ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ଼ ଧନୁଯାତ୍ରାର ନାଟକୀୟତା ଗୋଟିଏ ପରେ ଗୋଟିଏ ଅଧ୍ୟାୟକୁ ନେଇ ଆଗେଇ ଚାଲିଛି। ନାଟ୍ୟଧାରାର ସବୁଠାରୁ ଆବେଗପୂର୍ଣ୍ଣ ଦୃଶ୍ୟ ହେଉଛି ଗୋପପୁରରୁ ଶ୍ରୀକୃଷ୍ଣ ଓ ବଳରାମଙ୍କ ବିଦାୟ ନେବାର ଘଟଣା।

ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଯଶୋଦା

ଅକ୍ରୁର ଶ୍ରୀକୃଷ୍ଣ ଓ ବଳରାମଙ୍କୁ ନେଇ ମଥୁରାକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଶ୍ରୀକୃଷ୍ଣଙ୍କୁ ମଥୁରାକୁ ଛାଡ଼ିବା ପାଇଁ ଦେବାକୁ ମାତା ଯଶୋଦାଙ୍କ ମାତୃତ୍ୱ ନାରାଜ୍। ନନ୍ଦରାଜା ମଧ୍ୟ  ଶ୍ରୀକୃଷ୍ଣଙ୍କ ସହିତ ସମ୍ପର୍କ ତୁଟାଇବା ପାଇଁ ନାରାଜ। ଏତିକି ବେଳେ ବିଲପି ଉଠୁଛି ଯଶୋଦାଙ୍କ ହୃଦୟ। ସେ କୋହଭରା କଣ୍ଠରେ କହୁଛନ୍ତି,

ଦୁଃଖୀଧନ ନୀଳମଣିରେ,

ମାଆ ବୋଲି କିଏ ଡାକିବ ମୋତେ,

ଗୋରୁ ଘେନି ଫେରି ଆସିବା ବେଳକୁ,

କାହା ପାଇଁ ଜଗି ରହିବି ପଥେ।

ଏହାସହ ଗୋପାଳମାନେ ବାଲ୍ୟଲୀଳାର ପ୍ରତିଟି ମୁହୂର୍ତ୍ତକୁ ମନେପକାଇ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଧରି ବିକଳରେ କାନ୍ଦି ଉଠୁଛନ୍ତି।

ଗୋପାଙ୍ଗନାମାନେ ଶ୍ରୀକୃଷ୍ଣଙ୍କଠାରୁ ସମ୍ପର୍କ ତୁଟାଇବା ପାଇଁ ଚାହୁଁ ନାହାନ୍ତି। ଅଥଚ ସେମାନଙ୍କର ବୁକୁଫଟା ଚିତ୍କାର ଟିକିଏ ବି ବିଚଳିତ କରୁନାହିଁ ନାଗରବର ଶ୍ରୀକୃଷ୍ଣଙ୍କୁ।

ଶ୍ରୀରାଧାଙ୍କ ଲୁହରେ ଭିଜୁଛି ଗୋପର ଦାଣ୍ଡ

ସବୁଠାରୁ ଭାଙ୍ଗି ପଡ଼ୁଛନ୍ତି ଗୋପୀ ଶ୍ରେଷ୍ଠା ପ୍ରେମମୟୀ ଶ୍ରୀରାଧା। ଶ୍ରୀକୃଷ୍ଣ ତ ଗୋପପୁର ଛାଡ଼ି ଚାଲିଯାଉନାହାନ୍ତି, ବରଂ ତାଙ୍କ ଶରୀରରୁ ଆତ୍ମା ଚାଲିଯାଉଛି ମଥୁରାପୁରକୁ। ବିରହ ବେଦନାରେ ଜର୍ଜରିତ ଶ୍ରୀରାଧାଙ୍କ ଲୁହରେ ଭିଜିଯାଉଛି ଗୋପର ଦାଣ୍ଡ।

ବୃନ୍ତରୁ ଫୁଲଟି ଝଡ଼ିଯିବା ସଦୃଶ ଦୁଃଖରେ ଝାଉଁଳି ପଡ଼ୁଛି ଶ୍ରୀରାଧାଙ୍କ ସର୍ବାଙ୍ଗ। ଥମି ଯାଉଛି ଯମୁନାର ଉଜାଣି।

ହଜି ଯାଉଛି ବଂଶୀଶୂନ ଅଭୂତ ଏକ କୃଷ୍ଣବିହୀନ ଶୂନ୍ୟତା ଭିତରେ। କଦମ୍ବ ବୃକ୍ଷର ଫୁଲପତ୍ରଗୁଡ଼ିକ ସ୍ତବ୍ଧ ପାଲଟି ଯାଇଛନ୍ତି।

ଗୋପର ମାଟିରୁ ଆକାଶ ଯାଏ ଛାଇ ଯାଉଛି ଖାଁ ଖାଁର ଏକ ଭାବ। ଗୋପ ସହିତ ବାରବର୍ଷର ସମ୍ପର୍କ ତୁଟାଇ ଲୀଳାମୟ ଚାଲିଯାଉଛନ୍ତି ମଥୁରାକୁ। ତାଙ୍କର ଫେରିବାକୁ ନେଇ ଛାଡ଼ି ଯାଇଛନ୍ତି କିଛି ସ୍ମୃତି ସହିତ ଏକ ବିରାଟ ପ୍ରଶ୍ନବାଚୀ।

ମୁନିଋଷିଙ୍କ ଉପରେ କଂସଙ୍କ ଅତ୍ୟାଚାର

ଶ୍ରୀକୃଷ୍ଣ ଓ ବଳରାମ ମଥୁରାକୁ ଆସୁଛନ୍ତି। ଅଥଚ ଏପଟେ କଂସ ଆରମ୍ଭ କରି ଦେଉଛନ୍ତି ତାଙ୍କର ଦମନଲୀଳା। ଆମ୍ରବନର କୃଷ୍ଣଭକ୍ତ ମୁନିଋଷିଙ୍କ ଉପରେ ଅତ୍ୟାଚାର କରୁଛନ୍ତି କଂସ। ମୃତ୍ୟୁ ଯେତେ ପାଖେଇ ଆସୁଛି, କଂସଙ୍କ ପାପର କାୟା ସେତେ ବଢ଼ିଚାଲିଛି। ଦୀପ ଲିଭିବା ପୂର୍ବରୁ ଦୀପ ଶିଖାର ତେଜିୟାନ ହେବାର ପ୍ରବୃତ୍ତି ପରିଲକ୍ଷିତ ହେଉଛି କଂସଙ୍କଠାରେ।

କୃଷ୍ଣ-ବଳରାମଙ୍କ ମଥୁରାରେ ପ୍ରବେଶ

ଧୀରେ ଧୀରେ ମଥୁରାରୁ ଅପସରି ଯାଉଛି କଂସଭୟ। ଶ୍ରୀକୃଷ୍ଣ ଓ ବଳରାମ ପହଞ୍ଚି ଯାଉଛନ୍ତି ମଥୁରାରେ। କଂସଙ୍କଠାରୁ ମଥୁରାବାସୀ ଫେରାଇ ନେଉଛନ୍ତି ନିଜର ଦୃଷ୍ଟି। କଂସତ୍ୱକୁ କ୍ରମଶଃ ଛାଇ ଯାଉଛି କୃଷ୍ଣତ୍ୱର କଳା ବାଦଲ। କଂସଙ୍କ ବୋଲ୍ ମାନୁଥିବା ମଥୁରାର ପ୍ରଜାଗଣ ଏବେ ଭଗବାନ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ନିଜ ଅଗଣାରେ ପାଇ ପୁଲକିତ ହୋଇ ଉଠୁଛନ୍ତି। ଭକ୍ତିଭିଜା ସ୍ୱାଗତରେ ଭଗବାନଙ୍କର ସାନ୍ନିଧ୍ୟ ଲାଭ ପାଇଁ ମଥୁରାରେ ବି ଆରମ୍ଭ ହୋଇଯାଇଛି ଭକ୍ତିର ପ୍ରତିଯୋଗିତା। ଶ୍ରୀକୃଷ୍ଣ ଏବେ ମଥୁରାରେ। ତଥାପି କଂସର ଅଟ୍ଟହାସ୍ୟ ଥମି ନାହିଁ ରାଜଦରବାରରେ। ବୋଧହୁଏ ମୋକ୍ଷ ପ୍ରାପ୍ତି ପାଇଁ ଶ୍ରୀକୃଷ୍ଣଙ୍କର ଆଗମନକୁ ଅପେକ୍ଷା କରିଛି ଅନେକ ନକରାତ୍ମକ ଉପାଦାନରେ ଗଠିତ କଂସ ପରି ଏକ ଦୁଷ୍ଟାତ୍ମା।

ବରଗଡ଼ ଧନୁଯାତ୍ରା ଉପରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଆୟୋଜିତ ଏହି ମିଡିଆ ଅଭିଯାନର ମୁଖ୍ୟ ପ୍ରାୟୋଜକ ହେଉଛନ୍ତି ‘ନାଲ୍‌କୋ‘, ସହ ପ୍ରାୟୋଜକ ‘ଓଡ଼ିଶା ଖଣି ନିଗମ‘ (ଓଏମ୍‌ସି)।

Comment