ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ଼ ଧନୁଯାତ୍ରା ମହୋତ୍ସବର ତୃତୀୟ ଦିନରେ ମହାରାଜା କଂସ ନଗର ଭ୍ରମଣ କରିବା ସହ ଶ୍ୟାମେଶ୍ଵର ମହାଦେବଙ୍କୁ ଦର୍ଶନ କରିଥିଲେ। ପରେ ମଥୁରା କାରାଗାରକୁ ପ୍ରବେଶ କରିଥିଲେ ଏବଂ ବିଜୁଳିକନ୍ୟାକୁ ଧରି ଦର୍ପଣଶୀଳାରେ ପ୍ରହାର କରିଥିଲେ।

ସେହି ସମୟରେ ବିଜୁଳି କନ୍ୟା ଅଦୃଶ୍ୟ ହେବା ସହ ଦୈବୀବାଣୀ ହୋଇଥିଲା:-“ତତେ ମାରିବ ଯିଏ, ଗୋପରେ ବଢ଼ୁଛି ସିଏ।” ଏହା ଶୁଣି ମହାରାଜା କଂସ ବିଚଳିତ ହେବା ସହ ରାଜଦରବାରକୁ ଫେରି ଯାଇଥିଲେ।

ଅପରପଟେ ଗୋପପୁରରେ ନନ୍ଦ ଦରବାର ଉଦଘାଟନ ହୋଇଥିଲା। ବରଗଡ଼ ଏସ୍‌ପି ବି ଯୁଗଳ କିଶୋର ନନ୍ଦ ଦରବାର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସୁରେଶ୍ଵର ଶତପଥୀ, ରବିନ ପୂଝାରୀଙ୍କ ସମେତ ନନ୍ଦରାଜା ଓ ନନ୍ଦରାଣୀ ଉପସ୍ଥିତ ଥିଲେ। ଗୋପପୁରରେ ନନ୍ଦୋତ୍ସବ ଘୋଷଣା କରିଥିଲେ ନନ୍ଦରାଜା। କୃଷ୍ଣଙ୍କୁ ଦୋଳିରେ ଝୁଲାଯାଇଥିଲା। ରାସ ନୃତ୍ୟ ଓ ନଗର ସଂକୀର୍ତ୍ତନ ସହ ନନ୍ଦରାଜା, ନନ୍ଦରାଣୀ କୃଷ୍ଣଙ୍କୁ ଧରି ଗୋପପୁର ପରିକ୍ରମା କରିଥିଲେ। କୃଷ୍ଣଙ୍କ ଦର୍ଶନ ପାଇ ଗୋପପୁରବାସୀ ବିଭୋର ହୋଇଥିଲେ। କୃଷ୍ଣଙ୍କୁ ଦୋଳି ଝୁଲାଇବା ସମୟରେ-“ଆହା ମୋ ନନ୍ଦ କୋଳେ ଗୋବିନ୍ଦ’’ ଗୀତର ଆସରରେ ମଧୂରିତ ହୋଇ ଉଠିଥିଲା ସମଗ୍ର ଗୋପପୁର।

ବରଗଡ଼ ଧନୁଯାତ୍ରା ଉପରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଆୟୋଜିତ ଏହି ମିଡିଆ ଅଭିଯାନର ମୁଖ୍ୟ ପ୍ରାୟୋଜକ ହେଉଛନ୍ତି ‘ନାଲ୍‌କୋ‘, ସହ ପ୍ରାୟୋଜକ ‘ଓଡ଼ିଶା ଖଣି ନିଗମ‘ (ଓଏମ୍‌ସି)।

Comment