ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ରାଜଧାନୀ ଭୁବନେଶ୍ଵରକୁ ପୂରିଛି ୭୫ ବର୍ଷ। ଏହି ଅବସରରେ ଗୁରୁବାର ଦିନ ଭୁବନେଶ୍ଵରରେ ପାଳିତ ହେଉଛି ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ। ଓଡ଼ିଶା ବିଧାସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ୩ ଦିନିଆ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।

ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ଵର ମହାତ୍ମା ଗାନ୍ଧୀ ମାର୍ଗରେ ଛାତ୍ରଛାତ୍ରୀଙ୍କ ଏକ ପ୍ୟାରେଡ ହୋଇଥିଲା ଏଥିରେ ତ୍ରିରଙ୍ଗା ଧରି ଛାତ୍ରଛାତ୍ରୀମାନେ ଯାଇଥିଲେ।  ଏଠାରେ ସ୍କେଟିଂ ଓ ଅନ୍ୟାନ୍ୟ କ୍ରୀଡ଼ା କୌଶଳ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ବିକ୍ରମ କେଶରୀ ଆରୁଖ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଊପସ୍ଥିତ ଅତିଥିମାନେ ରାଜଧାନୀ ଶିଳାନ୍ୟାସ ଫଳକରେ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ।

ଅନ୍ୟପଟେ ପ୍ରତିଷ୍ଠା ଦିବସ ପାଇଁ ଭୁବନେଶ୍ଵର ଜୟଦେବ ଭବନରେ ୩ ଦିନ ଯାଏଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏହି ଅବସରରେ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦଘାଟନ କରିଥିଲେ। ଗୁରୁବାର ସନ୍ଧ୍ୟାରେ ଏଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର  ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଭୁବନେଶ୍ଵର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ଭୁବନେଶ୍ଵର ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗ ଦେଇଥିଲେ।

ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଡକା ନ’ ଯିବାକୁ ନେଇ ଏବେ ରାଜନୀତି ଜୋର ଧରିଛି। ସରକାର ଜାଣିଶୁଣି ଏଭଳି କରିଥିବା ବିରୋଧୀମାନେ ଅଭିଯୋଗ କରିଛନ୍ତି। ପୂର୍ବ ବର୍ଷ ମଧ୍ୟ ଅପରାଜିତା ଷଡଙ୍ଗୀଙ୍କୁ ଭୁବନେଶ୍ଵର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଡକାଯାଇନଥିଲା।

Tags: #Bhubaneswar #FoundationDay #SpecialProgram #I&PRDept #Odisha

 

Comment