ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାରା ଘୋଟାଲାର ରାୟ ଶନିବାର ପ୍ରକାଶ ପାଇଛି।ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସଭାପତି ଲାଲୁପ୍ରସାଦ ଯାଦବଙ୍କୁ ସାଢ଼େ ୩ ବର୍ଷ ଜେଲ୍‌ ହୋଇଛି। ଏହାସହ ୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି କୋର୍ଟ।

ବହୁ ଚର୍ଚ୍ଚିତ ଚାରା ଘୋଟାଲାର ରାୟ ଶନିବାର ପ୍ରକାଶ ପାଇଛି। ରାଞ୍ଚିସ୍ଥିତ ସ୍ପେଶାଲ ସିବିଆଇ କୋର୍ଟ ମାମଲାର ରାୟ ପ୍ରକାଶ କରିଛନ୍ତି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସଭାପତି ଲାଲୁପ୍ରସାଦ ଯାଦବଙ୍କୁ ସାଢ଼େ ୩ ବର୍ଷ ଜେଲ୍‌ ହୋଇଛି। ଏହାସହ ୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି କୋର୍ଟ। ତାଙ୍କ ସହ ଅନ୍ୟ ୧୬ ଜଣ ଅଭିଯୁକ୍ତଙ୍କ ଲାଗି ଦଣ୍ଡ ବିଧାନ କରାଯାଇଛି।

ଲାଲୁ ରାଞ୍ଚିସ୍ଥିତ ବିର୍ସାମୁଣ୍ଡା ଜେଲରେ ରହିଥିବାରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଦଣ୍ଡାଦେଶ ଶୁଣାଣି କରାଯାଇଥିଲା।

ସଜା କୋହଳ କରିବାକୁ ଲାଲୁଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା। ଲାଲୁଙ୍କ ପକ୍ଷରୁ ଚିତ୍ତର ରଞ୍ଜନ ପ୍ରସାଦ କୋର୍ଟରେ ଏହି ଆବେଦନ କରିଥିଲେ। ସେ କହିଥିଲେ ଯେ, ଲାଲୁଙ୍କ ବୟସ ୭୦ ବର୍ଷ ହୋଇଗଲାଣି। ସେ ଶାରିରୀକ ଭାବେ ଅସୁସ୍ଥ। ୨୧ ବର୍ଷ ଧରି ସେ ମାମଲା ଲଢ଼ୁଛନ୍ତି। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଦଣ୍ଡ କୋହଳ କରାଯାଉ।

ସିବିଆଇ ମୁଖପାତ୍ର କହିଛନ୍ତି, “ଲାଲୁ ରାଜନୀତିରେ ସକ୍ରିୟ ଅଛନ୍ତି। ବିଭିନ୍ନ ରାଲିରେ ସେ ଉଦ୍‌ବୋଧନ ମଧ୍ୟ ଦେଉଛନ୍ତି। ଏଣୁ ସେ ଅସୁସ୍ଥ ବୋଲି ଜଣାପଡ଼ୁନି। ଜେଲରେ ମଧ୍ୟ ଚିକିତ୍ସା ସୁବିଧା ଉପଲବ୍ଧ ରହିଛି। ଏଣୁ ତାଙ୍କୁ ଅଧିକରୁ ଅଧିକ ସଜା ଦେଲେ କିଛି ଅସୁବିଧା ନାହିଁ।”

ଡିସେମ୍ବର ୨୩ରେ ସିବିଆଇ କୋର୍ଟ ଚାରା ଘୋଟାଲାରେ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଲାଲୁଙ୍କୁ ୩ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଳ ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଲାଲୁଙ୍କୁ ସାଢ଼େ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଯାଇଛି।

Comment