଙ୍କ ଭିଡକୁ ଆଖି ଆଗରେ ରଖି ଜିଲ୍ଲା ପୋଲିସ ତରଫରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଏବଂ ଟ୍ରାଫିକ୍ ସମସ୍ୟା ଯେପରି ସୃଷ୍ଟି ନ ହୁଏ ସେଥିପାଇଁ ଅନେକ ପଦକ୍ଷେପ ନେବା ଲାଗି ପ୍ରସ୍ତୁତି ଚାଲିଛି।

ଯାତ୍ରା ସମୟରେ ଯେପରି ବିଦ୍ୟୁତ୍ ବିଭ୍ରାଟ ନ ଘଟେ ସେଥିପାଇଁ ୱେସ୍କୋ ତରଫରୁ ସ୍ୱତନ୍ତ୍ର ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି। ପାନୀୟ ଜଳ ଯୋଗାଇଦେବା ପାଇଁ ପିଏଚଡି ତରଫରୁ ବ୍ୟବସ୍ଥା ଆରମ୍ଭ ହୋଇଯାଇଛି।

ଯାତ୍ରା ସମୟରେ ଯେପରି ଯାତାୟତରେ କୌଣସି ଅସୁବିଧା ନ ହୁଏ ସେଥିପାଇଁ ପରିବହନ ବିଭାଗ ତରଫରୁ ମଧ୍ୟ ଅନେକ ପଦକ୍ଷେପ ନିଆଯାଉଛି। ମୋଟାମୋଟି ଭାବେ ସରକାରୀ ଓ ବେସରକାରୀ ସ୍ତରରେ ଧନୁଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ବରଗଡ଼ ଧନୁଯାତ୍ରାକୁ ସଫଳ କରିବା ପାଇଁ ବରଗଡ଼ ପୌରପରିଷଦର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ରାସ୍ତା ମରାମତି, ସହରର ପରିମଳ ବ୍ୟବସ୍ଥା, ଡ୍ରେନ୍‌ ସଫେଇ କାମରେ ପୌର କର୍ମଚାରୀମାନେ ଲାଗି ପଡ଼ିଛନ୍ତି। ସହରରେ ଉଜ୍ୱଳ ଆଲୋକ ବ୍ୟବସ୍ଥା ପାଇଁ ବରଗଡ଼ ପୌରପରିଷଦ ବିଶେଷ ପଦକ୍ଷେପ ନେଇଛି।

ପ୍ରବେଶ ପଥରେ ଚାଲିଛି ତୋରଣ ନିର୍ମାଣ

ବିଭିନ୍ନ ବ୍ୟକ୍ତି, ଅନୁଷ୍ଠାନ ମଧ୍ୟ ନିଜ ତରଫରୁ ବରଗଡ଼ ଧନୁଯାତ୍ରାକୁ ସୁନ୍ଦର ଭାବେ ଆୟୋଜନ କରିବା ପାଇଁ ହାତ ବଢ଼େଇଛନ୍ତି। ସାରା ସହରର ବ୍ୟାବସାୟିକ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ, ସାମାଜିକ ଅନୁଷ୍ଠାନ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ଧନୁଯାତ୍ରା ସମୟରେ ଉଜ୍ୱଳ ଓ ରଙ୍ଗୀନ୍ ଆଲୋକରେ ଝଲସାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ସହରର ବିଭିନ୍ନ ପ୍ରବେଶ ଦ୍ୱାରରେ ସୁନ୍ଦର ସୁନ୍ଦର ତୋରଣ ନିର୍ମାଣ କାମରେ କାରିଗରମାନ ଲାଗିପଡ଼ିଛନ୍ତି। ସହରର ବିଭିନ୍ନ ପାଚେରିଗୁଡ଼ିକରେ ଚିତ୍ରକରମାନେ ଧନୁଯାତ୍ରାର ନାଟକୀୟତାକୁ ନେଇ ଚିତ୍ର ଆଙ୍କି ଚାଲିଛନ୍ତି। ବରଗଡ଼କୁ ଏକ ଚିତ୍ରଶାଳାରେ ପରିଣତ କରିବା ପାଇଁ ବେଶ୍ ପ୍ରୟାସ ଚାଲିଛି।

ଅମ୍ବାପାଲିରେ ବି ଚାଲିଛି ଜୋରଦାର ପ୍ରସ୍ତୁତି

କେବଳ ବରଗଡ଼ ସହର ନୁହେଁ, ଅମ୍ବାପାଲି ଗାଁରେ ମଧ୍ୟ ଜୋରସୋର୍ ପ୍ରସ୍ତୁତି ଚାଲିଛି। ଆଧୁନିକ ଗାଁଟିଏ ପୁରାଣର ଗୋପପୁରରେ ପରିଣତ ହେବାକୁ ଯାଉଛି ଲୋକମାନଙ୍କ ଦ୍ୱାରା। କେଉଁଠି ତୋରଣ ତ କେଉଁଠି ପାଚେରିରେ ପଟ୍ଟଚିତ୍ର, ମୁରୁଜ ପକାଇ ଧନୁଯାତ୍ରାକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଚାଲିଛି। ମଞ୍ଚ ପ୍ରସ୍ତୁତିରେ ଅମ୍ବାପାଲିବାସୀ ଦିନରାତି ଲାଗି ପଡ଼ିଛନ୍ତି।

କମ୍ପୁଛି ଆଖଡ଼ା ଶାଳ

ଧନୁଯାତ୍ରାର ନାଟକୀୟତାକୁ ଉଚ୍ଚାଙ୍ଗ କରିବା ପାଇଁ ଉଭୟ ବରଗଡ଼ ଓ ଅମ୍ବାପାଲିରେ ସ୍ୱତନ୍ତ୍ର ଭାବେ ‘ରିଅଲ୍‌ସାଲ୍’ ଜୋର୍‌ସୋର୍‌ରେ ଚାଲିଛି। ଅଭିନେତା ଓ ଅଭିନେତ୍ରୀମାନେ ନିଜ ନିଜ ଅଭିନୟକୁ ନେଇ ପ୍ରସ୍ତୁତି ଚଳାଇଛନ୍ତି। ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ନୂତନ ପ୍ରୟୋଗର ପରୀକ୍ଷାନିରୀକ୍ଷା ଚାଲିଛି। ଏଥିସହିତ ଧନୁଯାତ୍ରାର ପ୍ରାୟ ୫୭ଟି ରଙ୍ଗମଞ୍ଚକୁ ଜୀବନ୍ତ କରି ତୋଳିବାରେ ଦକ୍ଷ କାରିଗରମାନେ ମାତି ଯାଇଛନ୍ତି।

ବରଗଡ଼ ଧନୁଯାତ୍ରା ଉପରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଆୟୋଜିତ ଏହି ମିଡିଆ ଅଭିଯାନର ମୁଖ୍ୟ ପ୍ରାୟୋଜକ ହେଉଛନ୍ତି ‘ନାଲ୍‌କୋ‘, ସହ ପ୍ରାୟୋଜକ ‘ଓଡ଼ିଶା ଖଣି ନିଗମ‘ (ଓଏମ୍‌ସି)।

Comment