ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଷୀ ଆସନ୍ତୁ, ବା ନଆସନ୍ତୁ ମଣ୍ଡି ପ୍ରତିଦିନ ଖୋଲାରହିବ। ଚାଷୀଙ୍କଠାରୁ ଧାନ ପ୍ରତିଦିନ କିଣାଯିବ। ଧାନ ନ ଉଠାଇଲେ ମିଲରଙ୍କୁ ବନ୍ଧାଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ରାଜ୍ୟର ପ୍ରତି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମରୁଡ଼ି, ଚକଡ଼ାପୋକ ଓ ଅଦିନିଆ ବର୍ଷାରେ ରାଜ୍ୟର ୮ଲକ୍ଷ ୫୩ହଜାର ହେକ୍ଟର ଜମିର ଧାନଫସଲ ନଷ୍ଟ ହୋଇଥିଲା। ଏହା ସତ୍ତ୍ବେ ଧାନ ସଂଗ୍ରହ ଗତବର୍ଷ ତୁଳନାରେ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ଆଶା କରିଛନ୍ତି। ଗତବର୍ଷ ୫୬ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା।
ଗତବର୍ଷ ନଭେମ୍ବରମାସରୁ ରାଜ୍ୟରେ ଧାନ ସଂଗ୍ରହ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୧୪ଲକ୍ଷ ୩୨ହଜାର ୨୫୭ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିବାରୁ ଚଳିବର୍ଷ ଧାନ ସଂଗ୍ରହ ପରିମାଣ ୭୦ଲକ୍ଷ ମେଟ୍ରିକ୍ ଟନ୍ ହେବ ବୋଲି ମନ୍ତ୍ରୀ ଆଶା କରିଛନ୍ତି।
ମିଲରମାନଙ୍କଠାରୁ ଚାଉଳ, ସଂଗ୍ରହ କ୍ଷେତ୍ରରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଧାର୍ଯ୍ୟ ସମୟ ଭିତରେ ଚାଉଳ ଦେଇନଥିବା ୮୧ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନଙ୍କୁ ଧାନ ନଦେବା ପାଇଁ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦଶେ ଦେଇଛନ୍ତି। ଚାଷୀ ମଣ୍ଡିରେ ଧାନ ଦେବାର ୨୪ଘଣ୍ଟା ଭିତରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ପାଇଁ ମନ୍ତ୍ରୀ ନିର୍ଦ୍ଦଶେ ଦେଇଛନ୍ତି। ଧାନ ସଂଗ୍ରହ ବେଳେ ମଣ୍ଡିରେ ହେଉଥିବା କାଟଛାଣ୍ଟ ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି। ସୂଚନାଯୋଗ୍ୟ ସରକାରଙ୍କୁ ଧାନ ବିକ୍ରି କରିବା ପାଇଁ ରାଜ୍ୟରେ ୧୦ଲକ୍ଷ୫୧୦ଜାର ଚାଷୀ ନାମ ପଞ୍ଜିକରଣ କରିଛନ୍ତି।


















