ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମୁଛି ବରଗଡ଼ ଧନୁଯାତ୍ରା। ଦିନ ଯେତିକି ଗଡ଼ୁଛି ଦର୍ଶକଙ୍କ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢ଼ୁଛି। ଗୋପପୁରରେ ଚାଲିଥିବା ଶ୍ରୀକୃଷ୍ଣଙ୍କ ବାଲ୍ୟଳୀଳା ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଜମୁଛି।

କୃଷ୍ଣ ବଳରାମଙ୍କ ବାଲ୍ୟଲୀଳା

ଗୋପପୁରରେ ଭଗବାନ ଶ୍ରୀକୃଷ୍ଣ ଓ ବଳରାମ ନାନା ଢଙ୍ଗରେ ବାଲ୍ୟଲୀଳା କରିଚାଲିଛନ୍ତି। ଗୋପାଳମାନେ ଶ୍ରୀକୃଷ୍ଣଙ୍କର ବାଲ୍ୟଲୀଳା ମାୟା ଭିତରେ ସାମିଲ ହୋଇଯାଇଛନ୍ତି। ଭଗବାନଙ୍କର ଏଇ ଲୀଳା ଭିତରର ରହସ୍ୟକୁ ନା ଗୋପାଳମାନେ ବୁଝିପାରୁଛନ୍ତି ନା ଗୋପୀମାନେ ବୁଝୁଛନ୍ତି। ଶ୍ରୀକୃଷ୍ଣ ସେମାନଙ୍କୁ ସ୍ୱାଭାବିକ ମନେ ହେଉଛନ୍ତି। ସବୁ ଗୋପାଳ ବାଳକ ଶ୍ରୀକୃଷ୍ଣ ଓ ବଳରାମଙ୍କ ପାଲଟି ଯାଇଛନ୍ତି ସଖା ସହୋଦର।

ଯାମଳାର୍ଜୁନ ଭଞ୍ଜନ

ଭଗବାନ ଯେତେବେଳେ ବି ଯେଉଁ ଅବତାରରେ ଧରାପୃଷ୍ଠରେ ଆବିର୍ଭାବ ହୋଇଛନ୍ତି, ପାପୀମାନଙ୍କୁ ପାପମୁକ୍ତ କରି ଚାଲିଛନ୍ତି। ଶାପଗ୍ରସ୍ତମାନଙ୍କୁ ମୁକ୍ତି ପ୍ରଦାନ କରିଛନ୍ତି। ଏଇ ପରିପ୍ରେକ୍ଷୀରେ କୁବେରଙ୍କ ଦୁଇ ଯମଜ ପୁତ୍ର ମଣିଗ୍ରୀବ ଓ ନଳ କୁବେର ଅଭିଶପ୍ତ ଜୀବନ ବିତାଉଛନ୍ତି ଗୋପପୁରରେ ଅର୍ଜୁନ ବୃକ୍ଷ ରୂପରେ।

ଭଗବାନ ଶ୍ରୀକୃଷ୍ଣଙ୍କ ଦୁଷ୍ଟାମୀରେ ବିବ୍ରତ ମାତା ଯଶୋଦା ତାଙ୍କୁ ଏହି ଅର୍ଜୁନ ବୃକ୍ଷରେ ବାନ୍ଧି ଦେଇଛନ୍ତି। ଶ୍ରୀକୃଷ୍ଣ ଯେତେବେଳେ ଟାଣିଓଟାରି ହୋଇଛନ୍ତି ଅର୍ଜୁନ ବୃକ୍ଷଟି ମୂଳରୁ ଉପାଡ଼ି ହୋଇଯାଇଛି। ତା’ପରେ ଅଭିଶପ୍ତ ଗନ୍ଧର୍ବ ସନ୍ତାନଦ୍ୱୟ ପୂର୍ବଜନ୍ମର ଅଭିଶପ୍ତ ଜୀବନରୁ ମୁକ୍ତି ପାଉଛନ୍ତି ଭଗବାନଙ୍କ ଏଇ ମାୟାର ବାଲ୍ୟଲୀଳା ମାଧ୍ୟମରେ।

କାଳୀୟ ଦଳନ’

ଗୋପପୁରର କାଳନ୍ଦୀ ହ୍ରଦରେ ପରିବାର ସହିତ ବାସ କରୁଛି କାଳୀୟ ନାଗ। ତା’ର ଜିଭରୁ ନିର୍ଗତ ବିଷୟରେ କାଳନ୍ଦୀହ୍ରଦ ପାଲଟି ଯାଇଛି ବିଷାକ୍ତ। ଯିଏ କାଳନ୍ଦୀ ହ୍ରଦ ଭିତରକୁ ଯାଇଛି ତା’ର ମୃତ୍ୟୁ ଘଟୁଛି। କାଳନ୍ଦୀ ହ୍ରଦର ଏଇ ବିଷାକ୍ତ ଜଳକୁ ନେଇ ଗୋପପୁରରେ ଆତଙ୍କ ଖେଳିଯାଉଛି।

ଅଥଚ ଶ୍ରୀକୃଷ୍ଣ ପରିଶେଷରେ କାଳୀୟ ନାଗର ଫଣା ଉପରେ ନୃତ୍ୟ କରି ତାକୁ ଦଳି ଦେଉଛନ୍ତି ନିଜ ପାଦରେ।

ବିଶ୍ୱରୂପ ଦର୍ଶନ

ସାଧାରଣ ଦୃଷ୍ଟିରେ ଶ୍ରୀକୃଷ୍ଣ ହେଉଛନ୍ତି ଜଣେ ଶିଶୁ ମାଁ ଯଶୋଦାଙ୍କ ପାଇଁ। ଶିଶୁ କୃଷ୍ଣଙ୍କର ଚପଳତାକୁ ନେଇ ଯଶୋଦା ଯେତେ ବିବ୍ରତ ସେତିକି ବାତ୍ସଲ୍ୟକୁ ନେଇ ପୁଲକିତ। ଶିଶୁକୃଷ୍ଣ ମାଟି ଖାଇବା ଦୃଶ୍ୟ ପଡ଼ିଯାଇଛି ଯଶୋଦାଙ୍କ ନଜରରେ।

ଶ୍ରୀକୃଷ୍ଣଙ୍କୁ ଆକଟ କରିବା ପାଇଁ ମା ଯଶୋଦା ତାଙ୍କୁ ଆଁ କରିବା ପାଇଁ କହିଛନ୍ତି। ଶ୍ରୀକୃଷ୍ଣ ମୁହଁ ଭିତରେ ଏକ ଅଲୌକିକ ଦୃଶ୍ୟ ଦେଖି ସ୍ତମ୍ଭୀଭୂତ ହୋଇ ଯାଉଛନ୍ତି। ଶ୍ରୀକୃଷ୍ଣଙ୍କ ମୁହଁ ଭିତରେ ବିଶ୍ୱରୂପ ଦେଖି ଯଶୋଦା ନିଜକୁ ସୌଭାଗ୍ୟବତୀ ମନେ କରୁଛନ୍ତି।

ଗୋପୀଙ୍କ ଦହି ବିକା

ଶ୍ରୀକୃଷ୍ଣଙ୍କ ପ୍ରେମରେ ଗୋପାଙ୍ଗନାମାନେ ବାୟାଣୀ ପାଲଟି ଯାଇଛନ୍ତି। ପ୍ରତି ଗୋପାଙ୍ଗନା ଚାହୁଁଛନ୍ତି ଶ୍ରୀକୃଷ୍ଣଠାରେ ନିର୍ଲିପ୍ତ ହୋଇଯିବା ପାଇଁ। ଅଥଚ ସେଇ ଭିତରେ ସେମାନେ ଅବହେଳା କରୁନାହାନ୍ତି ନିଜର ଜୀବନ ଜୀବିକାକୁ। ଗୋପାଙ୍ଗନାମାନେ ଗୋପର ଘରକୁ ଘର ବୁଲି ଦହି ବିକୁଛନ୍ତି। ଏଇ ଦହିର ଚାହିଦା ଏତିକି ଯେ ସମସ୍ତେ ଅନେଇ ବସିଛନ୍ତି ଗୋପୀମାନଙ୍କର ଦହି ହାଣ୍ଡିକୁ। ଗରାଖମାନଙ୍କୁ ଆକୃଷ୍ଟ କରିବା ପାଇଁ ସେମାନେ ନିଜର ଦହିକୁ ନେଇ ଗୀତ ଗାଇ ଗାଇ ଗୋପଦାଣ୍ଡରେ ଚାଲିଛନ୍ତି।

ମଥୁରା ରାଜ ଦରବାର

ଶ୍ରୀକୃଷ୍ଣ ଓ ବଳରାମଙ୍କୁ ହତ୍ୟା କରିବା ପାଇଁ କଂସ ପଠାଇଛନ୍ତି ଅନେକ ଭୟଙ୍କର ରାକ୍ଷସ ରାକ୍ଷସୀମାନଙ୍କୁ ଗୋପପୁରକୁ। ସେ ନିଶ୍ଚିନ୍ତ ଯେ ରାକ୍ଷସ ରାକ୍ଷସୀମାନେ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ହତ୍ୟା କରି ସଗୌରବେ ଲେଉଟି ଆସୁଥିବେ ମଥୁରାକୁ। ଅଥଚ ଶ୍ରୀକୃଷ୍ଣ ଓ ବଳରାମଙ୍କ ଦ୍ୱାରା ସମସ୍ତ ରାକ୍ଷସ ରାକ୍ଷସୀଙ୍କ ନିଧନ ଖବର ପାଇଁ କଂସ ମର୍ମାହତ ହୋଇ ପଡ଼ୁଛନ୍ତି। ପୁଣି ଅନ୍ୟ ଏକ ଷଡଯନ୍ତ୍ର ରଚିବା ପାଇଁ ନିଜର ଆନୁଗତ୍ୟମାନଙ୍କ ସହିତ ବିଚାର ବିମର୍ଷ କରୁଛନ୍ତି ରାଜ ଦରବାରରେ।

ବରଗଡ଼ ଧନୁଯାତ୍ରା ଉପରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଆୟୋଜିତ ଏହି ମିଡିଆ ଅଭିଯାନର ମୁଖ୍ୟ ପ୍ରାୟୋଜକ ହେଉଛନ୍ତି ‘ନାଲ୍‌କୋ‘, ସହ ପ୍ରାୟୋଜକ ‘ଓଡ଼ିଶା ଖଣି ନିଗମ‘ (ଓଏମ୍‌ସି)।

Comment