ଅଶୋକ ବହିଦାର

ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜି ହେଉଛି ପ୍ରଥମ ଦିବସ। ସହରର ତଲିପଡ଼ାରେ ଥିବା ଐତିହାସିକ ସମଲେଶ୍ଵରୀ ମନ୍ଦିରରେ ସମସ୍ତ କଳାକାରମାନେ ଏକତ୍ରିତ ହୋଇଛନ୍ତି। ମୁଖ୍ୟ କଳାକାର ଉଗ୍ରସେନଙ୍କ ନେତୃତ୍ଵରେ ମା’ ସମଲେଶ୍ଵରୀଙ୍କଠାରେ ସେମାନେ ପୂଜାର୍ଚ୍ଚନା କରି ଧନୁଯାତ୍ରାର ନାଟ୍ୟ ସଫଳତାକୁ ନେଇ ଆଶିର୍ବାଦ ପ୍ରାର୍ଥନା କରୁଛନ୍ତି।

ମନ୍ଦିରର ପୂଜକ (ଝାଙ୍କର) ମା’ ସମଲେଇଙ୍କ ଆଜ୍ଞାମାଳ ସେମାନଙ୍କୁ ପ୍ରଦାନ କରୁଛନ୍ତି। ମନ୍ଦିର ପରିସର ଲୋକାରଣ୍ୟ ହୋଇଯାଇଛି। ଶଙ୍ଖ, ଘଣ୍ଟ ଓ ବିଭିନ୍ନ ବାଦ୍ୟର ଧ୍ଵନିରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଛି। ମା’ ସମଲେଶ୍ଵରୀଙ୍କର ଆଶିର୍ବାଦ ଗ୍ରହଣକରି ମହରାଜା ଉଗ୍ରସେନ ସୁଶୋଭିତ ପଟୁଆରରେ ବାହାରୁଛନ୍ତି ରାଜଦରବାରଆଡକୁ। ଏହା ହିଁ ବରଗଡ଼ ସହରର ସ୍ଵାଭିମାନର ଯାତ୍ରା, ଯାହାକି ଉଦ୍ଘାଟନୀ ଶୋଭାଯାତ୍ରା ନାଁରେ ଖ୍ୟାତି ଲାଭ କରିଛି।

ରାଜଦାଣ୍ଡରେ ଶୋଭାଯାତ୍ରା

ହାତୀ ଉପରେ ବସି ମଥୁରାର ନରେଶ ଉଗ୍ରସେନ, ପାତ୍ରମନ୍ତ୍ରୀଙ୍କ ସହିତ ରାଜଥାଟ ନେଇ ରାଜଦାଣ୍ଡରେ ଯାଉଛନ୍ତି। ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଦର୍ଶକ ତାଙ୍କର ପ୍ରିୟ ରାଜାଙ୍କୁ ସମ୍ମାନ ଜଣାଉଛନ୍ତି। ମଥୁରା ନଗରୀ ଉଗ୍ରସେନଙ୍କୁ ସ୍ଵାଗତ କରିବା ପାଇଁ ନିଜକୁ ସଜାଇ ଦେଇଛି ରଙ୍ଗୀନ ଆଲୋକମାଳାରେ। ବିଭିନ୍ନ ସାଂସ୍କୃତିକ ଦଳର ବାଦ୍ୟର ତାଳେ ତାଳେ, ଆତସବାଜିର ଶବ୍ଦରେ ଏବଂ ଉଗ୍ରସେନଙ୍କ ଜୟ ଜୟକାର ଧ୍ଵନିରେ କୋଳାହଳମୟ ହୋଇଉଠୁଛି ମଥୁରାର ରାଜଦାଣ୍ଡ। ଆଉ କିଛି ସମୟ ପରେ ଏଇ ଉଦ୍ଘାଟନୀ ଶୋଭାଯାତ୍ରା ପହଞ୍ଚିବ ହାଟପଦାର ରାଜଦରବାରରେ।

ଉଦ୍‌ଘାଟନୀ ସଭା

ମହାରାଜା ଉଗ୍ରସେନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇ ଆୟୋଜକମାନେ ରାଜ ଦରବାରକୁ ପାଛୋଟି ନେଉଛନ୍ତି। ଆୟୋଜକ କମିଟିର ଅଧ୍ୟକ୍ଷ ବରଗଡ଼ ଜିଲ୍ଲାପାଳ ‘ବରଗଡ଼ ଧନୁଯାତ୍ରା ମହୋତ୍ସବ -୨୦୧୭’ର ଶୁଭ ଉଦ୍‌ଘାଟନ କରୁଛନ୍ତି। ଔପଚାରିକତା ଦୃଷ୍ଟିରୁ ଏଥିରେ ସାମିଲ ହୋଇଛନ୍ତି ମହାରାଜା ଉଗ୍ରସେନ। ଉଦ୍‌ଘାଟନୀ ଉତ୍ସବ ସରିଯାଇଛି। ଏହିଠାରୁ ହିଁ ଏହି ସୁଦୃଶ୍ୟ ରାଜଦରବାରେରେ ଆରମ୍ଭ ହେବାକୁ ଯାଉଛି ଧନୁଯାତ୍ରା ନାଟ୍ୟଧାରାର ପ୍ରଥମ ଦୃଶ୍ୟ।

ଦେବକୀଙ୍କ ବିବାହକୁ ନେଇ ଚିନ୍ତାଗ୍ରସ୍ତ ଉଗ୍ରସେନ

ଏକମାତ୍ର ଅଲିଅଳି କନ୍ୟା ଦେବକୀର ବିବାହକୁ ନେଇ ଚିନ୍ତିତ ଅଛନ୍ତି ମଥୁରା ନରେଶ ଉଗ୍ରସେନ। ଅଥଚ ଘଟଣାକ୍ରମେ ବସୁଦେବଙ୍କ ସହିତ ଦେବକୀଙ୍କ ବିବାହ ସ୍ଥିରୀକୃତ ହୋଇଯାଇଛି। ବରକନ୍ୟାକୁ ନେଇ ଉଗ୍ରସେନ ବାହାରି ପଡ଼ନ୍ତି ବିବାହ ମଣ୍ଡପ ଅଭିମୁଖେ।

ବିବାହ ମଣ୍ଡପରେ ରୀତିନୀତିରେ ଦେବକୀ ଓ ବସୁଦେବଙ୍କ ବିବାହ ଉତ୍ସବ ଆୟୋଜନ କରୁଛନ୍ତି ଉଗ୍ରସେନ ରାଜକୀୟ ଆଡମ୍ବର ଭିତରେ। ଝିଅ ଜ୍ଵାଇଁଙ୍କୁ ଆଶିର୍ବାଦ ଦେଇ ସେମାନଙ୍କ ଗହଣରେ ଉଗ୍ରସେନ ଫେରିଯାଉଛନ୍ତି ରାଜ ଦରବାରକୁ।

ରାଜଦରବାରରେ କ୍ଷୁବ୍ଧ ଯୁବରାଜ କଂସ

ନିଜ ଅନୁପସ୍ଥିତିରେ ଏକମାତ୍ର ଭଉଣୀ ଦେବକୀଙ୍କୁ ବସୁଦେବଙ୍କ ସହିତ ବିବାହ କରାଇ ଦେଇଥଇବାରୁ କ୍ଷୁବ୍ଧ ହୋଇଉଠନ୍ତି ଯୁବରାଜ କଂସ। ଏ ସମୟରେ ଦୈବୀବାଣୀ ଶୁଭୁଛି ଯେ-“କଂସ! ଦେବକୀ ଓ ବସୁଦେବଙ୍କ ସନ୍ତାନ ହେବ ତମର ମୃତ୍ୟୁର କାରଣ”। ଦୈବୀବାଣୀ ଶୁଣି ଯେତେ ଭୟଭୀତ ସେତେ ପରିମାଣରେ କ୍ରୋଧିତ ହୋଇଉଠୁଛନ୍ତି। ନିଜ ପିତା ଉଗ୍ରସେନଙ୍କୁ ମଥୁରାର କଟୁଆଳ ଭାବେ ନିଯୁକ୍ତ କରୁଛନ୍ତି। ପରିଶେଷରେ ନିଜର ଭଉଣୀ ଦେବକୀ ଓ ଭିଣୋଇ ବସୁଦେବଙ୍କୁ ନିକ୍ଷେପ କରୁଛନ୍ତି କାରାଗାରରେ।

୨୦୧୭ ଧନୁଯାତ୍ରାର ବିଶେଷ ସାଜସଜ୍ଜା

ବରଗଡ଼ ଧନୁଯାତ୍ରାର ଦୁଇ ମୁଖ୍ୟ ରଙ୍ଗମଞ୍ଚ ‘ରାଜଦରବାର’ ଓ ‘ରାଜମହଲ’କୁ ଆକର୍ଷଣୀୟ କରିବା ପାଇଁ ଶିଳ୍ପୀମାନେ କେତୋଟି ବିଶେଷ ପଦକ୍ଷେପ ନେଇଛନ୍ତି।

‘ରଙ୍ଗମହଲ’ରେ ଏଥରକ ଶୋଭାପାଇବ ମୟୁର ସିଂହାସନ ଓ ବିରାଟ ଡ୍ରାଗନ୍‌ର ପ୍ରତିକୃତି।

ସେହିପରି ଐତିହାସିକ କୀର୍ତ୍ତିରାଜି ଢାଞ୍ଚାରେ ନିର୍ମିତ ୧୨୦ ଫୁଟ୍ ଲମ୍ବ, ୪୪ ଫୁଟ ଓସାର ଓ ୭୬ ଫୁଟ ଉଚ୍ଚତାର ରାଜଦରବାର ଏଥର ହେବ ଆକର୍ଷଣର କେନ୍ଦ୍ରବିନ୍ଦୁ।

ବରଗଡ଼ ଧନୁଯାତ୍ରା ଉପରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଆୟୋଜିତ ଏହି ମିଡିଆ ଅଭିଯାନର ମୁଖ୍ୟ ପ୍ରାୟୋଜକ ହେଉଛନ୍ତି ‘ନାଲ୍‌କୋ‘, ସହ ପ୍ରାୟୋଜକ ‘ଓଡ଼ିଶା ଖଣି ନିଗମ‘ (ଓଏମ୍‌ସି)।

Comment