ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦଶମ ଦିନରେ ପହଞ୍ଚିଛି ବରଗଡ଼ ଧନୁଯାତ୍ରା। ଲୀଳାମୟ ଶ୍ରୀକୃଷ୍ଣ ଗୋପ ଛାଡ଼ି ମଥୁରାରେ ଲୀଳା କରୁଛନ୍ତି। ମଥୁରାରେ ପହଞ୍ଚିବା ପରେ ଶ୍ରୀକୃଷ୍ଣ କୁବୁଜାକୁ ଉଦ୍ଧାର କରିଥିବା ବେଳେ ସୁଦାମା ଓ ରଜକ ସହ ସାକ୍ଷାତ ଦୃଶ୍ୟ ଅଭିନୀତ ହୋଇଯାଇଛି। ମଥୁରାରେ କୃଷ୍ଣ ଓ ବଳରାମ ପ୍ରବେଶ କରିବାର ସୂଚନା ପାଇ କଂସ ମହାରାଜଙ୍କର  ମତିଭ୍ରମ ହୋଇ ଯାଇଛି। କୃଷ୍ଣଙ୍କୁ ମାରିବା ପାଇଁ ପାତ୍ରମନ୍ତ୍ରୀଙ୍କ ସହ କଂସ ଯୋଜନା ପରେ ଯୋଜନା ଆରମ୍ଭ କରିଛନ୍ତି।

ଏକ ବିପଦପୂର୍ଣ୍ଣ ଯୁଦ୍ଧ ଆଶଙ୍କା କରି ଅଷ୍ଟମଲ୍ଲଙ୍କୁ ଯୁଦ୍ଧ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ଶ୍ରୀକୃଷ୍ଣ ବଳରାମ ମଥୁରା ନଗର ଭ୍ରମଣରେ ବ୍ୟସ୍ତ। ମଥୁରା ନଗରୀରେ କୃଷ୍ଣ ଘରେ ଘରେ ପୂଜା ପାଉଛନ୍ତି। ନଗରର ବହୁ ସ୍ଥାନରେ କୃଷ୍ଣ ବଳରାମଙ୍କୁ ସ୍ୱାଗତ କରାଯାଇ ପୂଜାର୍ଚ୍ଚନା କରିବା ସହ ଭୋଗ, ଅନ୍ନ, ବସ୍ତ୍ର ଭକ୍ତମାନେ ପ୍ରଦାନ କରିଛନ୍ତି।

ମଙ୍ଗଳବାର ଦିନ ଧନୁଯାତ୍ରାର ଅନ୍ତିମ ଦିବସ। ଅନ୍ତିମ ଦିବସରେ କଂସବଧ ହେବ। ମହାପ୍ରତାପୀ କଂସର ରାଜୁତିର ପୂର୍ଣ୍ଣଛେଦ ପଡ଼ିବ। ଅନ୍ୟାୟ ଉପରେ ନ୍ୟାୟ, ଅଶାନ୍ତି ଉପରେ ଶାନ୍ତି, ଅଧର୍ମ ଉପରେ ଧର୍ମର ବିଜୟ ହେବ। କଂସକୁ କୃଷ୍ଣ ବଧ କରିବା ପରେ ଗାଦିଚ୍ୟୁତ ହୋଇଥିବା ଉଗ୍ରସେନଙ୍କ ରାଜ୍ୟାଭିଷେକ ଅନୁଷ୍ଠିତ ହେବ।

ମହାରାଜା ଉଗ୍ରସେନଙ୍କ ଆଦେଶରେ ଦେବକୀ ଓ ବସୁଦେବଙ୍କୁ କାରାଗାରରୁ ମୁକ୍ତକରି ଧନୁଯାତ୍ରାର ସମାପ୍ତି ଘୋଷଣା ହେବ।

ବରଗଡ଼ ଧନୁଯାତ୍ରା ଉପରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଆୟୋଜିତ ଏହି ମିଡିଆ ଅଭିଯାନର ମୁଖ୍ୟ ପ୍ରାୟୋଜକ ହେଉଛନ୍ତି ‘ନାଲ୍‌କୋ‘, ସହ ପ୍ରାୟୋଜକ ‘ଓଡ଼ିଶା ଖଣି ନିଗମ‘ (ଓଏମ୍‌ସି)।

Comment