ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରାର ମଙ୍ଗଳବାର ଚତୁର୍ଥ ଦିନରେ ପହଞ୍ଚିଛି। କୃଷ୍ଣଙ୍କୁ ନିହତ କରିବା ପାଇଁ କଂସ ବିଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି। ଏଥିପାଇଁ ଗୋପପୁରକୁ ମଥୁରା ନରେଶ ପୁତନା, ବକା, ସକଟା, ତୃଣା, ଧେନୁ, ଷଣ୍ଢାସୁର ଆଦି ରାକ୍ଷସଙ୍କୁ ପଠାଇଥିଲେ। ହେଲେ କୃଷ୍ଣ ଏବଂ ବଳରାମ ରାକ୍ଷସଙ୍କୁ ନିହତ କରିଛନ୍ତି।

ଚତୁର୍ଥ ଦିନରେ ନନ୍ଦ ଭବନରୁ ବାହାରି ଗୋପପୁର ପରିକ୍ରମା କରିଥିଲେ ପ୍ରଭୁ ଶ୍ରୀକୃଷ୍ଣ ଓ ବଳରାମ। ଗୋପପୁରର ଘରେ ଘରେ ପୂଜା କରାଯାଇ ସ୍ଵାଗତ କରାଯାଇଥିଲା କୃଷ୍ଣ-ବଳାରାମଙ୍କୁ। ସମଗ୍ର ଗୋପପୁରର ଘର ସମ୍ମୁଖରେ ଝୋଟି ଅଙ୍କା ଯାଇଥିଲା। ଶ୍ରୀକୃଷ୍ଣଙ୍କୁ ପୂଜା କରିବା ପାଇଁ ଗୋପପୁରବାସୀଙ୍କ ମନରେ ଥିଲା ଅନେକ ଉତ୍ସାହ ଏବଂ ଉଦ୍ଦୀପନା।

କୃଷ୍ଣ ରାକ୍ଷସମାନଙ୍କୁ ବଧ କରିବା ପରେ ଗୋପପୁରରେ ଖୁସିର ଲହରୀ ଖେଳି ଯାଇଥିଲା। ମହରାଜ କଂସ ମୁକ୍ତେଶ୍ଵର ମନ୍ଦିରରେ ରୁଦ୍ରାଭିଷେକ କରିବା ପରେ ପ୍ରଜାଙ୍କ ସୁଖଦୁଃଖ ବୁଝିଥିଲେ। ପରେ ରଙ୍ଗ ମହଲରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହାକୁ ଦେଖିବା ପାଇଁ ବହୁ ଦର୍ଶକଙ୍କ ଭିଡ଼ ଲାଗିଥିଲା। ଗୋଟିଏପଟେ କଂସ ମହାରାଜଙ୍କ ଜୟ ଜୟକାରରେ ମଥୁରା ନଗରୀ ପ୍ରକମ୍ପିତ ହେଉଥିବା ବେଳେ ଅନ୍ୟପଟେ କୃଷ୍ଣ ବଳରାମଙ୍କ ଜୟଗାନରେ ବରଷୁଥିଲା ଭକ୍ତି ଓ ଆନନ୍ଦର ବର୍ଷା। ଗୋପପୁରର ନନ୍ଦ ଦରବାରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁରହିଥିଲା।

ବରଗଡ଼ ଧନୁଯାତ୍ରା ଉପରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଆୟୋଜିତ ଏହି ମିଡିଆ ଅଭିଯାନର ମୁଖ୍ୟ ପ୍ରାୟୋଜକ ହେଉଛନ୍ତି ‘ନାଲ୍‌କୋ‘, ସହ ପ୍ରାୟୋଜକ ‘ଓଡ଼ିଶା ଖଣି ନିଗମ‘ (ଓଏମ୍‌ସି)।

 

Comment