ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଆନନ୍ଦ ମୋହନ ଏମିତି ଜଣେ ମଣିଷ, ଯାହା ପାଇଁ ବଦଳିଗଲା ଆଇନ।

ଜଣେ ଗ୍ୟାଙ୍ଗଷ୍ଟର ପ୍ରତି ନୀତିଶ କୁମାରଙ୍କର ଦରଦ କାହିଁକି ରହିଥିଲା? ଏ ପ୍ରଶ୍ନ ସମସ୍ତଙ୍କ ମନକୁ ଆସିଥିଲେ ମଧ୍ୟ କୌଣସି ରାଜନେତାଙ୍କ ମୁହଁ ଖୋଲିନଥିଲା ନୀତିଶଙ୍କ ଏ ନିଷ୍ପତ୍ତିର ପ୍ରତିବାଦ କରିବା ପାଇଁ। ଯାହା ବିହାରର ଜାତି ରାଜନୀତିର ଆୟୁଷ ଆହୁରି ବଢ଼ାଇ ଦେଇଥିବା ରାଜନୈତିକ କରିଡୋରରେ ଚର୍ଚ୍ଚା ହେଉଛି।

ଆନନ୍ଦ ମୋହନର ମୁକ୍ତି, ୧୯୯୪ ମସିହା ଡିସେମ୍ବର ୫ ତାରିଖର ସେହି ରକ୍ତରଞ୍ଜିତ ଇତିହାସକୁ ପୁଣି ଥରେ ତାଜା କରିଦେଇଛି। ଆନନ୍ଦ ମୋହନ ନେତୃତ୍ଵରେ ୫ ହଜାରରୁ ଅଧିକ ଲୋକ ଅତି ନିଷ୍ଠୁର ଭାବେ ହତ୍ୟା କରିଥିଲେ ଯୁବ ଆଇଏଏସ୍ ଅଫିସର ଜି କ୍ରିଷ୍ଣେୟାଙ୍କୁ। ନିଜ ଅଙ୍ଗରକ୍ଷୀଙ୍କୁ ରକ୍ଷା କରିବାକୁ ଯାଇ ଆନନ୍ଦ ମୋହନର ହାବୁଡ଼ରେ ପଡ଼ିଯାଇଥିଲେ କ୍ରିଷ୍ଣେୟା। ମୁଜାଫରପୁର ସୀମାନ୍ତରେ ଘଟିଥିବା ଏ ବର୍ବୋରଚିତ ହତ୍ୟା ଆଜି ବି ବିଚଳିତ କରିପକାଏ। କୁନି ଝିଅ ଦୁଇଟି ସେଦିନ ଅନାଥ ହୋଇଗଲେ।

ଆନନ୍ଦ ମୋହନକୁ ଜେଲ୍‌ରୁ ମୁକୁଳାଇବା ପାଇଁ କାହିଁକି ଏତେ ତରବର ହେଲେ ବିହାର ସରକାର? କ’ଣ ପାଇଁ ଜଣେ ପ୍ରଶାସକଙ୍କ ବର୍ବର ହତ୍ୟାକୁ ଭୁଲି ଗଲେ ସୁଶାସନ ବାବୁ ନୀତିଶ କୁମାର? ଜାତିବାଦ ରାଜନୀତି ଉପରେ ବିଶ୍ଵାସ କରୁଥିବା ଲୋକେ ହୁଏତ ପ୍ରଶ୍ନ କରିବାକୁ ପଛଘୁଞ୍ଚା ଦେବେ, କିନ୍ତୁ ପ୍ରତିଭାବାନ ଯୁବ ଆଇଏଏସ୍‌ଙ୍କୁ ହତ୍ୟା କରିଥିବା ଜଣେ ଗ୍ୟାଙ୍ଗଷ୍ଟର ରାଜନେତା ଆନନ୍ଦ ମୋହନ ପାଇଁ ନିତୀଶଙ୍କ ଏହି ବ୍ୟାକୁଳତା ତାଙ୍କ ଆତ୍ମଘୋଷିତ ସ୍ଵଚ୍ଛ ଭାବମୂର୍ତ୍ତିକୁ କଳଙ୍କିତ କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ବିହାରରେ ଜାତି ରାଜନୀତି

ବିହାର-ଜାତି ରାଜନୀତି କେବେ କେହି କାହାକୁ ଛାଡ଼ିନାହାନ୍ତି। ଗଣତନ୍ତ୍ର ପ୍ରତିଷ୍ଠା ପରେ ବି ବିହାରବାସୀ ଏଥିରୁ ମୁକୁଳି ପାରିନାହାନ୍ତି। କହିବାକୁ ଗଲେ, କେହି କାହାକୁ ଛାଡ଼ିବାକୁ ଚାହିଁ ନାହାନ୍ତି। ବରଂ ରାଜନୀତି ଏହି ଜାତିବାଦକୁ ପ୍ରୋତ୍ସାହନ ଦେଇଛି। ଏହି ପ୍ରୋତ୍ସାହନ ପାଇଁ କେତେ ଯେ ରକ୍ତପାତ ହୋଇଛି ତା’ର ହିସାବ ନାହିଁ।

ବିହାରରେ ଜାତି ଓ ଧର୍ମ ରାଜନୀତିରୁ ପ୍ରୋତ୍ସାହନ ପାଇଥିବା ବାହୁବଳୀ ନେତାଙ୍କ ତାଲିକା ଖୁବ୍‌ ଲମ୍ବା। ସବୁବେଳେ ଏମାନେ ଭୋଟ୍‌ ଧ୍ରୂବୀକରଣ ପାଇଁ ଅପରାଧ ଘଟାଇବାକୁ ପଛଘୁଞ୍ଚା ଦେଇନାହାନ୍ତି। ଶାହାବୁଦ୍ଦିନ, ସୁରଜଭାନ, ଅନନ୍ତ ସିଂହ ଏବଂ ଆନନ୍ଦ ମୋହନ ଭଳି ଲୋକମାନେ ଭିନ୍ନ ଭିନ୍ନ ଦଳ ଦ୍ଵାରା ପ୍ରୋତ୍ସାହିତ ହୋଇଛନ୍ତି। ରାଜନୈତିକ ଦଳର ପୋଷାଗୁଣ୍ଡା ପାଲଟିଛନ୍ତି। ଆଉ ବେଳେବେଳେ ଏହି ପୋଷା ଗୁଣ୍ଡା ବି ରାଜନେତା ପାଲଟନ୍ତି।

ଆନନ୍ଦ ମୋହନ ୧୯୭୪ ମସିହାରେ ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ସାମିଲ ହୋଇ ପାଠପଢ଼ା ଛାଡ଼ିଥିଲା। ଜରୁରୀକାଳିନ ପରିସ୍ଥିତିରେ ସେ ଜେଲ୍‌ ଯାଇଥିଲା। କିନ୍ତୁ ମଣ୍ଡଳ କମିଶନର ସୁପାରିସ ଅନୁସାରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ଲାଗୁ ହେବା ପରେ ତା’ର ରାଜନୀତିର ଗତି ବଦଳିଯାଇଥିଲା। ଏଥର ସେ ରାଜପୁତଙ୍କ ପ୍ରତିନିଧି ଭାବେ ରାଜନୀତି ଆରମ୍ଭ କରିଥିଲା।

ନିଜର ଏକ ଭୋଟ୍ ବ୍ୟାଙ୍କ ବା ସମର୍ଥକ ଗୋଷ୍ଠୀ ତିଆରି କରିବାରେ ସଫଳ ହୋଇଥିବା ଆନନ୍ଦକୁ ୧୯୯୦ରେ ନିର୍ବାଚନ ରାଜନୀତିରେ ପ୍ରବେଶ କରିବାକୁ ସୁଯୋଗ ମିଳିଥିଲା। କିନ୍ତୁ ଜାତି ରାଜନୀତିକୁ ହିଁ ଗୁରୁତ୍ଵ ଦେବା ସହ ଭୋଟ୍ ପାଇଁ ରାଜନୀତି ଦଳର ଗେହ୍ଲା ପୁଅ ପାଲଟିଗଲା।

ଆନନ୍ଦ ବିରୋଧରେ କେତେ ହତ୍ୟା, ଅପହରଣ, ଗଣ୍ଡଗୋଳ ମାମଲା ରହିଛି ତା’ର କୌଣସି ହିସାବ ନାହିଁ। ଆନନ୍ଦ ସ୍ଵାଧୀନ ଭାରତର ଏକ ମାତ୍ର ରାଜନେତା ଯିଏ ହତ୍ୟା ଅପରାଧ ପାଇଁ ଫାଶୀ ଦଣ୍ଡ ପାଇଥିଲା। ଅବଶ୍ୟ ତଳ କୋର୍ଟଙ୍କ ଏହି ରାୟ ଉପର କୋର୍ଟରେ ଆଜୀବନ ସଜାକୁ ବଦଳି ଯାଇଥିଲା। ଆନନ୍ଦ ବାହୁବଳକୁ ପ୍ରୟୋଗ କରି ବିଧାନସଭା ଓ ସାଂସଦକୁ ନିର୍ବାଚିତ ହେବାରେ ସଫଳ ହୋଇଥିଲା।

ଜଣେ ସଚ୍ଚୋଟ ଯୁବ ଆଇଏଏସ୍‌ ଅଧିକାରୀ ଜି. କ୍ରିଷ୍ଣାୟାଙ୍କୁ ହତ୍ୟା କରିଥିବା ଏହି ଅପରାଧୀକୁ ଜେଲ୍‌ରୁ ମୁକୁଳାଇବା ପାଇଁ ନୀତିଶ କୁମାର ତତ୍ପର ହେବା ସମସ୍ତଙ୍କୁ ଅସନ୍ତୁଷ୍ଟ କରିଛି। କିନ୍ତୁ ଏହାକୁ ନେଇ ନା ସ୍ଥାନୀୟ କଂଗ୍ରେସ, ନା ବିଜେପି ନା ଆଉ କେହି ଏହି ନିଷ୍ପତ୍ତି ବିରୋଧରେ ସ୍ଵର ଉଠାଇଛନ୍ତି। କାରଣ ସମସ୍ତଙ୍କ ନଜର ଆନନ୍ଦ ମୋହନଙ୍କ ପଛରେ ଥିବା ରାଜପୁତ ଭୋଟ୍ ବ୍ୟାଙ୍କ।

ରାଜନୀତି ସମୀକ୍ଷକଙ୍କ ମତରେ ୨୦୧୪ ସାଧାରଣ ନିର୍ବାଚନରେ ଜେଡିୟୁ ମହାମେଣ୍ଟରେ ଥିଲା। ଏହି ନିର୍ବାଚନରେ ଜେଡିୟୁ ମାତ୍ର ୨ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା। କିନ୍ତୁ ୨୦୧୯ରେ ଏନ୍‌ଡିଏ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବା ପରେ ଆସନ ସଂଖ୍ୟା ୧୬କୁ ବୃଦ୍ଧି ପାଇଥିଲା। ଆସନ୍ତା ୨୦୨୪ ନିର୍ବାଚନରେ ଆଉ ବିଜେପି ମେଣ୍ଟ ନାହିଁ, କିନ୍ତୁ ଜିତିଥିବା ସିଟ୍‌କୁ ବଜାୟ ରଖିବା ପାଇଁ ନୀତିଶ ଏହି ଯୋଜନା କରିଛନ୍ତି। ଏଥିରେ ଫାଇଦା ଥିବାରୁ ଆର୍‌ଜେଡି ମଧ୍ୟ ବିରୋଧ କରି ନାହିଁ।

ରାଜନୀତି ସମୀକ୍ଷକଙ୍କ ମତରେ ମୋଦୀ ଏବେ ବି ଜାତୀୟସ୍ତରରେ ସବୁଠାରୁ ଲୋକପ୍ରିୟ ନେତା। ରାଜ୍ୟସ୍ତରରେ କୌଣସି ବିଜେପି ନେତା ନୀତିଶ-ତେଜସ୍ଵୀଙ୍କୁ ମୁକାବିଲା କରିବା ଭଳି ନଥିଲେ ମଧ୍ୟ ସାଂସଦଙ୍କୁ ଭୋଟ୍ ଦେବା ବେଳେ ଲୋକେ ମୋଦୀଙ୍କୁ ମନେ ପକାଇବେ। ମୋଦୀ ଫ୍ୟାକ୍ଟରକୁ ନିଷ୍ପ୍ରଭ କରିବାକୁ ହେଲେ ନିତୀଶଙ୍କୁ ଜାତି ପଲିଟିକ୍ସକୁ ଆହୁରି ବିସ୍ତାରିତ କରିବାକୁ ପଡ଼ିବ ବୋଲି ରାଜନୀତି ପଣ୍ଡିତମାନେ କହିଛନ୍ତି।

ବିହାର ରାଜନୀତିରେ ରାଜପୁତ ଦବଦବା

ଉଭୟ ଆର୍‌ଜେଡି ଓ ଜେଡିୟୁଙ୍କର ଦଳିତ ଓ ପଛୁଆ ବର୍ଗରେ ଭଲ ଭୋଟ୍ ଅଂଶ ରହିଛି। କିନ୍ତୁ ଉଚ୍ଚ ଜାତିବର୍ଗରେ ବିଜେପିର ଦବଦବା ରହିଛି। ଉଚ୍ଚଜାତି ବର୍ଗର ଭୋଟ ବିଭାଜନ କରି ନିଜ ସପକ୍ଷରେ ଆଣିବାକୁ ନୀତିଶ କୁମାର ଏହି ପଦକ୍ଷେପ ନେଇଛନ୍ତି। କାରଣ ଆନନ୍ଦ ମୋହନ ରାଜପୁତ। ବିହାର ରାଜନୀତିରେ ରାଜପୁତମାନଙ୍କର ବହୁତ ଦବଦବା ରହିଛି।

ଏକ ହିସାବ ଅନୁସାରେ ୨୦୧୪ ନିର୍ବାଚନରେ ଉଚ୍ଚଜାତି ବର୍ଗରୁ ୬୩ ପ୍ରତିଶତ ଭୋଟ୍ ବିଜେପିକୁ ଯାଇଥିଲା। ୨୦୧୯ ନିର୍ବାଚନରେ ଏହାର ପରିମାଣ ୭୩ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଉଚ୍ଚ ଜାତିର ଭୋଟ ମଧ୍ୟରୁ ରାଜପୁତଙ୍କ ଭୋଟ୍ ଅଧା। ବିଧାନସଭାକୁ ୨୮ ଜଣ ରାଜପୁତ ବିଧାୟକ ନିର୍ବାଚିତ ହୋଇଛନ୍ତି। ଆନନ୍ଦ ମୋହନ ରାଜପୁତଙ୍କ ରବିନହୁଡ୍ ହୋଇଥିବାରୁ ସ୍ଵାଭାବିକ ଭାବେ ରାଜପୁତ୍ ଭୋଟ୍‌ର ଏକ ବଡ଼ ଭାଗ ନିଜ ସପକ୍ଷରେ ଆଣିବାକୁ ସଫଳ ହେବେ ବୋଲି ନୀତିଶ ଆଶା କରିଛନ୍ତି।

ନୀତିଶଙ୍କ ପ୍ରଧାନମନ୍ତ୍ରୀ ସ୍ଵପ୍ନ

ନିଜେ ନୀତିଶ କହୁନଥିଲେ ମଧ୍ୟ ତାଙ୍କର ପ୍ରଧାନମନ୍ତ୍ରୀ ହେବାର ସ୍ଵପ୍ନ ରହିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏହି ଦାବିକୁ ମଜବୁତ କରିବା ପାଇଁ ହେଲେ ବିରୋଧୀଙ୍କୁ ମ୍ୟାଜିକ ନମ୍ବର ଦରକାର। ସେଥିପାଇଁ ବିଭିନ୍ନ ବିରୋଧୀ ଦଳଙ୍କୁ ଏକାଠି କରିବା ପାଇଁ ନୀତିଶ ଲାଗିପଡ଼ିଥିବା କୁହାଯାଉଛି। ଅନ୍ୟପଟେ ନିଜ ରାଜ୍ୟରୁ ବି ବହୁତ ଆସନ ଜିତିବାର ଅଛି। ତେଣୁ ଜାତି ସମୀକରଣକୁ ସମାଧାନ କରି ଭୋଟ୍ ବିରୋଧୀ ମେଣ୍ଟ ସପକ୍ଷରେ କରିବା ପାଇଁ ପଦକ୍ଷେପ ନେଉଛନ୍ତି ନୀତିଶ।

ତେବେ ଉଚ୍ଚଜାତି ବର୍ଗର ଭୋଟ୍ ପାଇବା ଆଶାରେ ଜଣେ ଦଳିତ ଆଇଏଏସ୍ ଅଫିସରଙ୍କ ପରିବାର ପ୍ରତି ଅନ୍ୟାୟ ପଛୁଆ ବର୍ଗ ଭୋଟ୍‌ବ୍ୟାଙ୍କକୁ କ୍ଷତିଗ୍ରସ୍ତ କରିବାର ଆଶଙ୍କା ରହିଥିବା ରାଜନୈତିକ ସମୀକ୍ଷକମାନେ କହିଛନ୍ତି।

ରାଜନୀତି ସମୀକ୍ଷକଙ୍କ ମତରେ ନୀତିଶ ଭାବୁଛନ୍ତି ଯେ ଆନନ୍ଦ ମୋହନକୁ ମୁକ୍ତ କରିବାର ନିଷ୍ପତ୍ତି ତାଙ୍କ ରାଜନୈତିକ ସ୍ଵପ୍ନକୁ ଆଦୌ କ୍ଷତିଗ୍ରସ୍ତ କରିବ ନାହିଁ। ଗୁଜରାଟ ବିଲ୍‌କିସ୍ ବାନୋ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତମାନଙ୍କ ମୁକ୍ତି ଯଦି ମୋଦୀଙ୍କ ଭାବମୂର୍ତ୍ତିକୁ କ୍ଷତିଗ୍ରସ୍ତ କଲାନାହିଁ, ତେବେ ଏଥିରେ ତାଙ୍କର କାହିଁକି କ୍ଷତି ହେବ।

ବଢ଼ିବ ନୀତିଶଙ୍କ ଅଡ଼ୁଆ!

କିଛି ରାଜନୀତି ସମୀକ୍ଷକ ମତ ଦେଇଛନ୍ତି ଯେ, ଏବେ ୨୦୨୩ ନବେ ଦଶକ ନୁହେଁ। ସେତେବେଳେ ଆନନ୍ଦମୋହନର ଦବଦବା ଥିଲା, କିନ୍ତୁ ଏବେ ନାହିଁ। ଯଦି ଦବଦବା ଥାନ୍ତା ତେବେ ଗତ ନିର୍ବାଚନରେ ତା’ ପତ୍ନୀ ହାରିନଥାନ୍ତେ ବୋଲି କୁହାଯାଉଛି। ନୂଆ ପିଢ଼ି ଆନନ୍ଦ ମୋହନକୁ ବେଶୀ ଜାଣନ୍ତି।ନାହିଁ। ନୂଆପିଢ଼ି ଯଦି ଆନନ୍ଦ ମୋହନକୁ ଜାଣିବାକୁ ଚେଷ୍ଟା କରିବେ ତେବେ ଜି କ୍ରିଷ୍ଣେୟାଙ୍କ ହତ୍ୟାକାଣ୍ଡ ବି ଜାଣିବାକୁ ପାଇବେ। କେମିତି ବିହାରରେ ଜଣେ ସରଳ ଆଇଏଏସ୍ ଅଧିକାରୀଙ୍କ ହତ୍ୟା କରାଯାଇଥିଲା? ତାହା ବି ଲୁଚି ରହିବ ନାହିଁ। ତେଣୁ ନୀତିଶଙ୍କ ଏହି ନିଷ୍ପତ୍ତି ବୁମେରାଂ ସୃଷ୍ଟି କରିବାର ସମ୍ଭାବନା ରହିଥିବା ରାଜନୀତି ମହଲରେ ଚର୍ଚ୍ଚା ହେଉଛି।

ଆଏଏସ ଜି କ୍ରିଷ୍ଣେୟାଙ୍କ ଜୀବନ ନେଲା ବିହାରର ଜାତି ରାଜନୀତି

ଜି କ୍ରିଷ୍ଣେୟା ଗୋପାଳଗଞ୍ଜର ଜିଲ୍ଲାପାଳ ଥିଲେ। ଅତି ଅମାୟିକ ତଥା ଅନୁଶାସନ ପ୍ରିୟ ଅଧିକାରୀ ଥିଲେ। କମ ଦିନର କାମ ଭିତରେ ସେ ବେଶ ଲୋକପ୍ରିୟତା ଅର୍ଜନ କରିପାରିଥିଲେ। କିନ୍ତୁ ଅପରାଧୀଙ୍କ ଆଖିରେ ଭଲ ଖରାପ ସବୁ ଏକାପରି ଦେଖାଯାଏ। ଏକ ଜରୁରୀ ମିଟିଂ ସାରି ଫେରୁଥିବା ବେଳେ ଅପରାଧୀଙ୍କ ଶିକାର ହୋଇଥିଲେ କ୍ରିଷ୍ଣେୟା।

ସେତେ ବେଳେ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଛୋଟନ ଶୁକ୍ଳାର ହତ୍ୟା ହୋଇଥିଲା। ଏହାକୁ ନେଇ ଉତ୍ତର ବିହାର ଅର୍ଥାତ ଗୋପାଳଗଞ୍ଜ, ମୁଜାଫରପୁର ଅଞ୍ଚଳରେ ଛୋଟନର ଜାତିଗତ ସମର୍ଥକମାନେ ଅସନ୍ତୁଷ୍ଟ ଥିଲେ। ସେମାନେ ଏନ୍ଏଚ୍ ଉପରେ ଛୋଟନର ଶବକୁ ନେଇ ଧାରଣା ପ୍ରଦର୍ଶନ କରୁଥିବା ବେଳେ ସେହି ରାସ୍ତା ଦେଇ ଜିଲ୍ଲାପାଳଙ୍କ ଲାଲବତୀ ଲାଗିଥିବା ଗାଡ଼ି ଫେରୁଥିଲା।

ପ୍ରଥମେ ଆନ୍ଦୋଳନକାରୀମାନେ ତାଙ୍କ ଗାଡ଼ି ଉପରକୁ ପଥର ମାଡ଼ କରିଥିଲେ। ଏହା ପରେ ଆନନ୍ଦ ମୋହନ କ୍ରିଷ୍ଣେୟାଙ୍କୁ କାର୍ ଭିତରୁ ବାହାରକୁ ଭିଡ଼ି ଆଣିଥିଲା। ତାଙ୍କୁ ଅତି ଅମାନୁଷିକ ଭାବେ ପିଟିବା ସହ ଗୁଳି କରି ହତ୍ୟା କରାଯାଇଥିଲା। ଅତି ଗରିବ ଦଳିତ ପରିବାରରୁ ସଂଘର୍ଷ କରି ଆଇଏଏସ୍ ପାଇଥିବା କ୍ରିଷ୍ଣେୟାଙ୍କ ଜୀବନ ଶେଷ କରିଦେଇଥିଲା ବିହାରର ଜାତି ରାଜନୀତି।

ଅପରାଧ ପାଇଁ ବଦନାମ ବିହାର

ବିହାର ରାଜ୍ୟରୁ ଆଇଏଏସ୍, ଆଇପିଏସ୍ ବି ଅଧିକ ପାଇବାର ରେକର୍ଡ ରହିଥିବାବେଳେ ଅପରାଧ ପାଇଁ ବି ବଦନାମ ମୁଣ୍ଡେଇଛି ବିହାର। ୯୦ ଦଶକରେ ବାହୁବଳୀମାନେ ଦିନ ଦ୍ଵିପହରରେ ହତ୍ୟା କରୁଥିଲେ। ବୋମା ମାଡ଼ ସହ ଗୁଳିବି ଚଳାଉଥିଲେ। ଏହା ହେଉଛି ସେହି ଗୋପାଳଗଞ୍ଜ ଯେଉଁଠି ଆଉଜଣେ ଆଇଏଏସ୍ ଅଧିକାରୀ ମହେଶ ନାରାୟଣ ଶର୍ମାଙ୍କ ଉପରେ ବୋମା ପକାଇ ହତ୍ୟା କରାଯାଇଥିଲା।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମହେଶ ଶର୍ମା ଓ ଜି କ୍ରିଷ୍ଣେୟାଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି। ଏବେ ବି ଜିଲ୍ଲାପାଳଙ୍କୁ ଅପରାଧୀଙ୍କ ଧମକ୍ ମିଳୁଛି, “୨ଜଣଙ୍କ ଷ୍ଟାଚ୍ୟୁ ଲାଗିଛି, କଥା ନମାନିଲେ ତୃତୀୟ ଷ୍ଟାଚ୍ୟୁ ତାଙ୍କର ହେବ।” ଗୋଟିଏ ରାଜ୍ୟ ହେଉକି ଦେଶ, ଉଭୟ ଶାସନ ଓ ପ୍ରଶାସନର ପ୍ରତିନିଧିମାନଙ୍କୁ ସୁରକ୍ଷା ଦରକାର। କିନ୍ତୁ ଭୋଟ୍ ରାଜନୀତିର ସୁରକ୍ଷା ପାଇଁ ଜଣେ ପ୍ରଶାସକଙ୍କ ହତ୍ୟାକାରୀକୁ ମୁକ୍ତି ନିତୀଶଙ୍କୁ ସବୁବେଳେ କଳଙ୍କିତ କରିବ ବୋଲି ବିଭିନ୍ନ ବର୍ଗରୁ ମତ ପ୍ରକାଶ ପାଇଛି।

Tags: #Politics #BiharPolitics #Ganster #AnandMohan #NitishKumar

Comment