ଓଡ଼ିଶାଲାଇଭ୍ ବ୍ୟୁରୋ

  • କୋଲକାତାରେ ରହିଛି ଏହି ଡାକୋଟା ବିମାନ
  • କଟକ ଆନନ୍ଦ ଭବନ ସଂଗ୍ରହାଳୟରେ ପ୍ରଦର୍ଶିତ ହେବ ଡାକୋଟା
  • ନିଜେ ଡାକୋଟା ଚଳାଇ ଇଣ୍ଡୋନେସିଆରେ ଦୁଃସାହସିକ କାର୍ଯ୍ୟ କରିଥିଲେ ବିଜୁ
  • ବିଜୁଙ୍କ କଳିଙ୍ଗ ଏୟାରଲାଇନ୍ସରେ ଥିଲା ୧୫ଟି ଡାକୋଟା ବିମାନ

ଭାରତର ଦୁର୍ଦ୍ଧର୍ଷ ବୈମାନିକ ବା ପାଇଲଟ୍ ବିଜୁ ପଟ୍ଟନାୟକଙ୍କ ଲୋକପ୍ରିୟ ଡାକୋଟା ବିମାନ ଆସିବ ଓଡ଼ିଶା। କଟକର ବିଜୁବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନରେ ତାହା ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ ହେବ। ଏ ବାବଦରେ ଓଡ଼ିଶା ସରକାର ଉଦ୍ୟମ ଆରମ୍ଭ କରିଛନ୍ତି।

ଭାରତ ସ୍ୱାଧୀନତା ହାସଲ କଲା ବେଳକୁ ବିଜୁ ପଟ୍ଟନାୟକ ଗଢ଼ିଥିଲେ ତାଙ୍କ କଳିଙ୍ଗ ଏୟାରଲାଇନ୍ସ ସଂସ୍ଥା। ଏହି ବିମାନ କମ୍ପାନିରେ ୧୫ଟି ଡାକୋଟା ବିମାନ ରହିଥିଲା। ବିଜୁବାବୁ ତାଙ୍କ ବିମାନବାହିନୀକୁ କାଶ୍ମୀର ଏବଂ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ସେନା ଏବଂ ଶରଣାର୍ଥୀଙ୍କ ଉଦ୍ଧାର ତଥା ସେବା କାର୍ଯ୍ୟରେ ଲଗାଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

୧୯୪୭ ଜୁଲାଇ ୨୧ ତାରିଖରେ ବିଜୁବାବୁ ଗୋଟିଏ ଡାକୋଟା ଡିସି-୩ ବିମାନ ନିଜେ ଚଳାଇ ଇଣ୍ଡୋନେସିଆର ତତ୍କାଳୀନ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଶତ୍ରୁଙ୍କ ଛାଉଣୀ ଭିତରୁ ଉଦ୍ଧାର କରି ଏକ ଇତିହାସ ସୃଷ୍ଟି କରିଥିଲେ। ଇଣ୍ଡୋନେସିଆର ଜାକର୍ତ୍ତାରୁ ତତ୍କାଳୀନ ଉପରାଷ୍ଟ୍ରପତି ମହମ୍ମତ ହାଟା ଏବଂ ପ୍ରଧାନମନ୍ତ୍ରୀ ସାହାରିଅରଙ୍କୁ ଭାରତକୁ ଉଡ଼ାଇ ଆଣି ସେ ଯେଉଁ ଦୁଃସାହସିକ କାର୍ଯ୍ୟ ପ୍ରଦର୍ଶନ କରିଥିଲେ ସେଥିପାଇଁ ଭାରତରେ ମିଳିଥିଲା ବେଶ୍ ପ୍ରଶଂସା। କେବଳ ସେତିକି ନୁହେଁ ତାଙ୍କର ଏହି ଭୂମିକା ପାଇଁ ଇଣ୍ଡୋନେସିଆ ସରକାର ପରବର୍ତ୍ତୀ ସମୟରେ ତାଙ୍କୁ ସେଠିକାର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭୂମିପୁତ୍ର’ରେ ସମ୍ମାନିତ କରିଥିଲେ।

ବିଜୁବାବୁଙ୍କ ସ୍ମୃତି ସହ ଜଡ଼ିତ ଏହି ଡାକୋଟା ବିମାନ ସେହି ସମୟରୁ କୋଲକାତାରେ ରହିଛି। ଏହାର କିଛି ଖଣ୍ଡବିଖଣ୍ଡିତ ଅଂଶ କୋଲକାତାସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରର ସଂଗ୍ରହାଳୟରେ ସ୍ଥାନ ପାଇଛି। ଏହାକୁ ସେଠାରୁ ଆଣିବା ପାଇଁ  ଓଡ଼ିଶା ସରକାରଙ୍କ ପକ୍ଷରୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା ଆରମ୍ଭ ହୋଇଛି। ଏହି ବିମାନ ଓଡ଼ିଶା ଆସିଲେ ତା’କୁ ବିଜୁବାବୁଙ୍କ ପୈତୃକ ବାସଭବନ ଆନନ୍ଦ ଭବନରେ ହୋଇଥିବା ବିଜୁ ସଂଗ୍ରହାଳୟର ଅନ୍ୟତମ ଆକର୍ଷଣ ଭାବେ ଉପସ୍ଥାପନ କରାଯିବ। ଏହାକୁ ଆନନ୍ଦ ଭବନ ସାମ୍ନା ପଡ଼ିଆରେ ରଖାଯିବ ବୋଲି ବିଚାର କରାଯାଉଛି।

Comment