ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଉତ୍ସବମୁଖର ହୋଇ ଯାଇଛି ବରଗଡ଼ ସହର। ଆକର୍ଷଣୀୟ ରଙ୍ଗମଞ୍ଚରେ ଚାଲିଛି କଂସଙ୍କ ରାଜୁତି।

ମଥୁରା ନଗରୀ ଏବେ କଂସଙ୍କ କବଳରେ। ଅବଶ୍ୟ କଂସ କେବଳ ଅତ୍ୟାଚାରୀ ନୁହନ୍ତି, ସେ ଖୁବ୍ ସଂସ୍କୃତିପ୍ରିୟ ମଧ୍ୟ। ଧନୁଯାତ୍ରା ଅବସରରେ ପ୍ରଜାଗଣଙ୍କ ମନୋରଞ୍ଜନ ପାଇଁ ଅନେକ କାର୍ଯ୍ୟକ୍ରମର ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ମଥୁରା ନଗରୀରେ ନିର୍ମିତ ହୋଇଛି ଏହି ଆକର୍ଷଣୀୟ ରଙ୍ଗମଞ୍ଚ, ଯାହାର ନାମ “ରଙ୍ଗମହଲ”। ଏବେ କଂସ ଏଇ ରଙ୍ଗମହଲକୁ ଲୋକାର୍ପଣ କରୁଛନ୍ତି ମଥୁରାର ଲକ୍ଷ ଲକ୍ଷ ପ୍ରଜାଙ୍କ ଉଦ୍ଦେଶ୍ୟରେ।

ରଙ୍ଗମହଲରେ ପହଞ୍ଚି ସେ ଶୁଭ ଉଦ୍‌ଘାଟନ କରୁଛନ୍ତି। ନଅ ଦିନ ବ୍ୟାପି ଏଇ ରଙ୍ଗମହଲରେ ପ୍ରଦର୍ଶିତ ହେବ ଅଞ୍ଚଳ, ରାଜ୍ୟ, ରାଜ୍ୟ ବାହାର ତଥା ବିଦେଶୀ କଳାକାରମାନଙ୍କ ଦ୍ୱାରା ଅନେକଗୁଡ଼ିଏ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

କାରାଗାରରେ ଶ୍ରୀକୃଷ୍ଣ ଜନ୍ମ

ପୃଥିବୀକୁ ପାପୀମାନଙ୍କଠାରୁ ରକ୍ଷା ପାଇବା ପାଇଁ  ସ୍ୱୟଂ ଭଗବାନ ଧରାପୃଷ୍ଠରେ ଆବିର୍ଭାବ ହୁଅନ୍ତି ବିଭିନ୍ନ ଅବତାରରେ। କେତେବେଳେ ଶ୍ରୀରାମ ଅବତାରରେ ତ କେତେବେଳେ ଶ୍ରୀକୃଷ୍ଣ ଅବତାରରେ।

ଏଇ ହେଉଛି ମଥୁରା ନଗରୀର କରାଗାର। ଏଇ କାରାଗାରରେ ସ୍ୱୟଂ ଭଗବାନ ଘଟାଇବାକୁ ଯାଉଛନ୍ତି ଏକ ବିଶେଷ ଘଟଣା। ଯେଉଁ ଘଟଣା ମୋଡ଼ ବଦଳେଇ ଦେବ ଧନୁଯାତ୍ରାର।

ଦେବକୀଙ୍କ ଅଷ୍ଟମ ଗର୍ଭରୁ ଭଗବାନ ଜନ୍ମ ନେଉଛନ୍ତି ଶ୍ରୀକୃଷ୍ଣଙ୍କ ରୂପରେ।

ପୁତ୍ର ସନ୍ତାନଟିଏ ପାଇ ବସୁଦେବ-ଦେବକୀ ଯେମିତି ଉଲ୍ଲସିତ, କଂସ ଭୟରେ ସେତେ ଆତଙ୍କିତ।

କଂସ କବଳରୁ ଶିଶୁ ଶ୍ରୀକୃଷ୍ଣଙ୍କୁ ସୁରକ୍ଷିତ ରଖିବା ପାଇଁ ବିଧାତା ନିର୍ଦ୍ଦେଶରେ ବସୁଦେବ ଏକ ଟୋକେଇରେ ମୁଣ୍ଡ ଉପରେ ନବଜାତ ଶିଶୁପୁତ୍ରକୁ ବୋହି ବାହାରି ପଡ଼ୁଛନ୍ତି ମଥୁରାକୁ।

ଭୟଙ୍କର ରାତ୍ରି। ଶ୍ରାବଣ ବର୍ଷି ଚାଲିଛି ମୂଷଳ ଧାରାରେ। ଭଗବାନଙ୍କ ମାୟାରେ କାରାଗାରର ପ୍ରହରୀମାନେ ଶୋଇ ପଡ଼ିଛନ୍ତି ନିଘୋଡ ନିଦରେ। ବିଜୁଳିର ଘଡ଼ଘଡ଼ି ଶଦ୍ଦରେ ପ୍ରକମ୍ପିତ ହେଉଛି ସମଗ୍ର ମଥୁରା ନଗରୀ। ଏମିତି ଏକ ମୁହୂର୍ତ୍ତରେ ବସୁଦେବ ପାଦ ପରେ ପାଦ ଅନ୍ଧାରକୁ ଆଡେଇ ଆଡେଇ ଚାଲିଛନ୍ତି ଗୋପପୁର ଆଡକୁ

ବସୁଦେବ- ଉଗ୍ରସେନ ଭେଟ

ରାସ୍ତାରେ କଟୁଆଳ ବେଶରେ ମଥୁରାର ନରେଶ ଉଗ୍ରେସନ ହୁସିଆର୍- ହୁସିଆର ବୋଲି ରଡ଼ି ଛାଡ଼ୁଛନ୍ତି। ହଠାତ୍ ବସୁଦେବ ଓ ଉଗ୍ରେସନ ସାମ୍ନାସାମ୍ନି ହୋଇଯାଉଛନ୍ତି। ଉଦ୍ଦେଶ୍ୟ ଜାଣିବା ପରେ ଉଗ୍ରେସନ ଭଗବାନଙ୍କର ଶିଶୁ ରୂପ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି ଅଜଣା ଖୁସିରେ ପୁଲକିତ ହୋଇଉଠୁଛନ୍ତି।

ଶ୍ରୀକୃଷ୍ଣଙ୍କୁ ନେଇ ବସୁଦେବଙ୍କ ଯମୁନା ନଦୀପାରି

ଯମୁନାରେ ଉଠିଛି ବନ୍ୟା। ଏ କୂଳରୁ ସେ କୂଳକୁ ଆଖିପାଉନି। ଅଥଚ ବିଧାତାଙ୍କ ନିର୍ଦ୍ଦେଶରେ ଯମୁନା କ୍ଷଣିକ ପାଇଁ ଥମି ଯାଉଛି। ବାଟ ଛାଡ଼ି ଦେଉଛି ବସୁଦେବଙ୍କୁ। ଯମୁନା ନିଜକୁ ଭାଗ୍ୟବତୀ ମନେ କରୁଛି ଯେ ସ୍ୱୟଂ ଭଗବାନ ତା’ ଦେହ ଦେଇ ଗୋପପୁରକୁ ଯାଉଛନ୍ତି।

ମଥୁରା ରହି ଯାଉଛି ପଛକୁ ପଛକୁ, ବସୁଦେବ ଶ୍ରୀକୃଷ୍ଣଙ୍କୁ ନେଇ ଚାଲିଛନ୍ତି ଗୋପ ଆଡକୁ।

ଏଇ ଦୃଶ୍ୟରୁ  ଧନୁଯାତ୍ରାର ଆରମ୍ଭ ହେବାକୁ ଯାଉଛି ଅନେକ ରୋଚକ ଘଟଣା।

ବରଗଡ଼ ଧନୁଯାତ୍ରା ଉପରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଆୟୋଜିତ ଏହି ମିଡିଆ ଅଭିଯାନର ମୁଖ୍ୟ ପ୍ରାୟୋଜକ ହେଉଛନ୍ତି ‘ନାଲ୍‌କୋ‘, ସହ ପ୍ରାୟୋଜକ ‘ଓଡ଼ିଶା ଖଣି ନିଗମ‘ (ଓଏମ୍‌ସି)।

Comment