ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଓଡ଼ିଶା ପାଇଁ ନିଶ୍ଚିତ ଭାବେ ଏକ ଅନନ୍ୟ ଘଟଣା। ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସହାୟତାରେ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ ଓଡ଼ିଶୀ ଉଦ୍‍ଘାଟନୀ ଉତ୍ସବ ରବିନ୍ଦ୍ର ମଣ୍ଡପଠାରେ ଏକ ବର୍ଣ୍ଣାଢ୍ୟ ଓ ମନୋଜ୍ଞ ପରିବେଶ ଭିତରେ ଆରମ୍ଭ ହୋଇଛି । ଏହି ପାଞ୍ଚ ଦିନିଆ ନୃତ୍ୟ ଉତ୍ସବରେ ଦେଶ, ବିଦେଶ ତଥା ସ୍ଥାନୀୟ କଳାକାର ଯୋଗଦାନ କରିଛନ୍ତି ।

ଉଦ୍‌ଘାଟନୀ ଉତ୍ସବର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା ଅପରାହ୍ନ ୪ ଟାରୁ । ଏହାର ଶୁଭାରମ୍ଭ କରିଥିଲେ ଗୁରୁ ବନମାଳୀ ମହାରଣା ଓ ଗୁରୁ ଦୁର୍ଗାଚରଣ ରଣବୀର। ପ୍ରଥମେ ଏକକ ନୃତ୍ୟ ପର୍ଯ୍ୟାୟରେ ଭୁବନେଶ୍ୱରର ଶୋଭଲି ରାୟଙ୍କ ଦ୍ୱାରା ରାଗ ବୃନ୍ଦାବନି ସାରଙ୍ଗ ଓ ଏକତାଳିରେ ଅଭିନୟ ଗଣେଶ ବନ୍ଦନା “ଗୌରୀ ନନ୍ଦନ ବିଘ୍ନ ବିନାଶନ ଜୟ ଜୟ ଭକ୍ତି ଗୀତ” ପରିବେଷଣ କରାଯାଇଥିଲା।

ପରେ ପୂର୍ଣ୍ଣତା ମହାନ୍ତି ଅଭିନୟ ମାଧ୍ୟମରେ “ଆହେ ନୀଳ ମଣି ବେଗି ଉଠ ରାତି ପାହିଲାଣି” ପରିବେଷଣ କରିଥିଲେ । ତା ପରେ ଦ୍ୱୈତ ନୃତ୍ୟ ପର୍ଯ୍ୟାୟରେ ନୁରରାଜା ଓ ତିଥିଭଦ୍ରା ମହାପାତ୍ରଙ୍କ ଦ୍ୱାରା ରାଗମାଳିକାରେ ଅଭିନୟ ହର ଗୌରୀ ଅଷ୍ଟକ ପରିବେଷଣ କରାଯାଇଥିଲା। ଜ୍ୟୋତି ରଞ୍ଜନ ଦାସଙ୍କ ଏକକ ନୃତ୍ୟ ଏବଂ କଟକର ସୁଶ୍ରୀ ସଙ୍ଗୀତା ନାୟକଙ୍କ ଦ୍ୱାରା ପଲ୍ଲବୀ ହଂସଧ୍ୱନି, ଅନନ୍ୟା ପରିଡ଼ାଙ୍କ ପଞ୍ଚଭୂତ, ବମ୍ବେରୁ ଆସିଥିବା ରବୀନ୍ଦ୍ର ଅତିବୁଦ୍ଧି ଓ ସାଥୀଙ୍କ ଦ୍ୱାରା “ପଲ୍ଲବୀ’ ଅପରାହ୍ନର ଶେଷ ପରିବେଷଣ ଥିଲା ଦିଲ୍ଲୀରୁ ଆସିଥିବା ଆଳ୍ପନା ନାୟକ ଓ ସାଥୀଙ୍କ ଦ୍ୱାରା ଅଭିନୟ “ଦେବୀ’ ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା  ।

ଦ୍ୱିତୀୟ ଅଧିବେଶନର କଳାକାରମାନେ ଥିଲେ ଏକକ ନୃତ୍ୟ ପର୍ଯ୍ୟାୟରେ ଲୀନା ମହାନ୍ତି, ମଧୁସ୍ମିତା ନାୟକ, ସୁରେନ୍ଦ୍ର ମହାପାତ୍ର, ଅଙ୍କିତା ରଥ, ଲୀମା ଭୋଳ, ଦେବଶ୍ରୀ ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ରୀନା ଜାନା ଏବଂ ଦ୍ୱୈତ୍ୟ ନୃତ୍ୟ ପର୍ଯ୍ୟାୟରେ ପ୍ରୀତିପ୍ରୀୟା ଓ ବିନ୍ଦୁପ୍ରୀୟା ଏବଂ ଶୁଭ୍ରା ମାଇତୀ ଓ ପୌଲମୀ ଚକ୍ରବର୍ତ୍ତୀ ଏବଂ ଶେଷରେ ଦଳଗତ ନୃତ୍ୟରେ ଆମେରିକାରୁ ଆସିଥବା ଉର୍ବଶୀ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା  ।

ଉଦ୍‍ଘାଟନୀ ଉତ୍ସବରେ ସାଂସଦ  ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ଅଶୋକ କୁମାର ତ୍ରିପାଠୀ, ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତି, ପଦ୍ମଶ୍ରୀ ଅରୁଣା ମହାନ୍ତି, ପଦ୍ମଶ୍ରୀ ଇଲିୟାନା ଚିତାରିଷ୍ଟ୍, ଗୁରୁ ରତିକାନ୍ତ ମହାପାତ୍ର ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼କ୍ଟର ସଙ୍ଗୀତା ଗୋସାଇଁ ଉପସ୍ଥିତ ଥିଲେ।

Comment