ଓଡ଼ିଶାଲାଇଭ୍‍ ବ୍ୟୁରୋ

  • ଦୁଇ ମିନିଟ୍‌ରୁ ଅଧିକ ଗାଧୋଇବା ଉପରେ କଟକଣା
  • ହୋଟେଲରେ ଗୋଟିଏ ବୁନ୍ଦା ପାଣି ନଷ୍ଟ ନକରିବାକୁ ନିର୍ଦ୍ଦେଶ
  • ଦକ୍ଷିଣ ଆଫ୍ରିକାରେ ଉତ୍କଟ ଜଳ ସଙ୍କଟ ଯୋଗୁଁ ଚିନ୍ତାଜନକ ପରିସ୍ଥିତି

ଆପଣ ଗାଧୋଇବା ବେଳେ ମନଇଚ୍ଛା ପାଣି ବ୍ୟବହାର କରୁଥିବେ। ବେଳେବେଳେ ଟ୍ୟାପ୍‌ ଖୋଲା ହୋଇଥିବ, ହେଲେ ଆପଣ ଏହାକୁ ଅଣଦେଖା କରୁଥିବେ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପାଣି ଟୋପାଏ ପାଇଁ କେତେ ହନ୍ତସନ୍ତ ହୁଅନ୍ତି, ପୃଥିବୀର ପାଖାପାଖି ଅଧା ଜନସଂଖ୍ୟା।

ସେହି ଉତ୍କଟ ପାଣି ସମସ୍ୟାରେ ଏବେ ଘାଣ୍ଟି ହେଉଛନ୍ତି ଦକ୍ଷିଣ ଆଫ୍ରିକାବାସୀ। ଏହାର ପ୍ରଭାବ ପଡିଛି ଭାରତୀୟ କ୍ରିକେଟ୍ ଟିମ୍‌ ଉପରେ। କାରଣ, ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ କେପ୍‌ ଟାଉନ୍‌ରେ ଖେଳାଯାଉଛି। ଆଉ କେପ୍‌ ଟାଉନ୍‌ରେ ହିଁ ପାଣିର ଘୋର ଅଭାବ ସୃଷ୍ଟି ହୋଇଛି। ତିନି ବର୍ଷ ହେଲା କମ୍ ବର୍ଷା ହେଉଥିବାରୁ ଏପରି ଅବସ୍ଥା ଉପୁଜିଛି।

କେପ୍‌ ଟାଉନ୍‌ ବାସିନ୍ଦାଙ୍କୁ କମ୍ ପାଣି ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଧନୀ, ଗରିବ ସମସ୍ତଙ୍କ ପାଇଁ ଏକା ନିୟମ ଜାରି କରାଯାଇଛି। ଏପରିକି ପର୍ଯ୍ୟଟକମାନେ ଏହି ନିୟମ ଅନୁସାରେ ପାଣି ବ୍ୟବହାର କରିବାକୁ ବାଧ୍ୟ। ପ୍ରତି ହୋଟେଲକୁ ଏ ନେଇ ଗାଇଡ୍ ଲାଇନ୍‌ ଜାରି କରାଯାଇଛି।

ଏହି କ୍ରମରେ ଭାରତୀୟ କ୍ରିକେଟ୍‌ ଖେଳାଳିଙ୍କ ଗାଧୋଇବା ଉପରେ କଟକଣା ଲଗାଯାଇଛି। କୌଣସି ଖେଳାଳି ୨ ମିନିଟ୍‌ରୁ ଅଧିକ ସମୟ ସାୱାର ଖୋଲି ଗାଧୋଇବେ ନାହିଁ ବୋଲି କୁହାଯାଇଛି। ଯାହା କୋହଲୀ ବାହିନୀଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। କାରଣ ଭାରତରେ ସେମାନେ ଏଭଳି ପରିସ୍ଥିତିର କେବେ ସମ୍ମୁଖୀନ ହୋଇନାହାନ୍ତି। ତେବେ ଏହି ନିୟମ ପାଳନ କରିବା ଛଡ଼ା ସେମାନଙ୍କ ପାଇଁ ଅନ୍ୟ ଉପାୟ ନାହିଁ।

କେପ୍‌ ଟାଉନ୍‌ ସହରରେ ‘ଜିରୋ ଡେ’କୁ ଆଡେଇବା ପାଇଁ କର୍ତ୍ତୃପକ୍ଷ ଏପରି କଡ଼ା ନିୟମ କରିଛନ୍ତି। ‘ଜିରୋ ଡେ’ର ଅର୍ଥ ହେଉଛି ଜଳଯୋଗାଣ ସଂପୂର୍ଣ୍ଣ ବନ୍ଦ। ସହରରେ ଜଳ ସମସ୍ୟା ଏଭଳି ଉତ୍କଟ ହୋଇଛି ଯେ ଯେକୌଣସି ମୁହୂର୍ତ୍ତରେ ଜଳ ଯୋଗାଣ ବନ୍ଦ ହୋଇଯିବା ଆଶଙ୍କା ରହିଛି। ଏହି ପରିସ୍ଥିତି ଉପୁଜିବା ପୂର୍ବରୁ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ସହରର ରାସ୍ତା ଘାଟ, ହୋଟେଲ୍ ଓ ପାର୍କରେ ଜଳ ସଚେତନତା ନେଇ ବଡ଼ ବଡ଼ ବିଜ୍ଞାପନ ହୋଡିଂ ଲଗାଯାଇଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ୪୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହରକୁ ଜଳସଂକଟରୁ ରକ୍ଷା କରିବା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ ପାଇଁ ଯୋଜନା କରୁଛନ୍ତି ସରକାର।

Comment