ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନ ଥିଲା ହାତମୁଠାରେ କ୍ଷମତାକୁ ଜାବୁଡ଼ି ଧରିଥିଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ବିଜୁବାବୁଙ୍କ ଅମଳରୁ ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ସେ ଥିଲେ ଉଭୟ ସରକାର ଏବଂ ଦଳର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ। ହେଲେ ଏବେ ସବୁକିଛି ବଦଳି ଯାଇଛି। ଦାମ ଏବେ କ୍ଷମତାଶୂନ୍ୟ ହୋଇ ଯାଇଛନ୍ତି। ତାଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଦଳର ଉପ-ସଭାପତି ଏବଂ ପର୍ଯ୍ୟବେକ୍ଷକ ଦାୟିତ୍ୱ ବି କାଢ଼ି ନେଇଛି ଦଳ। ଦାମଙ୍କ ଭଳି ବରିଷ୍ଠ ନେତା କ୍ଷମତାଶୂନ୍ୟ ହେବା ପଛରେ ବିବାଦୀୟ ମନ୍ତବ୍ୟ ନା ଅନ୍ୟ କିଛି କାରଣ ରହିଛି ତାକୁନେଇ ଚର୍ଚ୍ଚା ଜୋର୍ ଧରିଛି ।
ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଲକାନଗିରିର ମାଲ୍ୟବନ୍ତ ଉତ୍ସବରେ ଦାମ ବ୍ରାହ୍ମଣଙ୍କ ଉପରେ ନକରାତ୍ମକ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଥିଲେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଡାକ୍ତର ରାଉତଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିଛନ୍ତି। ଏହାସହ ଉପ-ସଭାପତି ଏବଂ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ମଧ୍ୟ ଦାମଙ୍କୁ ହଟାଇ ଦେଇଛନ୍ତି ବିଜେଡି ସଭାପତି।
ଦାମଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ ଯେ, “କୌଣସି ଜାତି, ଧର୍ମ, ବର୍ଣ୍ଣ ସମ୍ପର୍କରେ ଅସମ୍ମାନ ସୂଚକ ମନ୍ତବ୍ୟ ଗ୍ରହଣୀୟ ନୁହେଁ। ମୁଁ ଏହାକୁ ନାପସନ୍ଦ କରେ। ଏଥିପାଇଁ ଡାକ୍ତର ରାଉତଙ୍କୁ ମନ୍ତ୍ରିମଣ୍ଡଳରୁ ମୁଁ ବରଖାସ୍ତ କରୁଛି।”
କେବଳ ଏହି ପ୍ରସଙ୍ଗ ନୁହେଁ, ଏହା ପୂର୍ବରୁ ଅନେକ ପ୍ରସଙ୍ଗକୁ ନେଇ ଦାମ ବିବାଦୀୟ ହୋଇ ପଡ଼ିଥିଲେ । ଚାଷୀ, ଅଙ୍ଗନବାଡ଼ି, ଜୟୀ ରାଜଗୁରୁଙ୍କ ସମ୍ପର୍କରେ ଅସମ୍ମାନ ସୂଚକ ମନ୍ତବ୍ୟ ଦେଇ ଦାମ ଅଡ଼ୁଆରେ ପଡ଼ିଥିଲେ। ଦାମଙ୍କ ଏହି ମନ୍ତବ୍ୟ ବି ବିଜେଡିକୁ ଅକଳିଆରେ ପକାଇଥିଲା। ଏସବୁ ପ୍ରସଙ୍ଗକୁ କେନ୍ଦ୍ର କରି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦାମଙ୍କୁ ବହିଷ୍କାର କରିଥିବା କୁହାଯାଉଛି।
କେବଳ ଏହି ବିବାଦୀୟ ମନ୍ତବ୍ୟ ପାଇଁ ନୁହେଁ, ଅନ୍ୟ କାରଣ ପାଇଁ ଦାମଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା ହେବାକୁ ପଡ଼ିଛି ବୋଲି ଚର୍ଚ୍ଚା ହେଉଛି। ବ୍ରାହ୍ମଣ ସମାଜ ଉପରେ ଅସମ୍ମାନ ସୂଚକ ମନ୍ତବ୍ୟ ଦେବା ପୂର୍ବରୁ ଆଉ ଏକ ଘଟଣା ପାଇଁ ଦାମ ବିଜେଡି ସଭାପତିଙ୍କ ବ୍ଲୁ-ଆଏଡରେ ନଥିବା କୁହାଯାଉଛି। ଆଉ ଏହି ଘଟଣାଟି ହେଉଛି ଗୋଟିଏ ମଞ୍ଚରେ ଦାମ ଏବଂ ବିଜୟ ଏକାଠି ହେବା। ଏହାକୁ ବିଜେଡି ସଭାପତି ଗ୍ରହଣ କରିପାରି ନଥିବା ରାଜନୀତି କରିଡରରେ ଚର୍ଚ୍ଚା ହେଉଛି।
ଡିସେମ୍ବର ୧୯ ତାରିଖରେ ମାଲକାନଗିରିରେ ବ୍ରାହ୍ମଣମାନଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାର ୪ ଦିନ ପୂର୍ବରୁ ଅର୍ଥାତ୍ ଡିସେମ୍ବର ୧୬ରେ ଦାମ ୭୬ତମ ଜନ୍ମଦିନ ପାଳିଥିଲେ। ଭୁବନେଶ୍ୱର କ୍ୱାର୍ଟରରେ ବହୁ ଶୁଭେଚ୍ଛୁ ତାଙ୍କୁ ଶୁଭେଚ୍ଛା ଜଣାଇବା ପରେ ଦାମ ଯାଇଥିଲେ ତାଙ୍କ ନିର୍ବାଚନମଣ୍ଡଳୀ ପାରାଦୀପକୁ । ଏଠାରେ ଜନ୍ମଦିନ ପାଇଁ ଆୟୋଜିତ ହୋଇଥିଲା ସଭା। ଆଉ ଏହି ସଭାକୁ ଆମନ୍ତ୍ରିତ କରାଯାଇଥିଲା ବିଜେପି ନେତା ବିଜୟ ମହାପାତ୍ରଙ୍କୁ। ବିଜୟ-ଦାମ ସଭା ମଞ୍ଚରେ ଏକାଠି ହେବା ସହ କୋଳାକୋଳି ହୋଇଥିଲେ। ଏହି ଘଟଣାକୁ ବିଜେଡି ସଭାପତି ଗ୍ରହଣ କରିପାରି ନଥିବା ଚର୍ଚ୍ଚା ହେଉଛି। ଯେଉଁଥିପାଇଁ ଅସମ୍ମାନ ସୂଚକ ମନ୍ତବ୍ୟକୁ ଆଳ କରି ଦାମଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରାଯାଇଥିବା ଆଲୋଚନା ହେଉଛି।
ଦାମ ଏହା ପୂର୍ବରୁ ଅନେକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଦାମଙ୍କୁ ବହିଷ୍କାର କରିବା ପାଇଁ ବିରୋଧୀ ଦଳ ଜୋରଦାର ଦାବି କରିଥିଲେ। ଏପରିକି ସାରା ରାଜ୍ୟରେ ବିକ୍ଷୋଭ ମଧ୍ୟ କରିଥିଲେ। ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା।
ସବୁଠୁ ବଡ଼ କଥା ହେଉଛି, ଦାମଙ୍କୁ ଯେଉଁଦିନ ବରଖାସ୍ତ କରାଗଲା ସେହିଦିନ ବିଜୟଙ୍କ ବିରୋଧରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜିଲ୍ଲା କାର୍ଯ୍ୟକାରିଣୀର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ପଦରୁ ବିଜୟଙ୍କୁ ହଟାଇ ଦିଆଯାଇଛି।
ଦଳ ଏବଂ ଦଳର ନେତାଙ୍କ ବିପକ୍ଷରେ ବିଜୟ ବାରମ୍ବାର ମୁହଁ ଖୋଲି ବିବାଦ ସୃଷ୍ଟି କରୁଥିବାରୁ ବିଜୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଉଛି।
୨୦୦୦ ମସିହାରେ ବିଜେଡିରୁ ବିଜୟ ମହାପାତ୍ରଙ୍କୁ ବିଦା କରିଥିଲେ ନବୀନ। ସେହିଦିନରୁ ବିଜୟ ଏବଂ ବିଜେଡି ଭିତରେ ସମ୍ପର୍କ ଭଲ ନାହିଁ। କଥା କଥାକେ ବିଜୟ ମହାପାତ୍ର ବିଜେଡିକୁ ଆଟାକ କରୁଥିଲେ। ହେଲେ ଗୋଟିଏ ମଞ୍ଚରେ ଦାମ-ବିଜୟ ଏକାଠି ହେବା ପ୍ରସଙ୍ଗକୁ ନବୀନ ଗ୍ରହଣ କରିପାରି ନଥିବା କୁହାଯାଉଛି। ବିଜେଡି ୨୦ତମ ପ୍ରତିଷ୍ଠା ଦିବସ ପାଳିବାର ୭ ଦିନ ପୂର୍ବରୁ ନବୀନ ଦାମଙ୍କୁ ହଟାଇ ଦେଇଛନ୍ତି ।
ପୁରୀରେ ବଡ଼ ଧୁମଧାମରେ ବିଜେଡି ପାଳିଛି ପ୍ରତିଷ୍ଠା ଦିବସ। ଦଳର ବହୁ ବରିଷ୍ଠ ନେତା ଏଥିରେ ହୋଇଥିରେ ସାମିଲ୍। ହେଲେ ଦାମଙ୍କୁ ଏହି ସଭାରେ ଦେଖିବାକୁ ମିଳି ନଥିଲା। ପୁରୀ ଯାଉଥିବା ବେଳେ ଦାମ ଅଧାବାଟରୁ ଫେରି ଆସିଥିବା ଚର୍ଚ୍ଚା ହେଉଛି । ତେବେଦାମଙ୍କ ଭଳି ଜଣେ ବରିଷ୍ଠ ନେତା ହଠାତ୍ ପାୱାର କରିଡରରେ ଅଲୋଡା ହୋଇଯିବା ପ୍ରସଙ୍ଗ ରାଜନୀତିରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୁହାଯାଉଛି ୨୦୧୯ ପାଇଁ ଦାମ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କ ପାଇଁ ରାସ୍ତା ପରିସ୍କାର କରୁଛନ୍ତି। ସେଥିପାଇଁ ଦାମ ପ୍ରତିଷ୍ଠା ଦିବସକୁ ନଯାଇ ତାଙ୍କ ପୁଅକୁ ପଠାଇଥିବା ଆଲୋଚନା ହେଉଛି।








ଦିନ ଥିଲା ହାତମୁଠାରେ କ୍ଷମତାକୁ ଜାବୁଡ଼ି ଧରିଥିଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ବିଜୁବାବୁଙ୍କ ଅମଳରୁ ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ସେ ଥିଲେ ଉଭୟ ସରକାର ଏବଂ ଦଳର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ। ହେଲେ ଏବେ ସବୁକିଛି ବଦଳି ଯାଇଛି। ଦାମ ଏବେ କ୍ଷମତାଶୂନ୍ୟ ହୋଇ ଯାଇଛନ୍ତି। ତାଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଦଳର ଉପ-ସଭାପତି ଏବଂ ପର୍ଯ୍ୟବେକ୍ଷକ ଦାୟିତ୍ୱ ବି କାଢ଼ି ନେଇଛି ଦଳ। ଦାମଙ୍କ ଭଳି ବରିଷ୍ଠ ନେତା କ୍ଷମତାଶୂନ୍ୟ ହେବା ପଛରେ ବିବାଦୀୟ ମନ୍ତବ୍ୟ ନା ଅନ୍ୟ କିଛି କାରଣ ରହିଛି ତାକୁନେଇ ଚର୍ଚ୍ଚା ଜୋର୍ ଧରିଛି ।









